ଭଞ୍ଜନଗର : ଘୁମୁସର ଇତିହାସର କରାଯାଉଛି ପ୍ରଚାର ପ୍ରସାର: ମନର କଥା ବଖାଣିଲେ ବିଧାୟକ ପ୍ରଦ୍ୟୁମ୍ନ

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ): ଘୁମୁସର ଗବେଷଣା ପ୍ରତିଷ୍ଠାନର ୫ମ ଅଧିବେଶନ ଗୁରୁବାର ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପରିସରରେ ଅନୁଷ୍ଟିତ ହୋଇଯାଇଛି । ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଧିବେଶନକୁ ଉଦଘାଟନ କରିଥିଲେ। ଏହି ଅବସରରେ ବିଧାୟକ ନାୟକ ଘୁମୁସର ଇତିହାସର ପ୍ରଚାର ପ୍ରସାର ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ କହିଥିଲେ। ଘୁମୁସର ଇତିହାସର ମୁକସାକ୍ଷୀ ଚକରା ଘାଟି ଏବଂ ଘାଟିଶୁଳାର ବିକାଶ ବର୍ତ୍ତମାନ କରାଯାଉଛି । ଏଥିସହ ଅନ୍ୟାନ୍ୟ ଐତିହାସିକ ସ୍ଥଳୀ ଗୁଡ଼ିକର ପୁନରୁଦ୍ଧାର କରାଯାଉଛି । ଛାତ୍ର ନେତା ହେବା ପରେ ଲୋକ ପ୍ରତିନିଧି ଭାବେ ଲୋକଙ୍କ ସେବା କରିବା ପାଇଁ ଲକ୍ଷ୍ୟ ରଖିଥିଲି। ଲୋକ ପ୍ରତିନିଧି ହେବା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଭଳି କିଛି ବିଶିଷ୍ଠ ବ୍ୟକ୍ତି ମୋତେ ସରକାରୀ ଚାକିରି କରିବା ପାଇଁ ପରାମର୍ଶ ଦେଇଥିଲେ। ଚାକିରି ପାଇଁ ଅନେକ ସୁଯୋଗ ପାଇଥିଲି। କିନ୍ତୁ ଲୋକ ପ୍ରତିନିଧି ହୋଇ ଲୋକଙ୍କ ସେବା କରିବା ପାଇଁ ଇଚ୍ଛା ଥିଲା। ବର୍ତ୍ତମାନ ଲୋକ ପ୍ରତିନିଧି ଭାବେ ନିର୍ବାଚିତ ହେବାପରେ ଲୋକଙ୍କୁ ଯଥା ସମ୍ଭବ ସେବା ଯୋଗାଇବା ପାଇଁ ଚେଷ୍ଟିତ ବୋଲି ବିଧାୟକ ନାୟକ ସଭାରେ କହିଥିଲେ। ଦକ୍ଷିଣ ଓଡ଼ିଶାର ସାମାଜିକ, ରାଜନୈତିକ ଏବଂ ସାଂସ୍କୃତିକ ଇତିହାସ ଉପରେ ପ୍ରଥମ ଅଧିବେଶନରେ ଆଲୋଚନା ହୋଇଥିଲା।ଏହି ଅବସରରେ ମୁଖ୍ୟ ଅତିଥି ବିଧାୟକ ନାୟକଙ୍କ ଦ୍ବାରା ଘୁମୁସର ଗବେଷଣା ପ୍ରତିଷ୍ଠାନର ସ୍ମରଣିକା ଉନ୍ମୋଚିତ ହୋଇଥିଲା। ଏଥିସହ ଡ ଶ୍ୟାମା ପ୍ରସାଦ ମିଶ୍ର, ନେତାଜୀ ବିଷୋୟୀଙ୍କ ପୁସ୍ତକ ମୁଖ୍ୟ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।

ତାମିଲନାଡୁ କେନ୍ଦ୍ରୀୟ ବିଶବିଦ୍ୟାଳୟ ତିରୁଭାରୁର ଅବସରପ୍ରାପ୍ତ ଇତିହାସ ବିଭାଗ ମୁଖ୍ୟ ପ୍ରଫେସର ଡ ଭଗବାନ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ୧୭୫୩ ରୁ ୧୮୫୬ ପର୍ଯ୍ୟନ୍ତ ଫରାସୀ ଏବଂ ବ୍ରିଟିଶ ଶାସକଙ୍କ ବିରୁଦ୍ଧରେ ଘୁମୁସର ଭଞ୍ଜ ରାଜବଂଶ ଲଢ଼େଇ ଜାସରଖିଥିଲା ବୋଲି କହିଥିଲେ। ୧୦୩ ବର୍ଷର ଘୁମୁସର ବିଦ୍ରୋହ ଥିଲା ଆଧୁନିକ ଭାରତ ଇତିହାସର ଏକ ଗୌରବମୟ ଅଧ୍ୟାୟ। ଘୁମୁସର ବିଦ୍ରୋହ ଭାରତ ଇତିହାସର ଦୀର୍ଘତମ ବିଦ୍ରୋହ ବୋଲି ଡ ସାହୁ କହିଥିଲେ।ଫରାସୀ ଏବଂ ବ୍ରିଟିଶ ଶାସକଙ୍କ ଅନ୍ୟାୟ ଏବଂ ଅତ୍ୟାଚାର ବିରୁଦ୍ଧରେ ଏହି ଲଢେଇ ହୋଇଥିଲା। ଏଥିସହ ସେ କହିଥିଲେ ଯେ ବିପ୍ଳବୀ ବୀର ଚକରା ବିଷୋୟୀ ଦୀର୍ଘ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ ଘୁମୁସର ବିଦ୍ରୋହ ପରିଚାଳନା କରି ପ୍ରବଳ ପରାକ୍ରମୀ ବ୍ରିଟିଶ ସରକାରଙ୍କ ନିଦ ହଜାଇ ଦେଇଥିଲେ। ବ୍ରିଟିଶ ସରକାରଙ୍କ ବେଙ୍ଗଲ ପ୍ରେସିଡେନ୍ସି, ମାନ୍ଦ୍ରଜ ପ୍ରେସିଡେନ୍ସି, କେନ୍ଦ୍ରୀୟ ପ୍ରେସିଡେନ୍ସିର ମିଳିତ ବିରାଟ ସୈନ୍ୟବାହିନୀ ବହୁ ଚେଷ୍ଟା କଲାପରେ ମଧ୍ୟ ଚକରାଙ୍କୁ ବନ୍ଦୀ କରିପାରିନଥିଲା। ଚକରାଙ୍କୁ ଧରିବା ପାଇଁ ବ୍ରିଟିଶ ଶାସକ ୧୦ ହଜାର ଟଙ୍କା ପୁରସ୍କାର ଘୋଷଣା କରିଥିଲେ। କିନ୍ତୁ ସ୍ଥାନୀୟ ଜନସାଧାରଣଙ୍କ ଚକରାଙ୍କ ପ୍ରତି ଅତ୍ୟନ୍ତ ଭଲ ପାଇବା ଥିବା ଯୋଗୁଁ ବ୍ରିଟିସ ସୈନ୍ୟବାହିନୀ ତାଙ୍କୁ ଧରି ପାରି ନ ଥିଲା ।

