
ଭୁବନେଶ୍ବର(ଓଡ଼ିଶା ଟୁଡେ): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ସଂଘର ଦାବି ଗୁରୁବାର ରାତିରେ ପୂରଣ ହୋଇଛି। ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି)ର ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଗତ ସୋମବାର ଦିନ ଆକ୍ରମଣ ଘଟଣାରେ ସଂପୃକ୍ତି ଥିବା ଅଭିଯୋଗରେ ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ଗିରଫ ହେଲା ପରେ ଓଏଏସ୍ ସଂଘ ଆନ୍ଦୋଳନ ପ୍ରତ୍ୟାହାର କରିଛି। ଓଏଏସ୍ ସଂଘ ଗତକାଲି ଠାରୁ ଜରୁରୀକାଳୀନ ସେବାରେ କାର୍ଯ୍ୟରତ ଥିବା ବେଳେ ଆସନ୍ତାକାଲି ଠାରୁ ପୂର୍ବଭଳି କାର୍ଯ୍ୟରେ ଯୋଗଦେବେ ବୋଲି କହିଛନ୍ତି।ସୂଚନାଯୋଗ୍ୟ, ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ଗୁରୁବାର ରାତିରେ ଗିରଫ ହୋଇଛନ୍ତି। ଡିସିପି କାର୍ଯ୍ୟାଳୟରେ ଆତ୍ମସମର୍ପଣ କଲା ପରେ ପୁଲିସ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିଛି। ଏଥି ସହିତ ବିଏମ୍ସିର ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ବିଏମ୍ସିର ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଗତ ସୋମବାର ଦିନ ଆକ୍ରମଣ କରାଯିବା ପରେ ପୁଲିସ ସୋମବାର ୩ଜଣ, ମଙ୍ଗଳବାର ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। କିନ୍ତୁ ଆକ୍ରମଣ ଘଟଣାରେ ଜଗନ୍ନାଥ ପ୍ରଧାନଙ୍କ ସଂପୃକ୍ତି ଥିବା ଦାବି କରିଥିଲା ଓଏଏସ୍ ସଂଘ। ସଂଘ ପକ୍ଷରୁ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ ଦାବି କରାଯାଇଥିଲା। ଗତ ମଙ୍ଗଳବାର ଠାରୁ ଓଏଏସ୍ ସଂଘ ଆନ୍ଦୋଳନ କରିବା ପରେ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥା ଏକପ୍ରକାର ଅଚଳ ହୋଇଯାଇଥିଲା। ଓଏଏସ୍ ସଂଘର ସଭାପତି ଜ୍ୟୋତିରଂଜନ ମିଶ୍ର କହିଛନ୍ତି, ଆମେ ଦୁଇ-ତିନି ଦିନ ସାମୟିକ ଛୁଟିରେ ଥିଲୁ। ଆମେ ଜନସାଧାରଣଙ୍କୁ ସେବା ଯୋଗାଇ ଆସୁଥିଲୁ। ଆଗାମୀ ଦିନରେ ମଧ୍ୟ ସୂଚାରୁ ରୂପେ ସେବା ଯୋଗାଇ ଦେବୁ। କାଲିଠାରୁ ସଂଘର କର୍ମଚାରୀମାନେ ନିଜନିଜ କାର୍ଯ୍ୟରେ ଯୋଗ ଦେବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଉଛୁ। ସେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଆମ ସଂଘର କର୍ମଚାରୀମାନେ ଜରୁରୀକାଳୀନ ସେବାରେ ଯୋଗ ଦେଇଛନ୍ତି। ଆଜି ବନ୍ୟାଞ୍ଚଳରେ ଓଏଏସ୍ ଅଧିକାରୀମାନେ କାମ କରିଛନ୍ତି। ଭୁବନେଶ୍ବର ଡିସିପି ଜଗମୋହନ ମୀନା କହିଛନ୍ତି, ଜଗନ୍ନାଥ ପ୍ରଧାନ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ବିଭିନ୍ନ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଛି। ଆକ୍ରମଣ ଘଟଣାରେ ଏପର୍ଯ୍ୟନ୍ତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।