ପୁରୀ : ନରେନ୍ଦ୍ରରେ ସାଦା ପୋଷାକରେ ବୁଲୁଛି ପୁଲିସ,ଝିଙ୍କି ନେଉଛନ୍ତି ସୁନା ହାର, ପତ୍ତା ପାଉନି

ପୁରୀ (ବଳରାମ ତ୍ରିପାଠୀ, ଓଡ଼ିଶା ଟୁଡେ) : ନରେନ୍ଦ୍ର ପୁଷ୍କରିଣୀରେ ଠାକୁରଙ୍କ ଚାପ ଖେଳ ଦେଖିବା ବେଳେ ମହିଳା ଶ୍ରଦ୍ଧାଳୁଙ୍କ ବେକରୁ ସୁନା ହାର ଝିଙ୍କି ନେଉଛତି ଲୁଟେରା । ଭିଡ଼ରେ ଲୁଟ୍‌ପାଟ୍‌କୁ ନିୟନ୍ତ୍ରଣ କରିବା ପାଇଁ ସାଦା ପୋଷାକଧାରୀ ପୁଲିସ ଟିମ୍ ନିୟୋଜିତ କରାଯାଇଛି। ହେଲେ ପୁଲିସ ଆଖରେ ଆଙ୍ଗୁଠି ଗେଞ୍ଜି ଲୁଟୁଛନ୍ତି। ପୁଲିସର ବରିଷ୍ଠ ଅଧିକାରୀଙ୍କ କଡ଼ା ନଜର ରଖିଛୁ ବୋଲି ଦେଇଥିବା ବୟାନକୁ ଟାହିଟାପରା କରୁଛନ୍ତି ଶ୍ରଦ୍ଧାଳୁ ।ଗତ ୧୨ ତାରିଖରେ ଲୁଟ୍‌ର ଶିକାର ହୋଇଛନ୍ତି ବ୍ରହ୍ମପୁର ଟାଉନ୍ ଥାନା ଅଧୀନ ଗାନ୍ଧୀ ନଗରର ଉଷାରାଶୀ ପାତ୍ର। ଏନେଇ ତାଙ୍କ ସ୍ବାମୀ ଜବାହରଲାଲ୍ ପାତ୍ର କୁମ୍ଭାରପଡ଼ା ଥାନାରେ ଏତଲା ଦେଇଛନ୍ତି। ଅପରାହ୍ନରେ ନରେନ୍ଦ୍ର ଚକଡ଼ାରେ ଛିଡ଼ା ହୋଇ ଚାପ ଖେଳ ଦେଖୁଥିବା ବେଳେଲୁଟେରା ଉଷାରାଣୀଙ୍କ ବେକରୁ ସୁନା ହାର ଝିଙ୍କି ନେଇଥିଲା ।

ଲୁଟେରାର ପତ୍ତା ପାଇନଥିଲେ ଦମ୍ପତି।ପ୍ରତିବର୍ଷ ଚାପ ଖେଳର ଭିଡ଼ରେ ଲୁଟ୍‌ପାଟ୍ କରୁଛନ୍ତି ଲୁଟେରା । ଗତ ୭ ତାରିଖରେ ପୁରୀରେ ରହୁଥିବା ପଳାଶୁଣୀର ରଶ୍ମିତା ଦାସ ଚାପ ଦେଖି ସାରି ସେଠାରେ ଥିବା ଏକ ଦୋକାନରୁ ଜିନିଷ କିଣିବା ସମୟରେ ୨ ଜଣ ଛୋଟ ଝିଅ ତାଙ୍କ ଭ୍ୟାନିଟି ଭିତରୁ ପର୍ସ ଚୋରି କରି ନେଇଥିଲେ। ଏନେଇ ଅଭିଯୋଗ କରିଛନ୍ତି ରଶ୍ମିତା। ପର୍ସରେ ୮ ହଜାର ଟଙ୍କା ଥିଲା। ସିସିଟିଭି ଦେଖିଲେ ବି ପୁଲିସ ସୋମାନଙ୍କ ପତ୍ତା ପାଇନି। ଗତ ବର୍ଷ ଚନ୍ଦନ ଚକଡ଼ାରୁ ମାତ୍ରାଧ‌ିକ ଲୁଟ୍‌ପାଟ୍ ହୋଇଥିଲେ ବି ପୁଲିସ ଏଯାଏଁ ଲୁଟେରାଙ୍କୁ ଧରିବାରେ ବିଫଳ ହୋଇଛି। ଚଳିତ ବର୍ଷ ଚାପ ଖେଳରେ ବି ଲୁଟେରା ଆତଙ୍କ ଖେଳାଇବା ଆରମ୍ଭ କରିଥିଲେ ବି ପୁଲିସ କାହାରିକୁ ଠାବ କରିପାରିନାହିଁ। ହେଲେ ଚାପ ଖେଳକୁ ଯାଉଥିବା ଶ୍ରଦ୍ଧାଳୁ ପୁଲିସ ଉପରେ ଭରସା କରିପାରୁନାହାନ୍ତି ।

Leave a Reply

Your email address will not be published. Required fields are marked *