ଏଥିସହ ଚକରା ନିଜର ମନ୍ତ୍ର (ପାଲଟା ବାଘ ମନ୍ତ୍ର) ବଳରେ ବ୍ରିଟିଶ ସୈନ୍ୟବାହିନୀ ଠାରୁ ଖସିଯିବାରେ ସକ୍ଷମ ହେଉଥିଲେ ବୋଲି ଶ୍ରୀ ସାହୁ କହିଥିଲେ। ସଭାପତି ଡ ସନ୍ତୋଷ କୁମାର ଆପଟ ପ୍ରଥମ ପର୍ଯ୍ୟାୟରେ ଅଧ୍ୟକ୍ଷତା କରିଥିଲେ। ସମ୍ପାଦକ ତପନ କୁମାର ମିଶ୍ର ବିବରଣୀ ପାଠ କରିଥିଲେ।ଦୂରଦର୍ଶନ କେନ୍ଦ୍ର ଭୁବନେଶ୍ୱରର ଅବସରପ୍ରାପ୍ତ ନିର୍ଦ୍ଦେଶକ ଡ ଶାନ୍ତନୁ କୁମାର ରଥ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଘୁମୁସର ଇତିହାସ ଉପରେ ଆହୁରି ଅଧିକ ଗବେଷଣା ଆବଶ୍ୟକ ରହିଛି ବୋଲି କହିଥିଲେ। ଇନ୍ଦିରା ଗାନ୍ଧୀ ମୁକ୍ତ ବିଶବିଦ୍ୟାଳୟର ଆଞ୍ଚଳିକ ନିର୍ଦ୍ଧେଶକ ଡ ବିଜୟ କୁମାର ସାହୁ, ମେଜର ରମା ରମଣ ପାଢ଼ୀ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ। କୋଷାଧ୍ୟକ୍ଷ ଦାମୋଦର ଷଡ଼ଙ୍ଗୀ ଧନ୍ୟବାଦ ପ୍ରଦାନ କରିଥିଲେ।ଦ୍ୱିତୀୟ ଅଧିବେଶନରେ ଦକ୍ଷିଣ ଓଡ଼ିଶା ଇତିହାସ ସମାଜର ସମ୍ପାଦକ ଡ ଶିବ ପ୍ରସାଦ ଦାସ, ଚାନ୍ଦିପୁଟ ଆଇ ଏମ ସ୍ନାତକ ମହାବିଦ୍ୟାଳୟର ଅଧକ୍ଷ ଡ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ, କେଶପୂର୍‌ ସ୍ନାତକ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧକ୍ଷ ଡ ବିନୋଦ ବିହାରୀ ପଟ୍ଟନାୟକ, କରଞ୍ଜିଆ ସୟଂଶାସିତ ମହାବିଦ୍ୟାଳୟ ଇତିହାସ ବିଭାଗ ଅଧ୍ୟାପକ ଡ ରବିନ୍ଦ୍ର କୁମାର ଦାସ, ଧରାକୋଟ ସ୍ନାତକ ମହାବିଦ୍ୟାଳୟର ଅଧକ୍ଷ ଡ ସୁଜିତ୍ କୁମାର ପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ। ସନ୍ତୋଷ ଜେନା,ଡ ଶିରିସ କୁମାର ଷଡଙ୍ଗୀ, ଲୋକନାଥ ମହାନ୍ତି, ଆଶୋକ ସାଇଁ, ଡ ରବିନ୍ଦ୍ର ମିଶ୍ର, ଜଗବନ୍ଧୁ ଜେନା, ଦୁର୍ଗା ମାଧବ ଦାସ,ଅଜୟ ବିଶ୍ବାଳ, ମାଧବ ଦଳେଇ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ। ସଭାକୁ ଡ ଶ୍ୟାମା ପ୍ରସାଦ ମିଶ୍ର ସଂଯୋଜନା କରିଥିଲେ। ସମ୍ମିଳନୀରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବହୁ ଗବେଷକ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *