ଭଞ୍ଜନଗର : ସୀମାରେ ଜୀବନ ଖୋଜୁଛି ଗିଡିପାବାଲ୍ଲୀଗାଁକୁ ନାହିଁ ପକ୍କାରାସ୍ତା,ନାଳ ପାଣିରେ ମେଣ୍ଟୁଛି ଶୋଷ

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଦେଶ ସ୍ବାଧୀନ‌ତାର ବହୁ ବର୍ଷ ପରେ ବି କନ୍ଧମାଳ ଜିଲ୍ଲା ସୀମାନ୍ତ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ଲକ ବାଇବାଲି ପଞ୍ଚାୟତର ଗିଡିପାବାଲ୍ଲୀ ଗାଁ ଲୋକଙ୍କ ପାଖରେ ପହଞ୍ଚି ନାହିଁ ସର୍ବନିମ୍ନ ମୌଳିକ ସୁବିଧା।ଗାଁ କୁ ରାସ୍ତା ନାହିଁ କି ପିଇବା ପାଣିର ସୁବିଧା ନାହିଁ। ବର୍ଷା ଦିନେ ତ ଗ୍ରାମବାସୀଙ୍କ ଦୁଃଖ ଦୁଇ ଗୁଣ ହୋଇଯାଏ । ରାତି ଅଧରେ କାହାରି ଦେହ ଖରାପ ହେଲେ ତ ଆହୁରି ଦୟନୀୟ ଅବସ୍ଥା ଭୋଗିବାକୁ ପଡେ ଗ୍ରାମବାସୀଙ୍କୁ । ଗ୍ରାମର ୧୦ରୁ ଉର୍ଦ୍ଧ୍ୱ ପରିବାର ବିଭିନ୍ନ ସମସ୍ୟା ଦେଇ ଦୀର୍ଘ ବର୍ଷ ହେବ ଘାଣ୍ଟି ହେଉଥିବା ବେଳେ ସରକାରଙ୍କ ବିକାଶ ମୂଳକ ଯୋଜନା ଏଠି ସାତସପନ। ଆଜି ବି ଗ୍ରାମବାସୀଙ୍କୁ ଅନ୍ଧାରୀ ମୂଲକର ଜୀବନ ବିତାଇବାକୁ ପଡ଼ୁଛି। ଗାଁ କୁ ଭଲ ରାସ୍ତା ନଥିବାରୁ ଗୁରୁତର ରୋଗୀ କିମ୍ବା ଗର୍ଭବତୀଙ୍କୁ ଖଟିଆରେ ବୋହିବାକୁ ପଡ଼ୁଛି। ଗାଁରେ ପାନୀୟ ଜଳର ସମସ୍ୟା ଲାଗି ରହିଛି। ଲୋକେ ଗାଁ ଦେଇ ଯାଇଥିବା ନାଳର ଦୂଷିତ ପାଣିରେ ଶୋଷ ମେଣ୍ଟାଉଛନ୍ତି। ଭଞ୍ଜନଗର ବ୍ଲକ ସଦର ମହକୁମାରୁ ୪୦ କି.ମି ଦୂରରେ ଥିବା ତଡମା ର ପଡା ଗାଁ ଗିଡିପାବାଲ୍ଲୀ ଗ୍ରାମର ଅବସ୍ଥା ଅତ୍ୟନ୍ତ ଭୟାନକ। ଦେଶ ସ୍ବାଧିନ ହେବା ପରଠୁ ଗିଡିପାବାଲ୍ଲୀ ଗାଁକୁ ଆଜି ଯାଏ ସବୁଦିନିଆ ପକ୍କା ରାସ୍ତାଟିଏ ବି ନିର୍ମାଣ ହୋଇପାରିନି । ତଡମା ଠୁ କିଛି ଦୁର ପୁର୍ବରୁ ପିଚୁ ରାସ୍ତା ନିର୍ମାଣ ହୋଇଥିଲେ ବି ଗିଡିପାବାଲ୍ଲୀ ଗାଁ କୁ ଯିବାକୁ ହେଲେ ତଡମା ଠାରୁ ୫ କିଲୋମିଟର ଚାଲି ଚାଲି ଦୁଇଟି ପାହାଡ,ତିନୋଟି ନାଳ ଡେଇଁ ପଥରୁଆ ଜଙ୍ଗଲି ରାସ୍ତାରେ ଯିବାକୁ ପଡେ। ଫଳରେ ଲୋକଙ୍କୁ କୌଣସି କାମରେ ହେଉ ଅବା କାହାର ଦେହ ଖରାପ ହେଲେ ଜଙ୍ଗଲ ମଧ୍ୟରେ ଅଣଓସାରିଆ ଆବଡା ଖାବଢା ପଥୁରିଆ ରାସ୍ତାରେ ତଡମା ଦେଇ ତଳକୁ ଓହ୍ଲାଇବାକୁ ପଡେ । ସରକାରଙ୍କ ଆବାସ ଯୋଜନା ଆଜି ଯାଏଁ ଏଠି ପହଞ୍ଚି ନାହିଁ । ଗ୍ରାମବାସୀ ଜଙ୍ଗଲ ମଧ୍ୟରେ ରହୁଥ‌ିବାରୁ ବର୍ଷ ସାରା ଜଙ୍ଗଲ ଜନ୍ତୁର ଭୟ ଲୋକଙ୍କୁ ଘାରିଛି। ଶିକ୍ଷା,ସାସ୍ଥ୍ୟ,ପାନୀୟ ଜଳ ସବୁ ଏଠି