
ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ରାଜ୍ୟ ସରକାରଙ୍କ ଏକ ବର୍ଷର ସଫଳତାର ଯାତ୍ରାକୁ ଲୋକାଭିମୁଖୀ କରିବା ତଥା ବିଭିନ୍ନ ସରକାରୀ ଯୋଜନା ସମ୍ବନ୍ଧରେ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଗୁରୁବାର ଠାରୁ ବିକାଶ ବାହନର ଶୁଭାରମ୍ଭ ହୋଇଛି।ମୁଖ୍ୟ ଅତିଥି ଭାବେ ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ଯୋଗଦେଇ କାର୍ଯ୍ୟାଳୟ ପରିସରରେ ପତକା ଦେଖାଇ ବିକାଶ ବାହାନର ଶୁଭାରମ୍ଭ କରିଥିଲେ। ଏହି ବାହନ ଭଞ୍ଜନଗର ସହରର ସମସ୍ତ ଓ୍ବାର୍ଡ ଓ ଜନଗହଳି ଅଞ୍ଚଳ ବୁଲି ଜନସାଧାରଣଙ୍କୁ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ବନ୍ଧରେ ବ୍ୟାପକ ସଚେତନତା ସୃଷ୍ଟି କରିବ।ତୃଣମୂଳସ୍ତରରେ ଲୋକଙ୍କୁ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବା ଲକ୍ଷ୍ୟ ନେଇ ଏହି ବାହନ ସହର ର ବିଭିନ୍ନ ସ୍ଥାନ ଗସ୍ତ କରି ସରକାର ଙ୍କ ଉପଲବ୍ଧି ବଖାଣିବ। ବିଭିନ୍ନ ବିଭାଗର ଅଧିକାରୀ ତଥା କର୍ମଚାରୀମାନେ ଉପସ୍ଥିତ ରହି ଲୋକଙ୍କୁ ସରକାରୀ ଯୋଜନା ସମ୍ବନ୍ଧରେ ସୂଚନା ଦେବେ।ଏହା ସହ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ ସହ ଆଧାର କାର୍ଡ ସଂଶୋଧନ ଓ ନୂଆ ଆଧାର କାର୍ଡ ପାଇଁ ପଞ୍ଜୀକରଣ କାର୍ଯ୍ୟକ୍ରମ ମଧ୍ୟ ହେବ। ଏହାସହ ସରକାରଙ୍କ ସ୍ବାସ୍ଥ୍ୟ ରକ୍ଷା କବଚ ଆୟୁଷ୍ମାନ ଭାରତର ହେଲ୍ପଡେସ୍କ ମଧ୍ୟ କରାଯାଇ ଲୋକ ଙ୍କୁ ସଚେତନ କରାଯିବ। ଏହି ଅବସରରେ କାର୍ଯ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜିର ଏହି ବିକାଶ ବାହାନ ଶୁଭାରମ୍ଭ ସମୟରେ ଏନଏସି ଅଧ୍ୟକ୍ଷ ଶ୍ରୀ ମହାପାତ୍ର ଙ୍କ ସମେତ ଉପାଧ୍ୟାକ୍ଷା ଶୁଭଶ୍ରୀ ଦାସ ଭାରପ୍ରାପ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ କୁମାର ମାହାର, ସମସ୍ତ କାଉନସିଲର ଓ କର୍ମଚାରୀ ଉପସ୍ଥିତ ଥିଲେ ।