କ୍ୟାନ୍ସର ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ ଅର୍ଥ ଯୋଗାଡରେ ଲାଗିଛନ୍ତି ଅଟୋ ଚାଳକ ମନୋଜ ମିଶ୍ର

ଭଞ୍ଜନଗର ୦୯/୦୭ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ନିଜର ହକ୍‌ ଦାବି ନେଇ ଡ୍ରାଇଭର ସଂଘ ମଙ୍ଗଳବାରଠାରୁ ଆନ୍ଦୋଳନ ଚଳାଇଛନ୍ତି। କିନ୍ତୁ ଭଞ୍ଜନଗର ଅଟୋ ଚାଳକ ସଂଘର ବରିଷ୍ଠ ସଭ୍ୟ ତଥା ସମାଜସେବୀ ମନୋଜ ମିଶ୍ର ଆଜକୁ ଦୁଇଦିନ ହେବ ଜଣେ ଗରିବ କ୍ୟାନସର ବା କର୍କଟ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ଅର୍ଥ ଯୋଗାଡ଼ରେ ଲାଗି ପଡିଛନ୍ତି। ତେଣୁ ମନୋଜ ବିଗତ ଦୁଇଦିନ ହେବ ଦାନବକ୍ସ ଧରି ଘରକୁ ଘର ବୁଲି ଲୋକଙ୍କୁ ଆର୍ଥିକ ସାହାଯ୍ୟ ଭିକ୍ଷା କରୁଛନ୍ତି। ଟଙ୍କା ଯୋଗାଡ଼ ପରେ ରଞ୍ଜନ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ କଟକ ଯିବେ। ମନୋଜଙ୍କ ଏହିଭଳି ମହାନ କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରୁଛନ୍ତି।ପ୍ରକାଶ ଯେ, ଭଞ୍ଜନଗର ବ୍ଲକ ଲେମ୍ଭେଇର ରଞ୍ଜନ ପ୍ରଧାନ ଭଞ୍ଜନଗରରେ ଏକ ହୋଟେଲରେ କାମ କରି ପରିବାର ଚଳାଉଥିଲେ। ଗତବର୍ଷ ହଠାତ୍‌ ରଞ୍ଜନଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥିଲା। ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ କ୍ୟାନ୍ସର ହୋଇଥିବା ଜଣାପଡିଥିଲା। ଏହାପରେ ରଞ୍ଜନଙ୍କ ପାଖରେ ଥିବା ସ୍ବାସ୍ଥ୍ୟ କାର୍ଡ ଦେଖାଇ ଅପରେଶନ କରିଥିଲେ। ବର୍ତ୍ତମାନ କାର୍ଡରେ ଥିବା ସମସ୍ତ ଅର୍ଥ ସରିଯାଇଛି। କେମୋ ଦେବା ପାଇଁ କଟକ ବଡ଼ ମେଡ଼ିକାଲ ଯିବାକୁ ପଡ଼ୁଛି କିଛି ଦିନକୁ ଥରେ। ରଞ୍ଜନ ରୋଜଗାର ହରାଇବା ପରେ ପରିବାର ଆର୍ଥିକ ସ୍ଥିତି ଦୋହଲି ଯାଇଛି। ଖାଇବା ପାଇଁ ମୁଠେ ଯୋଗାଡ଼ କରିବା କଷ୍ଟକର ହୋଇପଡିଛି। ଶେଷରେ ନାବାଳକ ପୁଅ ଚଳିତ ବର୍ଷ ପାଠପଢ଼ା ଛାଡ଼ି ଏକ ଗ୍ୟାରେଜରେ କାମ କରୁଛନ୍ତି। ଦୁର୍ଦ୍ଦିନରେ ଚଲୁଥିବା ରଞ୍ଜନଙ୍କୁ ବର୍ତ୍ତମାନ ଚିକିତ୍ସା ପାଇଁ ପାଖରେ ଟଙ୍କାଟିଏ ନାହିଁ। ତେଣୁ ଆଜକୁ ଏକ ମାସ ହେବ ରଞ୍ଜନ କେମୋ ଦେବାକୁ କଟକ ଯାଇପାରୁନାହାନ୍ତି ।ଏହି ଖବର ଅଟୋ ଚାଳକ ତଥା ଭଞ୍ଜନଗର ଅଞ୍ଚଳର ଜଣାଶୁଣା ସମାଜସେବୀ ମନୋଜ ମିଶ୍ର ଜାଣିବା ପରେ ତାଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି। ତେଣୁ ମନୋଜ ଦୁଇଦିନ ହେବ ନିଜର ସମସ୍ତ କାର୍ଯ୍ୟ ଛାଡ଼ି ଦାନବାକ୍ସ ଧରି ସହରରେ ଘୁରି ବୁଲୁଛନ୍ତି। ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବୁଲି ବୁଲି କିଛି ଅର୍ଥ ସଂଗ୍ରହ କରୁଛନ୍ତି। ଆଜି ମନୋଜ ସନ୍ଦ୍ୟା ସମୟରେ ଭଞ୍ଜନଗର ଥାନା ରେ ପହଂଚିଥିଲେ ଥାନାଧିକାରୀ ଜୀବନାନନ୍ଦ ଜେନା ପ୍ରଥେମେ କିଛି ଆର୍ଥିକ ସହାୟତା ପ୍ରଦାନ କରିବା ପରେ ଅନ୍ୟ କର୍ମଚାରୀ ମାନେ ମଧ୍ୟ କିଛି କିଛି ସହାୟତା କରିଥିଲେ। ମନୋଜ ଟଙ୍କା ଯୋଗାଡ଼ କରିବା ପରେ ରଞ୍ଜନ ଚିକିତ୍ସା ପାଇଁ କଟକ ହରିହର କେନ୍ସର ମେଡିକାଲ କୁ ଯିବେ ।

Leave a Reply

Your email address will not be published. Required fields are marked *