ବୋମା ଓ ଗୁଳି ମାଡ଼ରେ ଦାଦା ପୁତୁରା ଗୁରୁତର ଆହତ

ବ୍ରହ୍ମପୁର(ଗଞ୍ଜାମ ଜିଲ୍ଲା ପ୍ରତିନିଧି ଅମରେନ୍ଦ୍ର କୁମାର ପଟ୍ଟନାୟକଙ୍କ ରିପୋର୍ଟ, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ ସୁନାନ୍ତର ଗ୍ରାମର ସରପଞ୍ଚଙ୍କ ପିତା ତଥା ପଥର ବ୍ୟବସାୟୀ ନିରଞ୍ଜନ ଯେନା ଘର ନିକଟସ୍ଥ ପୋଖରୀ ହୁଡ଼ାରେ ବସି ଅନ୍ୟ ମାନଙ୍କ ସହ କଥା ହେଉଥିଲା ବେଳେ ହଠାତ୍ ୩ ଟି ମୋଟରସାଇକେଲରେ ୬ ଜଣ ମୁଖା ପିନ୍ଧା ଯୁବକ ଆସି ଅତର୍କିତ ଭାବେ ନିରଞ୍ଜନଙ୍କ ଉପରେ ବୋମାମାଡ କରିଥିଲେ। ବୋମାମାଡ ପରେ ନିରଞ୍ଜନ ଖସି ପଳେଇ ଯିବାକୁ ଚେଷ୍ଟା କରୁଥିବା ବେଳେ ଆକ୍ରମଣକାରୀ ଯୁବକ ମାନେ ତାଙ୍କୁ ଗୁଳି ମାଡ଼ କରିଥିଲେ। ତାଙ୍କର ପିଠି ଓ ଛାତିରେ ଗୁଳି ବାଜିଥିବା ଦେଖି ପୁତୁରା ମାନୁ ଯେନା ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବକମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ତାକୁ ମଧ୍ୟ ଆକ୍ରମଣ କରି ଯୁବକ ମାନେ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ।ଏହି ଭଳି ପରିସ୍ଥିତିରେ ଗାଁ ଲୋକେ ଉଭୟଙ୍କୁ ଚିକିତ୍ସା ପାଇଁ ହିଞ୍ଜିଳି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ନିରଞ୍ଜନଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଗଞ୍ଜାମ ଏସ୍ ପି, ଆସ୍କା ଏସ୍ ଡି ପି ଓ, ହିଞ୍ଜିଳି ଥାନା ଅଧିକାରୀ ଓ ଶେରଗଡ଼ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି। ପୁର୍ବ ଶତୃତାକୁ ନେଇ ଏହି ଘଟଣା ଘଟିଛି ବୋଲି ସ୍ଥାନୀୟ ଲୋକଙ୍କଠାରୁ ଶୁଣିବାକୁ ମିଳିଛି।

Leave a Reply

Your email address will not be published. Required fields are marked *