
ବେଲଗୁଣ୍ଠା ୦୫/୦୬ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ବୋରି ଦଳକ ତୋଟା ନିକଟରେ ଏକ ବାଇକ ଦୁର୍ଘଟଣାରେ ଜନୈକ ଯୁବକ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ପ୍ରାପ୍ତ ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ଗାଙ୍ଗପୁର ଥାନା ବିଞ୍ଜିଗିରି ଗ୍ରାମର ବିଜୟ ନାୟକଙ୍କ ପୁଅ ଶଙ୍କର ନାୟକ ନିଜର ଏକ ବ୍ୟକ୍ତିଗତ କାମରେ ରାତି ସାଢ଼େ ୮ଟା ବେଳେ ନିଜ ହିରୋ ହୋଣ୍ଡା ବାଇକ ( ଜିଜେ -୦୫-ଇ-୭୧୨୨) ଯୋଗେ ବିଞ୍ଜିଗିରିରୁ ସିଂହମର୍ଦନ ଗ୍ରାମକୁ ଯାଉଥିବା ବେଳେ ବୋରି ଦଳକ ତୋଟା ନିକଟ ରାସ୍ତାରେ ଶଙ୍କର ବାଇକ ଉପରୁ ନିଜର ଭାରସାମ୍ୟ ହରାଇବା ପରେ ବାଇକଟି ନିକଟସ୍ଥ ଏକ ଗଛ ସହ ଧକ୍କା ହୋଇଥିଲା । ଫଳରେ ଶଙ୍କର ବାଇକରୁ ଛିଟିକି ପଡ଼ି ଏକ କଲଭର୍ଟ ମଧ୍ୟରେ କଚାଡି ହୋଇ ପଡ଼ିଥିଲେ ଏବଂ ଗୁରୁତର ଆହତ ହୋଇ ରକ୍ତାକ୍ତ ହୋଇ ପଡିରହିଥିବା ବେଳେ ନିକଟରେ ଥିବା କିଛି ବୋରି ଗ୍ରାମବାସୀ ଗୁରୁତର ଆହତ ଶଙ୍କରଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ପରେ ଅଧିକ ଚିକିତ୍ସା ପାଇଁ ଶଙ୍କରଙ୍କୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ଶଙ୍କରର ମୃତ୍ୟୁ ହୋଇଥିବା ନେଇ ସ୍ଥାନୀୟ ଡ଼ାକ୍ତର ଘୋଷଣା କରିଥିଲେ । ପରେ ବୁଧବାର ଦିନ ସକାଳୁ ଖାଇରପୁଟି ଗ୍ରାମର ଶଙ୍କରଙ୍କ ଶଶୁର ସୂର୍ଯ୍ୟମଣି ଗୌଡ଼ ଘଟଣା ସଂପର୍କରେ ସ୍ଥାନୀୟ ଗାଙ୍ଗପୁର ଥାନାରେ ଲିଖିତ ଭାବେ ଜଣାଇବା ପରେ ଥାନା ସବଇନ୍ସପେକ୍ଟର ଏ.ଟି. ଦାନି ଗାଙ୍ଗପୁର ଥାନାରେ ୩୮୧/୨୦୨୫ରେ ଏକ ମାମଲା ରୁଜୁ କରିବା ସହ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିଥିଲେ ଏବଂ ଦୁର୍ଘଟଣାଗ୍ରସ୍ଥ ବାଇକକୁ ଜବତ କରିଥିଲେ । ପରେ ଭଞ୍ଜନଗର ହସ୍ପିଟାଲରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଥିଲେ । ଶବ ବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ମୃତକଙ୍କ ମରଶରୀରକୁ ହସ୍ତାନ୍ତର କରା ଯାଇଥିବା ଗାଙ୍ଗପୁର ଥାନା ସୂତ୍ରରୁ ଜଣାପଡ଼ିଛି ।