ଭଞ୍ଜନଗର : ଗୋପାଳ ସ୍ୱାଇଁ ଘଟଣା ଅଭିଯୁକ୍ତ କୁ ଆଜୀବନ କାରାଦଣ୍ଡ

ଭଞ୍ଜନଗର ୦୩/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ଭଞ୍ଜନଗର ଏଡିଜେ ଶେଖ ମହମ୍ମଦ କ୍ୱାଇସ ଗୁରୁବାର କୁରୁଳାଇ ଗ୍ରାମର ଗୋପାଳ ସ୍ବାଇଁ ହତ୍ୟା ମାମଲାର ରାୟ ପ୍ରକାଶ କରିଛନ୍ତି। ୧୧ ବର୍ଷ ପରେ ଅଭିଯୁକ୍ତ ରବୀନ୍ଦ୍ର ଦଳବେହେରାଙ୍କୁ ବିଚାରପତି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ଅଭିଯୁକ୍ତ ଅଧିକ ୧ ବର୍ଷ ଜେଲ ଭୋଗିବେ। ସେହିପରି ମାମଲାର ଆଉ ଜଣେ ଅଭିଯୁକ୍ତ ଶରତ ନାୟକ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ତୃତୀୟ ଅଭିଯୁକ୍ତ ଦେବାଶିଷ ସେଠୀ ଫେରାର ଥିବାରୁ ତାଙ୍କର କୌଣସି ବିଚାର ହୋଇନାହିଁ।ସୂଚନାନୁସାରେ,୨୦୧୪ ଜୁଲାଇ ୧୫ ତାରିଖ ରାତିରେ କୁରୁଳାଇ ଗ୍ରାମର ଗୋପାଳ ଦାଣ୍ଡରେ ଶୋଇଥିଲେ। ତାଙ୍କ ପାଖରେ ଥିବା ୮୫୦ ଟଙ୍କା ଛଡ଼ାଇନେବା ପାଇଁ ଅଭିଯୁକ୍ତମାନେ ଉଦ୍ୟମ କରିଥିଲେ। ଏହାକୁ ନେଇ ଅଭିଯୁକ୍ତ ଓ ଗୋପାଳଙ୍କ ମଧ୍ୟରେ ବଚସା ହୋଇଥିଲା। ଅଭିଯୁକ୍ତ ରବୀନ୍ଦ୍ର ଗୋପାଳଙ୍କୁ ହତ୍ୟା ଧମକ ଦେଇଥିଲେ। ୧୭ ତାରିଖରେ ଗୋପାଳ ଓ ତାଙ୍କ ସାଙ୍ଗ ସୁରେନ୍ଦ୍ର ନାୟକ ମିଶି ହିଞ୍ଜିଳିକାଟୁ ଯାଉଥିଲେ। ଏହି ସମୟରେ ରବୀନ୍ଦ୍ର ଓ ତାଙ୍କର ୨ ସହଯୋଗୀ ନେଟେଙ୍ଗା ସେତୁ ନିକଟରେ ଗୋପାଳଙ୍କୁ ଠେଙ୍ଗାରେ ପିଟି ହତ୍ୟା କରିଥିଲେ। ସୁରେନ୍ଦ୍ର ସେଠାରୁ କୌଶଳକ୍ରମେ ଖସି ଆସିିଥିଲେ। ଗୋପାଳଙ୍କ ପୁଅ ନିରଞ୍ଜନ ସ୍ବାଇଁ ଘଟଣା ସମ୍ପର୍କରେ ଗାଙ୍ଗପୁର ଥାନାରେ ଅଭିଯୋଗ କରିଥିଲେ।ଗୁରୁବାର ଉକ୍ତ ମାମଲାର ରାୟ ପ୍ରକାଶ ପାଇଛି। ସରକାରଙ୍କ ପକ୍ଷରୁ ଉଷାକାନ୍ତ ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ ।

Leave a Reply

Your email address will not be published. Required fields are marked *