ପୁରୀ: ମଶାଣି ଚଣ୍ଡୀ ଛକ ରାସ୍ତାରେ ବୀଭତ୍ସ ହତ୍ୟାକାଣ୍ଡ, ଲଙ୍କା ଗୁଣ୍ଡ ପକାଇ ହାଣିଦେଲେ

ପୁରୀ (ବଳରାମ ତ୍ରିପାଠୀ, ଓଡ଼ିଶା ଟୁଡେ): ବାସେଳି ସାହି ଥାନା ଅଧୀନ ମଶାଣି ଚଣ୍ଡୀ ଛକ ରାସ୍ତାରେ ଘଟିଛି ବୀଭତ୍ସ ହତ୍ୟା। ମଶାଣି ଚଣ୍ଡୀ କମିଟି ସମ୍ପାଦକ ୪୫ ବର୍ଷୀୟ କୁନା ବେହେରା ଲଙ୍କାଗୁଣ୍ଡ ମାଡ଼କରି ଅତି ବୀଭତ୍ସ ଭାବେ ହାଣି ହତ୍ୟା କରାଯାଇଛି। ଗୁରୁବାର ରାତିରେ ଏହି ନାରକୀୟ କାଣ୍ଡ ଘଟିଛି। ହତ୍ୟା ପରେ ଅଭିଯୁକ୍ତ ଥାନାକୁ ଯାଇ ଆତ୍ମସମର୍ପଣ କରିଛି। ଶୁକ୍ରବାର ସକାଳେ ମୃତଦେହ ଜବତ କରିଛି ପୋଲିସ। ଅଟକ ଅଭିଯୁକ୍ତ ସେହି ଅଞ୍ଚଳର ଲିପୁନ ଭୋଇ ବୋଲି ପୋଲିସ କହିଛି। ସୂଚନାଥାଉକି, ମା’ ମଶାଣି ଚଣ୍ଡୀ ପୀଠ କମିଟି ସମ୍ପାଦକ ଭାବେ କାର୍ଯ୍ୟ ତୁଲାଇଥିଲେ କୁନା। ପୀଠ ନିକଟ ବେହେରା ସାହିରେ ତାଙ୍କ ଘର ଥିବାବେଳେ ସେ ଏକାକୀ ରହୁଥିଲେ। ପତ୍ନୀ ତାଙ୍କ ପିଲାମାନଙ୍କୁ ନେଇ ବାପଘରେ ରହୁଥିଲେ। ଦୁଇ ଦିନ ତଳେ ମଶାଣି ଚଣ୍ଡୀ ପୀଠରୁ ଲିପୁନର ବାପା ବିଷ୍ଣୁ ଭୋଇ ପଇଡ଼ ଚୋରି କରୁଥିଲା। ତାକୁ ଧରିଥିଲେ କୁନା। ବିଷ୍ଣୁକୁ ୨ ଚାପୁଡ଼ା ମାରି ଆଉ ଏମିତି ନକରିବାକୁ ଚେତାବନୀ ଦେଇଥିଲେ। ବିଷ୍ଣୁ ଘରକୁ ଫେରି ପୁଅମାନଙ୍କୁ କହିଥିଲା। ବାପାକୁ ଚାପୁଡ଼ା ମାଡ଼ ଘଟଣାକୁ ଦୁଇ ପୁଅ ବରଦାସ୍ତ କରିପାରିନଥିଲେ। ଲିପୁନ ଓ ତା’ ଭାଇ ସିପୁନ ରାତିରେ କୁନାଙ୍କ ଘରକୁ ଯାଇଥିଲେ। ମାଡ଼ର କାରଣ ପଚାରିବାବେଳେ ଯୁକ୍ତି ତର୍କ ହୋଇଥିଲା। ଲିପୁନକୁ ବି ୨ ଚାପୁଡ଼ା ମାରିଥିଲେ କୁନା। ଏଥିରେ ଉତକ୍ଷିପ୍ତ ହୋଇ ତାଙ୍କୁ ଲଙ୍କାଗୁଣ୍ଡ ମାଡ଼କରି ହାଣି ପକାଇଥିଲେ। ଏକାଧିକ ଚୋଟ ବାଜି କ୍ଷତାକ୍ତ ଅବସ୍ଥାରେ ଘର ଭିତରେ ପଡ଼ିଥିଲେ କୁନା। ପ୍ରବଳ ରକ୍ତସ୍ରାବ ଯୋଗୁଁ ତାଙ୍କର ସେହିଠାରେ ମୃତ୍ୟୁ ଘଟିଥିଲା।ଲିପୁନ ଥାନାରେ ଯାଇ ହତ୍ୟାକାଣ୍ଡ ସମ୍ପର୍କରେ କହିଥିଲା। ପ୍ରାଚୀର ଡେଇଁ ଯିବା ଆସିବା କରିବାବେଳେ ସେ ମଧ୍ୟ କ୍ଷତାକ୍ତ ହୋଇଥିଲା। ପୁଲିସ ତାକୁ ଚିକିତ୍ସା କରି ଅଟକ ରଖିଛି। ତା’ ବାପା ବି ଥାନାରେ ଅଟକ ଅଛି। ହତ୍ୟାରେ ଆଉ କିଏ ସମୃକ୍ତ ଅଛି ତାହାର ଛାନଭିନ କରୁଛି ପୁଲିସ। ସାଇଣ୍ଟିଫିକ ଟିମ ସହ ପୁଲିସ କ୍ରାଇମ ସ୍ପଟରେ ତଦନ୍ତ ଆରମ୍ଭ କରିଛି। ସେଠାରୁ ୩ଟି ଚାପଡ଼ ଜବତ କରାଯାଇଛି। ବ୍ୟବଚ୍ଛେଦ ନିମନ୍ତେ ଶବକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଛି ।

Leave a Reply

Your email address will not be published. Required fields are marked *