ତାମିଲନାଡୁରେ ଫସିଛନ୍ତି ୯ ଶ୍ରମିକ : ଉଦ୍ଧାର ପାଇଁ ଜିଲ୍ଲାପାଳଙ୍କୁ ଗୁହାରି

ଭଞ୍ଜନଗର ୨୧/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲାକୁ ଦାଦନ ଶ୍ରମିକ ସମସ୍ୟା ପିଛା ଛାଡୁନି। ଅଧିକାଂଶ ଲୋକ ନିଜ ଅଞ୍ଚଳରେ ମନ ପସନ୍ଦର କାମ ପାଉନାହାନ୍ତି। ତେଣୁ ବାଧ୍ୟ ହୋଇ ଦାଦନ ଶ୍ରମିକ ଭାବେ ଅନ୍ୟ ଜିଲାକୁ ଚାଲି ଯାଉଛନ୍ତି। ଦାଦନ ଶ୍ରମିକ ସମସ୍ୟା ଦୂର ପାଇଁ ସରକାର ପ୍ରତିଶ୍ରୁତି ଦେଉଛନ୍ତି। କିନ୍ତୁ ଦିନକୁ ଦିନ ଜିଲାରେ ଦାଦନ ଶ୍ରମିକ ସଂଖ୍ୟା ବଢିବାରେ ଲାଗିଛି। ଏହିଭଳି ପରିସ୍ଥିତିରେ ଅନେକ ସମୟରେ କର୍ମକ୍ଷେତ୍ରରେ ଦାଦନ ଶ୍ରମିକ ମାନେ ନିର୍ଯାତନାର ଶିକାର ହେଉଛନ୍ତି।
ଏହିଭଳି ଗଞ୍ଜାମ ଜିଲା ଭଞ୍ଜନଗର ଏନ ଏ ସି ୱାର୍ଡ ନମ୍ବର୍‌ ୧୦ର ଦୁଇଜଣ ନାବାଳକ ସମେତ ୯ ଜଣ ତାମିଲନାଡୁ ର ଏକ ବିସ୍କୁଟ କମ୍ପାନୀରେ କାମ କରିବା ପାଇଁ ଗତ ଏପ୍ରିଲ ମାସରେ ଯାଇଥିଲେ। କର୍ମକ୍ଷେତ୍ରରେ କମ୍ପାନୀ ପକ୍ଷରୁ ସେମାନଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ଖାଇବାକୁ ଠିକ ଭାବେ ଦିଆଯାଉନାହିଁ। ପାରିଶ୍ରମିକ ମଧ୍ୟ ମିଳୁନାହିଁ। ମାଡ ମରାଯାଉଛି। ପରିବାର ଲୋକଙ୍କ ସହ ଠିକ ଭାବେ ଯୋଗାଯୋଗ ମଧ୍ୟ କରି ପାରୁନାହାନ୍ତି ବୋଲି ଅଭିଯୋଗ ହେଉଛି।
ତେଣୁ ସୋମବାର ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଭଞ୍ଜନଗର ଗସ୍ତରେ ଆସିଥିବା ସମୟରେ
ସଂପୃକ୍ତ ୱାର୍ଡ଼ ବାସିନ୍ଦା ସୁଭଦ୍ରା ନାୟକ ଜିଲାପାଳଙ୍କୁ ଭେଟି ସେମାନଙ୍କୁ ଉଦ୍ଧାର କରିବା ପାଇଁ ନିବେଦନ କରିଥିଲେ। ଜିଲାପାଳ ଏନେଇ ପଦକ୍ଷେପ ନେବାକୁ ଜିଲା ଶ୍ରମ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ପୁର୍ବରୁ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ସୂଚନା ପାଇ ଉପଜିଲାପାଳ ଉମା ଶଙ୍କର ବେହେରାଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ଏଥିସହ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ବିଧାୟକ ଉପଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଏହି ସମୟରେ ଏନଏସି ଅଧକ୍ଷ ଗୋପବନ୍ଧୁ ମହାପାତ୍ର, ବିପ୍ର ଚରଣ ବାରିକ, କାଉନସିଲର ଉପେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *