ଭଞ୍ଜନଗର : ମିଳୁନି ପ୍ରୋତ୍ସାହନ,ଦୁର୍ଦ୍ଦିନରେ ଖଲିପତ୍ର କାରିଗର

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଦିନେ ଶାଳପତ୍ରରୁ ପ୍ରସ୍ତୁତ ଖଲି ଓ ଠୁଙ୍ଗା ଆଦିର ବେଶ୍ ଚାହିଦା ରହିଥିଲା। ଜଳଖିଆ ଦୋକାନ ଠାରୁ ଆରମ୍ଭ କରି ହୋଟେଲ୍‌,ବିବାହ,ବ୍ରତ ଓ ଜାନିଯାତ୍ରାରେ ଏହାକୁ ବହୁଳ ଭାବରେ ବ୍ୟବହାର କରାଯାଉଥିଲା। ମାତ୍ର ଦିନକୁ ଦିନ ଯୁଗ ପରିବର୍ତ୍ତନ ହେଉଥିବା ବେଳେ ଶାଳପତ୍ରରେ ପ୍ରସ୍ତୁତ ଖଲି ଓ ଠୁଙ୍ଗା ପରିବର୍ତ୍ତେ କାଗଜ ଓ ସୋଲରେ ପ୍ରସ୍ତୁତ ଖଲି ଓ ଠୁଙ୍ଗାର ବହୁଳ ବ୍ୟବହାର କରାଯାଉଛି। ଫଳରେ ଏହି ପତ୍ର ଉପରେ ନିର୍ଭର କରି ଗୁଜୁରାଣ ମେଣ୍ଟାଉଥିବା ପରିବାର ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ୁଥିବା ଦେଖିବାକୁ ମିଳିଛି। ଗୋଟିଏ ପଟେ ଦେଖିବାକୁ ଗଲେ ଏହି ପତ୍ର କାରିଗରମାନେ ନିଜ ନିଜର ବ୍ୟବସାୟକୁ ବୃଦ୍ଧି କରିବା ପାଇଁ ଇଛା ପ୍ରକାଶ କରୁଥିବା ବେଳେ ସରକାରୀ ପ୍ରୋତ୍ସାହନ ଅଭାବକୁ ନେଇ ଏହି ବେଉସା ବୁଡ଼ି ବୁଡ଼ିବାକୁ ବସିଲାଣି। ଦୈନିକ ସଂଗ୍ରହ କରୁଥିବା ପତ୍ରକୁ ନେଇ ଖଲି ସିଇଁଲେ ପେଟ ପୋଷୁଥିବା କାରିଗର ମାନେ ପ୍ରକାଶ କରିଛନ୍ତି। ଭଞ୍ଜନଗର ବ୍ଲକର ବିଭିନ୍ନ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମରେ ଖଲିପତ୍ର କାରିଗରଙ୍କ ଏଭଳି ଦୁର୍ଦ୍ଦଶା ଦେଖିବାକୁ ମିଳିଛି।ବିଶେଷକରି ଭଞ୍ଜନଗର ବ୍ଲକର ଶାଳୁଆପଲ୍ଲୀ, ମଳାସପଦର, କାଳିଆମ୍ବା,ବୁଦୁଲି,ପୁରୁଣାପାଣି, ବିରିପଦର, ମୁଜାଗଡ,ବ୍ରାହ୍ମଣପଦର, ବଦାଙ୍ଗୀ, ଗଅପଦର, ବାଇବାଲି,ଦୁର୍ଗାପ୍ରସାଦ ଓ ବେଲାଟୁନ୍ ସମେତ ବିଭିନ୍ନ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମ ଲୋକେ ଆଜକୁ ପ୍ରାୟ ୨୦ ବର୍ଷରୁ ଉର୍ଦ୍ଧ୍ବ ହେବ ଏହି ବ୍ୟବସାୟକୁ ଆପଣାଇଛନ୍ତି। ଦୈନିକ ପ୍ରାୟ ଦୁଇ ରୁ ତିନି କିମି ଦୂର ଗାଁ ପାଖ ଜଙ୍ଗଲକୁ ଯାଇ ଶାଳପତ୍ର ସଂଗ୍ରହ କରିଥାନ୍ତି। ପୂରା ପରିବାର ଏହି କାମରେ ସଂଶ୍ଳିଷ୍ଟ ଥାନ୍ତି। ଦିନ ତମାମ୍ ପରିବାରର ସମସ୍ତ ସଦସ୍ୟ ଖଲି ପ୍ରସ୍ତୁତ କରନ୍ତି। ବିଶେଷକରି ଭଞ୍ଜନଗର ଅଞ୍ଚଳରେ ଠୁଙ୍ଗା ଅପେକ୍ଷା ଖଲିର ଅଧିକ ଚାହିଦା ରହିଛି ।

ଗୋଟିଏ ପରିବାର ଦୈନିକ ପାଖାପାଖି ୨୫୦ ରୁ ୩୦୦ ଖଲି ପ୍ରସ୍ତୁତ କରିଥାନ୍ତି। ୮୦ଟି ଖଲି କୁ ଗୋଟିଏ ଚେକା କରିଥାନ୍ତି। ଗୋଟିଏ ଚେକାକୁ ୮୦ ଟଙ୍କା ମୂଲ୍ୟରେ ବିକ୍ରୟ କରୁଥିବା ବେଳେ ଗୋଟିଏ ପରିବାର ୩ ଶହରୁ ୪ ଶହ ଟଙ୍କା ଦୈନିକ ରୋଜଗାର କରିଥାନ୍ତି।ଦୈନିକ ଯାହା ରୋଜଗାର ହୁଏ ଏଥିରେ କଷ୍ଟେମଷ୍ଟେ ପରିବାର ଚଳିଯାଏ। ହେଲେ ଦିନକୁ ଦିନ ବଜାରରେ ବିଭିନ୍ନ ସାମଗ୍ରୀର ଦରଦାମ୍ ବୃଦ୍ଧି ଘଟୁଥିବା ବେଳେ ଏଭଳି ସ୍ବଳ୍ପ ରୋଜଗାରରେ ପରିବାର ଚଳିବା କଷ୍ଟକର ହୋଇ ପଡ଼ୁଥିବା କାରିଗର ମାନେ ପ୍ରକାଶ କରିଛନ୍ତି। ଭଞ୍ଜନଗର ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଖଲି ପ୍ରସ୍ତୁତ କରିବାରେ ଏସବୁ ପରିବାରର ସ୍ବତନ୍ତ୍ର ପରିଚୟ ରହି ଆସିଛି। ଏହି ବ୍ୟବସାୟ ଅଧିକ କ୍ରିୟାଶୀଳ କରିବା ପାଇଁ କାରିଗରମାନେ ଆଗ୍ରହ ପ୍ରକାଶ କରୁଥିବା ବେଳେ ଅର୍ଥ ବାଧକ ସାଜୁଛି। ସରକାର ବିଭିନ୍ନ କାରିଗର ଓ ବ୍ୟବସାୟୀଙ୍କୁ ଅଧିକ ରୋଜଗାରକ୍ଷମ କରିବା ପାଇଁ ସହାୟତା ପ୍ରଦାନ କରୁଥିବା ବେଳେ ଏସବୁ କାରିଗରଙ୍କୁ ସରକାରୀ ସହାୟତା ପ୍ରହେଳିକା ସାଜିଛି। ସରକାର ଏହି ପତ୍ର ବ୍ୟବସାୟକୁ ଅଧିକ କ୍ରିୟାଶୀଳ କରିବା ପାଇଁ ସରକାରୀ ପ୍ରୋତ୍ସାହନ ଯୋଗାଇ ଦେବା ସହ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ କାରିଗରଙ୍କ ମଧ୍ୟରେ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *