କଳିଙ୍ଗା ଘାଟିରେ ଧସିଲା ମାଟି ଅତଡ଼ା,ପାହାଡ଼ ତଳକୁ ଖସିଲା ୨ ଜେସିବି

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ କଳିଙ୍ଗା ଘାଟି ଅବସ୍ଥିତ। ଘାଟି ରାସ୍ତା ଦେଇ ଦୈନନ୍ଦିନ ହଜାର ହଜାର ଛୋଟ ବଡ଼ ଯାନବାହନ ଚଳାଚଳ କରୁଛି। ଏହି ସମୟରେ ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ଘାଟିରେ ହେଉଛି। ତେଣୁ ବିଭିନ୍ନ ସମୟରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ପାହାଡ଼ କାଟି ରାସ୍ତାକୁ ଚଉଡ଼ା କରୁଛନ୍ତି। ଘାଟିର ଅଧିକାଂଶ ଅଞ୍ଚଳ ଚଉଡ଼ା ହୋଇଗଲାଣି କିନ୍ତୁ ଘାଟି ଉପରେ ଥିବା ଅନ୍ଧାରୀ କୋଟି ମନ୍ଦିର ନିକଟରେ ୧୦୦ ମିଟର ରାସ୍ତା ସମ୍ପ୍ରସାରଣ ହୋଇପାରି ନ ଥିଲା। ସଂପୃକ୍ତ ସ୍ଥାନଟି ପଥର କାଟିବା ବିପଜ୍ଜନକ ଥିବାରୁ ସେଠାରେ ମାଟି ପୋତି ପଥରକୁ ପଥର ବାନ୍ଧି ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଆଜକୁ ୨ ବର୍ଷ ହେବ ଚାଲିଛି। ପ୍ରାୟ ୨୦୦ରୁ ଊଦ୍ଧର୍‌ବ ଫୁଟ ଉଚ୍ଚରେ ମାଟି ଏବଂ ପଥର ପକାଇ ଥାକଥାକ କରି ପୋତାଯାଉଛି। କିନ୍ତୁ ମଝିରେ ମଝିରେ ତାହା ଭୁଶୁଡ଼ି ପଡୁଛି । ଫଳରେ କାର୍ଯ୍ୟ କିଛିଦିନ ବ୍ୟାହତ ହେଉଛି। ଏହିଭଳି ମଙ୍ଗଳବାର ଭଞ୍ଜନଗର ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ତେଣୁ ମାଟି ଅତଡା ପୁଣି ଭୁଶୁଡି ପଡ଼ିଛି। ଏହାଦ୍ବାରା ଯାନବାହନ ଚଳାଚଳ କୌଣସି ପ୍ରଭାବିତ ହୋଇନାହିଁ। କାମ ଠିକ୍‌ ଭାବେ ହେଉ ନ ଥିବାରୁ ଏଭଳି ହେଉଥିବା ମଧ୍ୟ ଅଭିଯୋଗ ହେଉଛି। ଅପରପକ୍ଷେ ମାଟିରେ ଦବି ଯାଇଥିବା ଭାରିଯାନ ଗାଡ଼ିଗୁଡିକୁ ବାହାର କରିବା ସହ କାମ ପୁନର୍ବାର ଆରମ୍ଭ କରିବା ପାଇଁ ପଦକ୍ଷେପ ନେଇଥିବା ଜଣାପଡ଼ିଛି।ସୂଚନାଯୋଗ୍ୟ, ଏହା ପୁର୍ବରୁ ଆହୁରି ଏକାଧିକ ଥର ମାଟି ଅତଡ଼ା ସେଠାରେ ଖସିଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *