
ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ ): ସ୍ଥାନୀୟ ଡିହପଢାଳ ସରସ୍ବତୀ ଶିଶୁ ମନ୍ଦିର ଠାରେ ତିନିଦିନ ଧରି ଚାଲିଥିବା ସଙ୍କୁଳ ସ୍ତରୀୟ ସାମୁହିକ କାର୍ଯ୍ୟଶାଳା ଉଦଯାପିତ ହୋଇ ଯାଇଛି । ଉଦଯାପନୀ ଉତ୍ସବରେ ଶିଶୁ ମନ୍ଦିର ସଭାପତି ଡ଼ଃ କମ୍ବୁପାଣି ସାମନ୍ତ ଅଧ୍ୟକ୍ଷତା କରିଥିବା ବେଳେ ଦକ୍ଷିଣ ପୂର୍ବ ସମ୍ଭାଗର ସଭାପତି ତାରା ପ୍ରସାଦ ଦାଶ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ନିଜ ଅଭିଭାଷଣ ରଖିଥିଲେ । ସମ୍ମାନିତ ଅତିଥି ରୂପେ ଫୁଲବାଣୀ ସହ ଜିଲ୍ଲା ପ୍ରମୁଖ ତ୍ରିନାଥ ଗୌଡ଼, ଭଞ୍ଜନଗର ସଙ୍କୁଳ ପ୍ରମୁଖ ପ୍ରସନ୍ନ କୁମାର ପ୍ରଧାନ, ଶିଶୁ ମନ୍ଦିର ସମ୍ପାଦକ ଜ୍ୟୋତି ରଞ୍ଜନ ବିଷୋୟୀ ପ୍ରମୁଖ ମଞ୍ଚାଶୀନ ଥିଲେ । ସଙ୍କୁଳ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ସଙ୍କୁଳ-ବୃତ୍ତ ପାଠ କରିଥିବା ବେଳେ ସହ ପ୍ରଧାନ ଆଚାର୍ଯ୍ୟ ଉତ୍ତମ କୁମାର ମହାରଣା ଅତିଥି ପରିଚୟ ପ୍ରଦାନ କରିଥିଲେ । ତିନି ଦିନିଆ ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ଅଞ୍ଚଳର ୧୧ ଟି ବିଦ୍ୟାଳୟ ରୁ ପ୍ରଧାନ ଆଚାର୍ଯ୍ୟ ସମେତ ସର୍ବମୋଟ ୧୪୯ ଜଣ ଗୁରୁଜୀ ଓ ଗରୁମା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ଏନଇପି ଆଧାରିତ ସମସ୍ତ କାର୍ଯ୍ୟ ଦକ୍ଷତା ଭିତ୍ତିରେ ଅରୁଣ ଠାରୁ ଅଷ୍ଟମ ଶ୍ରେଣୀ ଯାଏଁ ଶିକ୍ଷା ବିକାଶ ସମିତି ଙ୍କ ସମସ୍ତ ନିର୍ଦ୍ଦେଶକୁ ପାଳନ କରା ଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ସମ୍ପାଦକ ଶ୍ରୀ ବିଷୋୟୀ, ଧନ୍ୟବାଦ ଦେଇଥିଲେ ।