
ଭଞ୍ଜନଗର ୨୯/୦୬( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ମିଳିତ କ୍ରିୟାନୁଷ୍ଠାନ କମିଟି ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆରମ୍ଭ ହୋଇଥିବା ଘୁମୁସର ଜିଲ୍ଲା ଦାବି ପ୍ରସଙ୍ଗ ଏବେ ନିରବି ଯାଇଛି। ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉପଖଣ୍ଡକୁ ସତନ୍ତ୍ର ଜିଲ୍ଲା ଦାବି ନେଇ ବରିଷ୍ଠ ନାଗରିକ, ଓକିଲ ସଂଘ ସମେତ ବିଭିନ୍ନ ଅନୁଷ୍ଠାନ ସ୍ୱତଃପ୍ରବୃତ ଭାବେ ସାମିଲ ହୋଇ ଜିଲ୍ଲା ଦାବିକୁ ଜୋର କରିଥିଲେ । ଏପରିକି ଧାରଣା, ବନ୍ଦ ପାଳନ ସମେତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତତ୍କାଳୀନ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ଏବେ ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଛନ୍ତି । ଭାଜପା ଏବେ କ୍ଷମତାରେ ରହିଛି।ହେଲେ ପୂର୍ବ ପରି ଭଞ୍ଜନଗର ଉପଖଣ୍ଡକୁ ସତନ୍ତ୍ର ଘୁମୁସର ଜିଲ୍ଲା ଦାବି ଏବେ ନିରବ ହୋଇଯାଇଛି। ଯେଉଁମାନେ ପୂର୍ବରୁ ବିରୋଧୀ ଦଳର ଭୂମିକାରେ ରହି ଜିଲ୍ଲା ଦାବି ପ୍ରସଙ୍ଗକୁ ପରୋକ୍ଷରେ ସମର୍ଥନ ଦେଇ ଆସୁଥିଲେ ଏବେ ଶାସନକୁ ଆସିବା ପରେ ସେମାନଙ୍କ ପାଟି ଚୁପ୍ ରହିଛି । ଯାହାକୁ ନେଇ ଘୁମୁସର ଜିଲ୍ଲା ଦାବି ମାହୋଲ ଏବେ ଥମିବାରେ ଲାଗିଛି।ଭୌଗଳିକ ଦୃଷ୍ଟିକୋଣ ହେଉ କି ଭାଷାଗତ, ସାଂସ୍କୃତିକ, ଐତିହ୍ୟ ଓ ପରମ୍ପରା ଦୃଷ୍ଟିକୋଣରୁ ଭଞ୍ଜନଗର ଉପଖଣ୍ଡ ଓ ଗଞ୍ଜାମ ଜିଲ୍ଲା ମୁଖ୍ୟାଳୟ ମଧ୍ୟରେ ଅନେକ ତାରତମ୍ୟ ରହିଛି। ସାଧାରଣ ଜନତା ସେମାନଙ୍କ ମୌଳିକ ସମସ୍ୟା ଜିଲ୍ଲା ପ୍ରଶାସନ ନିକଟରେ ଉପସ୍ଥାପନ କରିବା କାଠିକର ପାଠ ହୋଇପଡ଼ୁଛି । ଭଞ୍ଜନଗର ସଦରମହକୁମାଠାରୁ ୯୦ କିମି ଏବଂ ଉପଖଣ୍ଡର ସୀମାଠାରୁ ୧୨୦ କମି ଦୂରରେ ଅବସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ସହିତ ଯୋଗାଯୋଗ କରାଯିବା କଷ୍ଟ ସାଧ୍ଯ ହୋଇପଡ଼ୁଛି । କନ୍ଧମାଳ, ନୟାଗଡ଼, ଗଜପତି ଓ ଖୋର୍ଦ୍ଧା ଜିଲ୍ଲା ସୀମାନ୍ତରେ ବସବାସ କରୁଥିବା ଜନସାଧାରଣଙ୍କୁ କୌଣସି କାମରେ ଛତ୍ରପୁର ଯିବା ସହଜସାଧ୍ଯ ହେଉନି। ସେଥିପାଇଁ ଭଞ୍ଜନଗର ଉପଖଣ୍ଡର ୮ଟି ବ୍ଲକ ସମେତ ୫ଟି ଏନ୍ଏସିକୁ ନେଇ ଘୁମୁସର ଜିଲ୍ଲା ଗଠନ ପାଇଁ ଦୀର୍ଘ ୩ ଦଶନ୍ଧି ଧରି ଦାବି ହୋଇ ଆସୁଛି। ବର୍ତ୍ତମାନ ରାଜ୍ୟର ଏକ ବଡ଼ ଉପଖଣ୍ଡ ହେଉଛି ଭଞ୍ଜନଗର । ଏହାର ଜନସଂଖ୍ୟା ଓ ଭୌଗଳିକ ଦୃଷ୍ଟିରୁ ରାଜ୍ୟର କେତେକ ଜିଲ୍ଲା ଅପେକ୍ଷା ଏହି ଉପଖଣ୍ଡ ବଡ଼ ।
ଏହା ସହ ଏଠାରେ ୫୦ରୁ ଅଧିକ ଉପଖଣ୍ଡ, ଜିଲ୍ଲା ଓରାଜ୍ୟସ୍ତରୀୟ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନ ଏଠାରେ ରହିଥିବାବେଳେ ଜିଲ୍ଲା ହେବା ନେଇ ସବୁ ଭିରିଭୂମି ଏଠାରେ ରହିଛି। ଏହା ସତ୍ତ୍ୱେ ସରକାର ଏହି ଉପଖଣ୍ଡକୁ ଜିଲ୍ଲା ଘୋଷଣା କରିବାରେ ଆଗ୍ରହ ପ୍ରକାଶ କରୁ ନାହାନ୍ତି ।ଭଞ୍ଜନଗର ଉପଖଣ୍ଡକୁ ଘୁମୁସର ଜିଲ୍ଲାର ମାନ୍ୟତା ନେଇ ୧୯୯୨ ମସିହାରୁ ସାମ୍ବାଦିକ, ବୁଦ୍ଧିଜୀବୀ, ଓକିଲ ସଂଘ, ବରିଷ୍ଠ ନାଗରିକ ସଂଘ, ଘୁମୁସର ବାହିନୀ ଓ ଘୁମୁସର ଜିଲ୍ଲା ସଂଘର୍ଷ ସମିତି ପ୍ରମୁଖ ଦାବି କରି ଆସୁଛନ୍ତି । ଘୁମୁସର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମଧ୍ୟ ଜିଲ୍ଲା ଦାବି ନେଇ ଭଞ୍ଜନଗର, ଜଗନ୍ନାଥପ୍ରସାଦ, ସୋରଡ଼ା, ବେଲଗୁଣ୍ଠା ଓ ବୁଗୁଡ଼ା ବ୍ଳକରେ ବନ୍ଦ ପାଳନ କରାଯାଇଥିଲା । ଏହାସହ ଘୁମୁସର ବାହିନୀ ପକ୍ଷରୁ ଚିଠି ଲେଖାଓ ଦସ୍ତଖତ ଅଭିଯାନ କରାଯାଇଥିଲା। ଦଳମତ ନିର୍ବିଶେଷରେ ସମସ୍ତେ ଜିଲ୍ଲା ଗଠନ ଦାବିକୁ ସମର୍ଥନ ଦେଇ ଆସୁଥିଲେ। ୧୯୯୩ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ୧୩ଟି ଜିଲ୍ଲାକୁ ପୁନର୍ଗଠନ କରି ୩୦ ଜିଲ୍ଲାରେ ପରିଣତ କରିଥିଲେ ସୁଦ୍ଧା ଭୌଗଳିକ ଦୃଷ୍ଟିକୋଣର ଯଥେଷ୍ଟ ପାର୍ଥକ୍ୟ ରହିଥିବା ଘୁମୁସର ଜିଲ୍ଲା ମାନ୍ୟତା କାର୍ଯ୍ୟକାରୀ ହୋଇ ପାରିନଥିଲା । ଆୟତନ ଦୃଷ୍ଟିରୁ ଏହି ଉପଖଣ୍ଡଟି ଅନ୍ୟ ଜିଲ୍ଲା ଅପେକ୍ଷା ବଡ଼ ରହିଛି । ୫ଟି ଏନ୍ଏସି, ୮ଟି ବ୍ଲକ, ୮ଟି ତହସିଲ, ଗୋଟିଏ ସଂସଦୀୟ କ୍ଷେତ୍ର ଓ ୩ଟି ନିର୍ବାଚନମଣ୍ଡଳୀକୁ ନେଇ ଭଞ୍ଜନଗର ଉପଖଣ୍ଡର ପରିଚୟ । ଏହା ସତ୍ତ୍ୱେ ଭଞ୍ଜନଗର ଉପଖଣ୍ଡକୁ ସତନ୍ତ୍ର ଘୁମୁସର ଜିଲ୍ଲାର ମାନ୍ୟତା ଦିଆଯିବାରେ ସ୍ଥାଣୁତା ପରିଲକ୍ଷିତ ହୋଇଛି ।