
ବ୍ରହ୍ମପୁର (ଅମରେନ୍ଦ୍ର:-ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗୋଳନ୍ଥରା ସ୍ତିତ ନିଷ୍ଟ ବିଶ୍ବବିଦ୍ୟାଳୟ ଆଜି ତାର ପ୍ରଥମ ସମାବର୍ତ୍ତନ ଉତ୍ସବକୁ ସମାରୋହରେ ପାଳନ କରିଛି । ସ୍ଵର୍ଣୀମ ଏହି ପ୍ରଥମ ସମାବର୍ତ୍ତନ ଉତ୍ସବରେ ବିଶ୍ବବିଦ୍ୟାଳୟ ପକ୍ଷରୁ ବିଶିଷ୍ଟ ମହାକାଶ ବୈଜ୍ଞାନିକ ପଦ୍ମଶ୍ରୀ ଡ଼ଃ କୋଟା ହରି ନାରାୟଣ ଏବଂ ବିଶିଷ୍ଟ ଓଡ଼ିଆ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲଙ୍କୁ ସମ୍ମାନ ସୂଚକ ଡକ୍ଟରେଟ ଉପାଧି ପ୍ରଦାନ କରିଛି । ଏଥି ସହିତ ୧୦ ଜଣ ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକ, ୧୯ ଜଣ ଛାତ୍ରଛାତ୍ରୀଙ୍କୁ ରୋପ୍ୟ ପଦକ ସହିତ ସମୁଦାୟ ୧୮୭ ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରି ପ୍ରଦାନ କରାଯାଇଛି। ଆୟୋଜିତ ଏହି କାର୍ଯ୍ୟକ୍ରମରେ ନାଲକୋ ସିଏମଡି ବ୍ରିଜେନ୍ଦ୍ର ପ୍ରତାପ ସିଂ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲା ବେଳେ ସୁନାମଧନ୍ୟ ଓଡିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଡ଼. ଅରୁଣା ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ନିଷ୍ଟ ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ଡକ୍ଟର ସୁକାନ୍ତ କୁମାର ମହାପାତ୍ର ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ଉଭୟ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ଦକ୍ଷତା ପ୍ରତିଯୋଗିତାରେ ସେମାନଙ୍କର ସଫଳତା ଆଧାରରେ ବିବରଣୀ ପ୍ରଦାନ କରିଥିଲେ । ଏହା ସହିତ ଛାତ୍ରଛାତ୍ରୀମାନଙ୍କର ବିକାଶ ପାଇଁ ଭବିଷ୍ୟତରେ ବିଶ୍ବବିଦ୍ୟାଳୟ ପରିସରରେ ଏକ ସେଣ୍ଟର ଅଫ ଏକ୍ସଲେନ୍ସ ପ୍ରତିଷ୍ଠା କରିବାକୁ ସେଲୋନା ସଂସ୍ଥା ସହ ଚୁକ୍ତି ସ୍ବାକ୍ଷର ହୋଇଥିବା ସୂଚନା ଦେଇଥିଲେ । ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଡ. ପ୍ରିୟଦର୍ଶନ ପାତ୍ର ବିଶ୍ଵବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ। ଉତ୍ସବରେ ବିଶ୍ଵବିଦ୍ୟାଳୟର ବୋର୍ଡ ଅଫ ଗଭରନିଙ୍ଗ ମେମ୍ବର ଚିକିଟି ବିଧାୟକ ଶ୍ରୀ ମନୋରଞ୍ଜନ ଦ୍ୟାନ ସାମନ୍ତରା, ଡ଼. ପ୍ରତୋଷ ବଂଶଲ, ଡ଼. ଅନୁରାଗ ଅଗ୍ରୱାଲ, ଶ୍ରୀ ବିମଲ ମିଶ୍ର, ଶ୍ରୀ ରଞ୍ଜନ ଜେନା ପ୍ରମୁଖ ଯୋଗ ଦେଇଥିଲେ ।