ଭଞ୍ଜନଗର: ବହୁ ଦିନର ଆଶା ହେବ ପୂରଣ ବିଧାୟକ ଦେଲେ ବଡ଼ ପ୍ରତିଶୃତି

ଭଞ୍ଜନଗର ୨୧/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ଭଞ୍ଜନଗର ସହରତଳି ଲଣ୍ଡେଇସାହି ବାସିନ୍ଦାଙ୍କ ବହୁ ବର୍ଷର ବାଇପାସ ରାସ୍ତା ଆଶା ଆଗାମୀ ଦିନରେ ପୂରଣ ହେବା ସମ୍ଭାବନା ଦେଖାଦେଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଶୁକ୍ରବାର ଅପରାହ୍ନରେ ଲଣ୍ଡେଇସାହି ବାଇପାସ ରାସ୍ତା ହେବାକୁ ଥିବା ଅଞ୍ଚଳ ବୁଲି ଦେଖିଥିଲେ। ଏହି ସମୟରେ ବିଧାୟକ ନାୟକ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ରାସ୍ତା ଖୋଲିବା ଆଶ୍ୱାସନା ବିଧାୟକ ନାୟକ ଅଞ୍ଚଳବାସୀଙ୍କୁ ପ୍ରତିଶ୍ରୁତି ଦେବାପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।ସୂଚନାଯୋଗ୍ୟ ଯେ, ଲଣ୍ଡେଇସାହିକୁ ଲାଗି ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏବଂ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ଭଳି ଅନେକ ଅନୁଷ୍ଠାନ ଗଢି ଉଠିଛି। ବର୍ତ୍ତମାନ ଜନସଂଖ୍ୟା ବୃଦ୍ଧି ଯୋଗୁ ଘର ସଂଖ୍ୟା ମଧ୍ୟ ବହୁତ ବଢ଼ିଯାଇଛି। ଜନସାଧାରଣଙ୍କ ଗମନା ଗମନ ପାଇଁ ଉପଯୁକ୍ତ ରାସ୍ତାଟିଏ ନାହିଁ।ଲଣ୍ଡେଇ ସାହିରେ ଏକ ମାତ୍ର ମୁଖ୍ୟ ରାସ୍ତା ଅଛି। ଉକ୍ତ ରାସ୍ତାଟି ବହୁତ ସଙ୍କୁଚିତ ହୋଇଯାଇଛି। ଦୈନନ୍ଦିନ ଉକ୍ତ ରାସ୍ତାରେ ହଜାର ହଜାର ଛୋଟ ବଡ ଯାନବାହାନ ଚଳାଚଳ କରୁଛି। ରାସ୍ତା ସଙ୍କୁଚିତ ଯୋଗୁ ଦୈନନ୍ଦିନ ଟ୍ରାଫିକ ସମସ୍ୟା ଦେଖା ଦେଇଛି। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ତେଣୁ ଲୋକେ ବାଇପାସ ରାସ୍ତା ର୍ନିମାଣ ପାଇଁ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ଭେଟି ଅନୁରୋଧ କରିଥିଲେ। ବିଧାୟକ ଆଜି ଉକ୍ତ ରାସ୍ତା କିଭଳି ଖୋଲିବ ସେନେଇ ବୁଲି ଦେଖିଥିଲେ।ସୂଚନାଯୋଗ୍ୟ ଯେ, ୧୯୬୦ ମସିହାରେ କେଏସୟୁବି କଲେଜ ନିର୍ମାଣ ହୋଇଥିଲା। ଏହାପରେ ୧୯୮୧ ମସିହାରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ କେଏସୟୁବି କଲେଜକୁ ଲାଗି ହୋଇଥିଲା। କିନ୍ତୁ ଦୁଇ କଲେଜ ମଝିରେ ଏକ ଦଣ୍ଡା ରାସ୍ତା ଥିଲା। ଉକ୍ତ ଦଣ୍ଡା ରାସ୍ତାକୁ ଉଭୟ କଲେଜ ଅକ୍ତିଆର କରି ପାଚେରୀ ନିର୍ମାଣ କରି ଦେଇଥିଲେ।ବହୁବର୍ଷ ପୂର୍ବେ ଉକ୍ତ ରାସ୍ତାର ଆବଶ୍ୟକତା ଏତେ ନ ଥିବା ଯୋଗୁ ଲୋକେ ମଧ୍ୟ ସେ ସମୟରେ ପାଚେରୀ ନିର୍ମାଣକୁ ବିରୋଧ କରି ନ ଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଜନସଂଖ୍ୟା ବୃଦ୍ଧି ଯୋଗୁଁ ବିକଳ୍ପ ରାସ୍ତାର ଆବଶ୍ୟକତା ପଡ଼ିଥିଲା। ଏନେଇ ଲୋକେ ଅନେକ ସମୟରେ ବାଇପାସ ରାସ୍ତା ନିର୍ମାଣ ଦାବିନେଇ ହୋହାଲ୍ଲା କରିଥିଲେ। କିନ୍ତୁ ଲୋକଙ୍କ ଦୁଃଖକୁ କିଏ ଶୁଣି ନ ଥିଲେ। ବର୍ତ୍ତମାନ ବିଧାୟକ ନାୟକ ଉକ୍ତ ସମସ୍ୟାକୁ ସମାଧାନ କରିବା ପାଇଁ ପଦକ୍ଷେପ ନେଇଛନ୍ତି। ବିଧାୟକଙ୍କ ଗସ୍ତ ସମୟରେ କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ, ପ୍ରଶାସନିକ ଅଧିକାରୀ ବିଭାସ ଦାସ, ପ୍ରାଧ୍ୟାପକ କୁମୁନ୍ଦ ଚନ୍ଦ୍ର ମହାପାତ୍ର, ଏମପି ପ୍ରତିନିଧି ରବିନ୍ଦ୍ର ଗୌଡ, ଅବସରପ୍ରାପ୍ତ ମୁଖ୍ୟ କିରାଣୀ ଦାମୋଦର ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ ବିଧାୟକ ଆଜି ଆସନ୍ତା ୧୬ ତାରିଖ ରେ କଲେଜ ପରିଦର୍ଶନରେ ଆସୁଥିବା ବିଧାନସଭା ଷ୍ଟାଣ୍ଡିଂ କମିଟି ୪ ଗସ୍ତ କିଭଳି ସଫଳ ହେବ ସେନେଇ ବିଭାଗୀୟ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ।

Leave a Reply

Your email address will not be published. Required fields are marked *