ଅପହଞ୍ଚ। ଗାଁକୁ ଆଜି ଯାଏ ଆମ୍ବୁଲାନ୍ସ ଟିଏ ବି ଆସିନି। ଗ୍ରାମର କୌଣସି ଲୋକଙ୍କ ସାସ୍ଥ୍ୟ ଖରାପ ହେଲେ କନ୍ଧମାଳ ଜିଲ୍ଲାର ଇନ୍ଦ୍ରଗଡ ସାସ୍ଥ୍ୟକେନ୍ଦ୍ର ଉପରେ ଗ୍ରାମବାସୀଙ୍କୁ ଭରସା କରିବାକୁ ପଢୁଛି। ଛୋଟ ପିଲାଙ୍କ ଭବିଷ୍ୟତ ଗଢିବା ପାଇଁ ଏଠି ଅଙ୍ଗନଓ୍ୱାଡ଼ି କିମ୍ବା ବିଦ୍ୟାଳୟଟିଏ ବି ନାହିଁ। ଫଳରେ କୋମିଳମତି ଶିଶୁଙ୍କ ପାଇଁ ସବୁ ଦିନିଆ ପୁଷ୍ଟିକର ଖାଦ୍ୟ ସାତସପନ ପାଲଟିଛି। ଖାଉଟି ସାମଗ୍ରୀ ଓ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଗ୍ରାମବାସୀଙ୍କୁ ୧୮ କି.ମି ରାସ୍ତା ଦେଇ ବାଇବାଲି ପଞ୍ଚାୟତକୁ ଯିବାକୁ ପଡେ। ବର୍ଷା ଦିନେ ତ ଗ୍ରାମବାସୀଙ୍କ ସମସ୍ୟା କହିଲେ ନସରେ ।

ନାଳରେ ବର୍ଷା ପାଣି ଆସିବା ଦ୍ବାରା ତଳକୁ ଆସି ପାରନ୍ତିନି ଗାଁ ଲୋକେ। ଏଠାରେ ପିଇବା ପାଣିର ସୁବିଧା ନଥିବାରୁ ଗାଁ ଲୋକେ ନିକଟସ୍ଥ ନାଳ ପାଣି ଉପରେ ନିର୍ଭର କରୁଛନ୍ତି । ନିତ୍ୟ କର୍ମ ଠୁ ରୋଷେଇ ପର୍ଯ୍ୟନ୍ତ ସବୁ ସମୟରେ ଏହି ନାଳ ହିଁ ଗ୍ରାମବାସୀଙ୍କ ସାହା ଭରସା। ତାହାକୁ ପିଇ ଲୋକେ ବିଭିନ୍ନ ସମୟରେ ଝାଡ଼ାବାନ୍ତି ସମେତ ବିଭିନ୍ନ ଜଳବାହିତ ରୋଗ ରେ ପଡ଼ୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଦିର୍ଘ ବର୍ଷ ପରେ ବି ଗିଡିପାବାଲ୍ଲୀ ଗାଁ ଲୋକ ଙ୍କୁ ଆବାସ ଯୋଜନାରେ ପକ୍କା ଘର ଟିଏ ମିଳିନି। ଫଳରେ ଲୋକେ ଝାଟିମାଟି ଘରେ ଆଜି ବି ଜୀବନ କାଟୁଛନ୍ତି। ଗ୍ରମର ପ୍ରତ୍ୟେକ ପରିବାର କୁ ସୋଲାର ଲାଇଟ ସଂଯୋଗ ହୋଇଛି। କିନ୍ତୁ ତାହା ସବୁ ସମୟରେ ଆଲୁଅ ଦେଇ ପାରୁନି।ଗ୍ରାମର ଅଧିକାଂଶ ପରିବାର ଗାଈ, ଛେଳି,ମେଣ୍ଢା ପାଳନ ସହ ଚାଷ କରି ପରିବାର ପ୍ରତିପୋଷଣ କରନ୍ତି । ଗ୍ରାମବାସୀଙ୍କ ସମସ୍ୟା ନେଇ ଗାଁ ଲୋକେ ବହୁବାର ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଛନ୍ତି। ହେଲେ କେହି ବି ଗ୍ରାମବାସୀଙ୍କ ଦୁଃଖ ଶୁଣୁନଥିବା ଗ୍ରାମବାସୀ ଅଭିଯୋଗ କହିଛନ୍ତି। ବ୍ଲକ ଓ ଜିଲ୍ଲା ପ୍ରଶାସନ ଗ୍ରାମର ବିକାଶ ଲାଗି ଦୃଷ୍ଟି ଦିଅନ୍ତୁ ବୋଲି ଗ୍ରାମର ଶାନ୍ତ ମଳିକ,ମଧୁ ପ୍ରଧାନ,ଶୁବଳ ପ୍ରଧାନ,ମୃତ୍ୟୁଞ୍ଜୟ ପ୍ରଧାନ,ରବି ମଳିକ,ପ୍ରଦ୍ୟୁମ୍ନ ମଳିକ,ବଳଦେବ ପ୍ରଧାନ,ପ୍ରତାପ ପ୍ରଧାନ ଓ ବିଜୟ ପ୍ରଧାନ ପ୍ରମୁଖ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *