ଅଷ୍ଟମ ଜାତୀୟ ସୁରକ୍ଷା ରଣନୀତି ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ

ଅଷ୍ଟମ ଜାତୀୟ ସୁରକ୍ଷା ରଣନୀତି ସମ୍ମିଳନୀ/ଏନ୍ଏସ୍ଏସସି ନୂଆଦିଲ୍ଲୀରେ କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଅଭିଭାଷଣ ସହିତ ସମାପ୍ତ ହୋଇଛି। କାର୍ଗିଲ ବିଜୟ ଦିବସ ଅବସରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ଅପରେସନ-ସିନ୍ଦୁର ସମୟରେ ସଶସ୍ତ୍ର ବାହିନୀ ଏବଂ ବିଏସ୍ଏଫ୍ ର ପ୍ରୟାସକୁ ଅଭିବାଦନ ଜଣାଇଥିଲେ। ସେ ଉଲ୍ଲେଖ କରିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ସଂକଳ୍ପ ଏବଂ ଦେଶବାସୀଙ୍କ ସମର୍ଥନ ସମଗ୍ର ବିଶ୍ୱରେ ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତାର ଏକ ଦୃଢ଼ ବାର୍ତ୍ତା ପଠାଇଛି। ଭାରତର ଅର୍ଥବ୍ୟବସ୍ଥା ବିଶ୍ୱସ୍ତରରେ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛି ବୋଲି ଉଲ୍ଲେଖ କରି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଥିଲେ ଯେ ନୂତନ ଏବଂ ଉଦୀୟମାନ ପ୍ରଯୁକ୍ତି, ଷ୍ଟାର୍ଟଅପ୍, ସବୁଜ ଶକ୍ତି ଏବଂ ନବସୃଜନ କ୍ଷେତ୍ରରେ ଭାରତ ଏବେ ବିଶ୍ୱର ଅଗ୍ରଣୀ ରାଷ୍ଟ୍ର। ସେ ଗୁରୁତ୍ୱାରୋପ କରିଥିଲେ ଯେ ଭାରତର ବର୍ଦ୍ଧିତ ପ୍ରତିଷ୍ଠା ଆଗାମୀ ବର୍ଷଗୁଡ଼ିକରେ ଜାତୀୟ ସୁରକ୍ଷା ଆହ୍ୱାନକୁ ବୃଦ୍ଧି କରିବ। ଉନ୍ନତ ସମନ୍ୱୟ ମାଧ୍ୟମରେ ଏହି ଆହ୍ୱାନର ମୁକାବିଲା କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ସେ ରଣନୀତି ପ୍ରସ୍ତୁତ କରିବା, କାର୍ଯ୍ୟକାରୀ କରିବା ଏବଂ ତଦାରଖ କରିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ଏଜେନ୍ସିଗୁଡ଼ିକର ସମଜାତୀୟ ଦଳ ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜାତୀୟ ଆହ୍ୱାନଗୁଡ଼ିକ ଉପରେ ବିଚାରବିମର୍ଶ କରିବା ଏବଂ ସେଗୁଡ଼ିକର ସମାଧାନ କରିବା ଲାଗି ପ୍ରତ୍ୟେକ ରାଜ୍ୟର ଯୁବ ପୁଲିସ ଅଧିକାରୀମାନଙ୍କୁ ସାମିଲ କରିବା ଲାଗି ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ। ସେ ଉଲ୍ଲେଖ କରିଥିଲେ ଯେ ବରିଷ୍ଠ ଅଧିକାରୀମାନେ ଯୁବ ଅଧିକାରୀଙ୍କୁ ମାର୍ଗଦର୍ଶନ କରିବା, ସେମାନଙ୍କୁ ଆହ୍ୱାନଗୁଡ଼ିକ ସହିତ ପରିଚିତ କରାଇବା ଏବଂ ସମାଧାନର ରାସ୍ତା ଦେଖାଇବା ଦିଗରେ ଏହି ସମ୍ମିଳନୀ ଗୁରୁତ୍ୱପୂର୍ଣ୍ଣ। ନାଟ୍‍ଗ୍ରିଡ୍‍, ନିଦାନ, ଆଇଏମ୍ଓଟି ଏବଂ ସିବିଆଇ ର ପଳାତକ ଡାଟାବେସ୍ ଭଳି ଜାତୀୟ ଡାଟାବେସର ବ୍ୟବହାର ସମସ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୁବ ଅଧିକାରୀମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ କରାଯିବା ଉଚିତ ବୋଲି ସେ ଅନୁରୋଧ କରିଥିଲେ। ଦେଶ ସମ୍ମୁଖରେ ଆସୁଥିବା ଆହ୍ୱାନର ମୁକାବିଲା କରିବା ପାଇଁ, ବାସ୍ତବ-ସମୟ ତଥ୍ୟ ଆଦାନପ୍ରଦାନ ପାଇଁ ଏକ ବିଶ୍ୱସନୀୟ ଇକୋସିଷ୍ଟମ ପ୍ରତିଷ୍ଠା କରାଯିବା ଆବଶ୍ୟକ। ମୋଦୀ ସରକାର ବିଭିନ୍ନ ରାଜ୍ୟରେ ବିକ୍ଷିପ୍ତ ହୋଇ ରହିଥିବା ଅନେକ ସମସ୍ୟାର ସମାଧାନ କରିଛନ୍ତି ବୋଲି ଉଲ୍ଲେଖ କରି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଆଗାମୀ ୫ ରୁ ୧୦ ବର୍ଷ ଦେଶର ବିକାଶ ଏବଂ ସୁରକ୍ଷା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। ଭାରତର ଭୂ-ରାଜନୈତିକ ପଡ଼ୋଶୀଙ୍କୁ ଦୃଷ୍ଟିରେ ରଖି ଆଭ୍ୟନ୍ତରୀଣ ସୁରକ୍ଷା ଆହ୍ୱାନ ଗତିଶୀଳ ରହିବ ବୋଲି ଦର୍ଶାଇ ସେ ରାଜ୍ୟ ପୋଲିସ ବାହିନୀ ଏବଂ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସିମାନଙ୍କୁ ‘ସୁରକ୍ଷା, ସଜ୍ଜାଗତା ଏବଂ ସମନ୍ୱୟ’ (ସୁରକ୍ଷା, ସତର୍କତା ଏବଂ ସମନ୍ୱୟ) ର ଲକ୍ଷ୍ୟ ଗ୍ରହଣ କରିବାକୁ ଆହ୍ୱାନ କରିଥିଲେ। ବାମପନ୍ଥୀ ଉଗ୍ରବାଦୀ ସହିତ ଉତ୍ତର-ପୂର୍ବ ଏବଂ ଜାମ୍ମୁ କାଶ୍ମୀର ଆହ୍ବାନର ସଫଳ ମୁକାବିଲାକୁ ପ୍ରଶଂସା କରି ସେ ଡିଜିଏସପି ଙ୍କୁ ତିନୋଟି ନୂତନ ଅପରାଧିକ ଆଇନର ପ୍ରଭାବଶାଳୀ କାର୍ଯ୍ୟକାରିତା ଏବଂ ନିଶାଦ୍ରବ୍ୟର ଆହ୍ୱାନର ମୁକାବିଲା ପାଇଁ ସମାନ ଆଭିମୁଖ୍ୟ ଗ୍ରହଣ କରିବାକୁ କହିଥିଲେ। ସେ ନାର୍କୋ-ଅପରାଧୀଙ୍କ ପ୍ରତ୍ୟର୍ପଣ ଉପରେ ଧ୍ୟାନ ଦେବା ବ୍ୟତୀତ ବଡ଼ ନିଶା କାରବାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାରେ ଉପରରୁ ତଳ ଏବଂ ତଳରୁ ଉପର ଆଭିମୁଖ୍ୟର ଆବଶ୍ୟକତାକୁ ସମର୍ଥନ କରିଥିଲେ। ‘‘ନିଶା ମୁକ୍ତ ଭାରତ” ଦିଗରେ ଆଗାମୀ ତିନି ବର୍ଷ ପାଇଁ ଏହାକୁ ପୁଲିସର ମୁଖ୍ୟ ଏଜେଣ୍ଡାରେ ପରିଣତ କରିବା ଲାଗି ଡିଜିଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ପୋଲିସ ଷ୍ଟେସନ ଗୁଇନ୍ଦା ତଥ୍ୟ ସଂଗ୍ରହ କରିବାର କେନ୍ଦ୍ରବିନ୍ଦୁ ବୋଲି ଦର୍ଶାଇ ସେ ପୋଲିସ ନେତୃତ୍ୱଙ୍କୁ ପୋଲିସ ଷ୍ଟେସନ ସ୍ତର ପର୍ଯ୍ୟନ୍ତ ବାସ୍ତବ ସମୟ ସୂଚନା ବାଣ୍ଟିବା ପାଇଁ ଏକ ବିଶ୍ୱସନୀୟ ପ୍ଲାଟଫର୍ମ ବିକଶିତ କରିବାକୁ ଆହ୍ୱାନ କରିଥିଲେ।ନାଗରିକମାନଙ୍କ ଜୀବନ, ସମ୍ପତ୍ତି ଏବଂ ମର୍ଯ୍ୟାଦାର ସୁରକ୍ଷା ପାଇଁ ପୋଲିସର ପ୍ରାଥମିକ କର୍ତ୍ତବ୍ୟ ଉପରେ ଗୁରୁତ୍ୱାରୋପ କରି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ପ୍ରତ୍ୟେକ ରାଜ୍ୟ ପୋଲିସ ବାହିନୀ ଏବଂ କେନ୍ଦ୍ରୀୟ ଏଜେନ୍ସିକୁ ଉତ୍କର୍ଷତା ଦିଗରେ ପ୍ରୟାସ କରିବାକୁ ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ଆହ୍ୱାନର ମୁକାବିଲା ପାଇଁ ସୁସ୍ଥ ପ୍ରତିଦ୍ୱନ୍ଦ୍ୱିତାର ଭାବନା ପୋଷଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳରେ ସାମଗ୍ରିକ ବିକାଶର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ଅମିତ ଶାହ ଡିଜିପି ମାନଙ୍କୁ ରାଜ୍ୟ ପ୍ରଶାସନ ସହିତ ସମନ୍ୱୟ ରକ୍ଷା କରିବା ଲାଗି ଅନୁରୋଧ କରିଥିଲେ, ଯାହାଦ୍ୱାରା ତୃଣମୂଳ ସ୍ତରରେ ୩୦୦ରୁ ଅଧିକ କେନ୍ଦ୍ରୀୟ ଏବଂ ରାଜ୍ୟ ବିକାଶ ଯୋଜନାର କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରାଯାଇପାରିବ। ଆମ ସାମୁଦ୍ରିକ ସୀମାରେ ଛୋଟ ଛୋଟ ବନ୍ଦରଗୁଡ଼ିକର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ଶାହ ଅନୁପ୍ରବେଶ ଏବଂ ଚୋରାଚାଲାଣ କାର୍ଯ୍ୟକଳାପର ମୁକାବିଲା ପାଇଁ ରାଜ୍ୟ ପୋଲିସର ଦକ୍ଷତା ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଆତଙ୍କବାଦ ବିରୋଧୀ ପଦକ୍ଷେପଗୁଡ଼ିକର ମଧ୍ୟ ସମୀକ୍ଷା କରିଥିଲେ ଏବଂ ବାରମ୍ବାର ଅପରାଧ ଘଟାଉଥିବା ଅପରାଧୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Leave a Reply

Your email address will not be published. Required fields are marked *