
ବ୍ରହ୍ମପୁର (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ସରକାରୀ ରେଳବାଇ ପୋଲିସ (ଜିଆରପି) ବୁଧବାର ଇଚ୍ଛାପୁର ନିକଟ ସୁରଳ ରେଳ ଷ୍ଟେସନ ରେଳ ଧାରଣା କଡରୁ ଜଗନ୍ନାଥପ୍ରସାଦ ଆଞ୍ଚଳିକ ଉଚ୍ଚ ମହାବିଦ୍ୟାଳୟ ପ୍ରାଣୀବିଜ୍ଞାନ ପ୍ରାଧ୍ୟାପକ ଭାସ୍କର ଗୌଡ଼ (୫୬)ଙ୍କ ଖଣ୍ଡ ବିଖଣ୍ତିତ ମୃତ ଦେହ ଉଦ୍ଧାର କରିଛି । ଟ୍ରେନ ସମ୍ମୁଖକୁ ଡେଇଁ ଆତ୍ମ ହତ୍ୟା କରିଥିବା ପୋଲିସ ସନ୍ଦେହ କରି ୬୯/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଏମକେସିଜି ମେଡିକାଲ ରେ ଶବ ବ୍ୟବଚ୍ଛେଦ ପରେ ଅନ୍ତ୍ୟେଷ୍ଟି କ୍ରିୟା ନିମନ୍ତେ ପରିବାରବର୍ଗ ପୁରୀ ସ୍ଵର୍ଗଦ୍ଵାର ନେଇଯାଇଥିବା ଜଣା ପଡ଼ିଛି ।ଭାସ୍କର ଗୌଡ଼ ଭଞ୍ଜନଗର ନିକଟସ୍ଥ ବାଉଁଶଲୁଣ୍ଡି ବାସିନ୍ଦା ହୋଇଥିବା ବେଳେ ପିଲାବେଳୁ ସେ ଗାଲେରି ପଞ୍ଚାୟତର ବିଲୁଆପଡ଼ାରେ ବଢ଼ି ଥିଲେ ଓ ପରବର୍ତ୍ତୀ ସମୟରେ ମୁଜାଗଡ ପରିବାର ସହ ଚାଲି ଆସିଥିଲେ । ଭାସ୍କର ଗୌଡ଼ଙ୍କ ଆକସ୍ମିକ ମୃତ୍ୟୁ ସାଙ୍ଗ ସାଥୀ ପରିଜନ ମାନଙ୍କୁ ଝଟକା ସଦୃଶ ହୋଇଛି । ତେବେ ବହୁ ଦିନ ଧରି ବିଭିନ୍ନ ଆଡୁ ଋଣ ଗ୍ରସ୍ତ ହୋଇ ସୁଝି ନପାରି ମାନସିକ ଚାପରେ ରହୁଥିବା ତାଙ୍କ ନିକଟତମ ବନ୍ଧୁ ଓ ସାଥୀମାନେ ପ୍ରକାଶ କରିଛନ୍ତି ।ପ୍ରକାଶ ଥାଉକି ସ୍ବର୍ଗତ ଗୌଡ଼ ପ୍ରାଣୀବିଜ୍ଞାନ ପ୍ରାଧ୍ୟାପକ ଭାବରେ ଅଞ୍ଚଳରେ ବେଶ୍ ଜଣଶୁଣା। ଜଣେ ମିଷ୍ଟଭାଷୀ ମଣିଷ ହଠାତ୍ ଏହିପରି ଚରମ ନିଷ୍ପତ୍ତି ନେବା ତାଙ୍କ ସହକର୍ମୀ ଓ ଛାତ୍ରଛାତ୍ରୀ ମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିବା ସହ ସମସ୍ତଙ୍କ ମନରେ ଶୋକର ଛାୟା ଖେଳି ଯାଇଛି ।