
ଯାଜପୁର(ଅଭିମନ୍ୟୁ ମିଶ୍ରଙ୍କ ରିପୋର୍ଟ, ଓଡ଼ିଶା ଟୁଡେ) : ଜନ୍ମଦିନକୁ କିଏ କିପରି ପାଳନ କରିବ ଏହା ଏକ ବ୍ୟକ୍ତିଗତ ନିଷ୍ପତି ନିଶ୍ଚୟ l ବର୍ତମାନ ସମୟରେ ଲୋକଙ୍କ ଚିନ୍ତା ଧାରା ବଦଳିଲାଣି l ନିଜ ଜନ୍ମଦିନରେ ପରୋପକାରୀ କାର୍ଯ୍ୟ କରି ନିଜର ବିଶେଷ ଦିନକୁ ଅଧିକ ସ୍ମରଣୀୟ କରି ପାଳନ କରୁଛନ୍ତି ଯୁବପିଢ଼ି l ସେହିପରି ଜନ୍ମଦିନରେ କର୍କଟ ରୋଗରେ ଆକ୍ରାନ୍ତ ହୋଇ କେଶ ହରାଉଥିବା ବ୍ୟକ୍ତି ବିଶେଷଙ୍କ ଉଦ୍ଦେଶ୍ୟରେ କେଶ ଦାନ କରିଛନ୍ତି ଯୁବ ସାମ୍ବାଦିକା ପ୍ରାର୍ଥନା ଦାସ୍ l ସାମାଜିକ ଅନୁଷ୍ଠାନ “ଶୋପଭା ସ୍ବେଚ୍ଛାସେବୀ ଅନୁଷ୍ଠାନ” ସହଯୋଗରେ “କେଶ ଥିଲେ ଦିଅନ୍ତୁ, ନଥିଲେ ନିଅନ୍ତୁ” ଅଭିଯାନରେ ସାମିଲ ହୋଇ କେଶ ଦାନ କରିଛନ୍ତି l ଯାଜପୁର ଜିଲ୍ଲା କୋରାଇ ବ୍ଲକ ଅନ୍ତର୍ଗତ ବନ୍ଦାଳୋ ପଂଚାୟତ ଚୌଧୁରୀ ପାଟଣା ଗାଁର ଅର୍ଜୁନ ଚରଣ ଦାସ୍ ଓ ଦିପ୍ତିମୟୀ ଦାସଙ୍କ ସାନ ଝିଅ ପ୍ରାର୍ଥନା 13 ଇଞ୍ଚ କେଶ ଦାନ କରିଛନ୍ତି l କେଶ ଦାନ ଅଭିଯାନ ଚଳାଇ ଆସୁଥିବା ଅଗ୍ରଣୀ ସାମାଜିକ ଅନୁଷ୍ଠାନ “ଶୋପଭା” ଅନୁଷ୍ଠାନ ପକ୍ଷରୁ ପ୍ରାର୍ଥନାଙ୍କୁ ପ୍ରଶଂସା କରାଯିବା ସହ ଏକ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି l ପ୍ରାର୍ଥନା ପେସାରେ ଜଣେ ସାମ୍ବାଦିକା ହେବl ସହ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜୟ ମହାକାଳ ଫାଉଣ୍ଡେସନ ଏବଂ କ୍ୟାନ୍ସର ହେଲପିଂ ଉଇଙ୍ଗର ଜଣେ ସକ୍ରିୟ ସଦସ୍ୟ l

ତେବେ କର୍କଟ ରୋଗୀଙ୍କ ପାଇଁ କେଶ ଦାନ କରିବାକୁ କେବେଠୁ ଇଛା ଥିବା ସହ ଏମିତି ଏକ ମହତ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିବାରୁ ଆତ୍ମସନ୍ତୋଷ ମିଳିଥିବା କହିଛନ୍ତି ପ୍ରାର୍ଥନା ଏବଂ ଅନ୍ୟ ମାନଙ୍କୁ ମଧ୍ୟ କ୍ୟାନ୍ସର ପୀଡ଼ିତଙ୍କ ପାଇଁ କେଶ ଦାନ କରିବାକୁ ଅନୁରୋଧ କରିଛନ୍ତି l କ୍ୟାନ୍ସର ପୀଡିତଙ୍କ କେଶ ଦାନ ପାଇଁ କାର୍ଯ୍ୟରତ ଥିବା ଶୋପଭା ଟ୍ରଷ୍ଟର ମୁଖ୍ୟ ହରପ୍ରିୟା ନାୟକ ମ୍ୟାଡ଼ାମଙ୍କୁ ପ୍ରାର୍ଥନା ଧନ୍ୟବାଦ ଜଣାଇଛନ୍ତି lଏହି ମହତ କାର୍ଯ୍ୟ ପାଇଁ ପ୍ରାର୍ଥନାଙ୍କ ଭାଇ ପ୍ରଦୀପ କୁମାର ଦାସ ଉତ୍ସାହିତ କରିବା ସହ ପରିବାରବର୍ଗ, ବନ୍ଧୁବାନ୍ଧବ ଏବଂ ଗ୍ରାମବାସୀ ଏହି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି l ଆଗକୁ ଅଙ୍ଗଦାନ କରିବାକୁ ଇଛା ଥିବା ନେଇ ପ୍ରାର୍ଥନା ପ୍ରକାଶ କରିଛନ୍ତି l