ଭଞ୍ଜନଗର : ହାତୀପଲଙ୍କ ଦୌରାତ୍ମ୍ୟ :ବିଦ୍ୟାଳୟ କୋଠା ସମେତ ଭାଙ୍ଗିଲେ ୩ ଘର

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ହାତୀପଲ କିଛିମାସ ନୀରବ ରହିବା ପରେ ବୁଧବାର ରାତିରେ ପୁଣି କେତେକ ଗ୍ରାମରେ ପଶି ଭଙ୍ଗାରୁଜା କରିଛନ୍ତି। ଗତକାଲି ରାତିରେ ୨୭ ଟିକିଆ ହାତୀପଲ କନ୍ଧମାଳ ଜିଲାରୁ ଆସି ମୁଜାଗଡ଼ ରେଞ୍ଜ ବାଇବାଲି ସେକ୍ସନର ବିରିକୋଟରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ହାତୀପଲ ଗ୍ରାମ ବିଦ୍ୟାଳୟର ଦୁଇଟି କୋଠାକୁ ଭାଙ୍ଗି ଦେଇଛନ୍ତି। ଏଥିସହ ଉକ୍ତ ଗ୍ରାମର ରମେଶ ପାତ୍ର, ରିତା ପାତ୍ର ଏବଂ ରଞ୍ଜିତ ପ୍ରଧାନଙ୍କ ଘରକୁ ଭାଙ୍ଗି ଦେଇଛନ୍ତି। ଖାଦ୍ୟ ଅନ୍ବେଷଣରେ ଆସି ହାତୀପଲ ଏହି କାଣ୍ଡ ଭିଆଇଥିବା ଜଣାପଡ଼ିଛି । ଖବର ପାଇ ଡିଏଫ୍‌ଓ ହିମାଂଶୁ ଶେଖର ମହାନ୍ତି ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗୀୟ କର୍ମଚାରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ।ଏହାପରେ ରେଞ୍ଜର ବିମ୍ବାଧର ସାହୁ, ବନପାଳ ଟୁନା ମଲ୍ଲିକ, ବନରକ୍ଷୀ ପ୍ରଦ୍ୟୁମ୍ନ ବିଷୋୟୀ, ସ୍କ୍ବାଡ୍‌ ଟିମ୍‌ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ବଣକୁ ଘଉଡ଼ାଇଥିଲେ। ଏଥିସହ କ୍ଷତିଗ୍ରସ୍ତ ପରିବାର ଗୁଡ଼ିକୁ କିଭଳି ସରକାରୀ ସହାୟତା ମିଳିବ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେଇଥିବା ଜଣାପଡ଼ିଛି। ଏହି ଘଟଣାରେ କିଏ ମୃତାହତ ହୋଇ ନାହାନ୍ତି ।

Leave a Reply

Your email address will not be published. Required fields are marked *