
ଭୁବନେଶ୍ବର: ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟରେ ନାହାନ୍ତି ମହାବଳ ବାଘ । ଦେବ୍ରିଗଡ ବାଘ ପକଳ୍ପକୁ ଆଗକୁ ବଢାଇବା ପାଇଁ ଯୋଜନା କରାଯାଉଛି । କେବଳ ଶିମିଳିପାଳ ବାଘ ଅଭୟାରଣ୍ୟ ଓଡ଼ିଶାରେ ମହାବଳଙ୍କ ସ୍ଥିତିକୁ ବଜାୟ ରଖିଛି । ଅନ୍ୟପଟରେ ଶିମିଳିପାଳରେ କଳା ବାଘଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗୋଟିଏ ସମୟରେ ଏଠାରେ ହାତଗଣତି ବିରଳ କଳା ବାଘ ରହିଥିବା ବେଳେ ମହାବଳ ସଂଖ୍ୟା ବୃଦ୍ଧି ହେଲାଣି । ଯମୁନା ଓ ଜୀନତ ଦୁଇ ବାଘୁଣୀର ଯୋଜନା ସଫଳ ହେଲେ ଆସନ୍ତା ବର୍ଷକୁ ଆହୁରି ବାଘ ଆସିବେ ବୋଲି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ ପ୍ରେମ କୁମାର ଝା ।ଖୁବଶୀଘ୍ର ଶିମିଳିପାଳକୁ ଆସିବ ନୂଆ ଅତିଥି:ବନ୍ୟପ୍ରାଣୀ ପିସିସିଏଫ ପ୍ରେମ କୁମାର ଝା କହିଛନ୍ତି, “ଶିମିଳିପାଳକୁ ଜୀନତ ଓ ଯମୁନା ଆସିବା ପରେ ଆହୁରି ବାଘଙ୍କୁ ଆଣିବାକୁ ଯୋଜନା କରାଯାଇଛି । ବର୍ତ୍ତମାନ ସମୟରେ ଶିମିଳିପାଳକୁ ଦୁଇଟି ପୁରୁଷ ବାଘ ଏବଂ ଦୁଇଟି ବାଘୁଣୀ ଆସିବା ନେଇ ଯୋଜନା କରାଯାଉଛି । ଯେହେତୁ ଯମୁନା ଓ ଜୀନତ ଦୁଇ ବାଘୁଣୀ ରହିଛନ୍ତି, ସେମାନଙ୍କର ବ୍ୟବହାର ଓ ପରିବେଶ ସହିତ କିପରି ଖାପ ଖୁଆଇଲା ଭଳି ଆଚରଣ କରୁଛନ୍ତି ସେନେଇ ମଧ୍ୟ ଅନୁଧ୍ୟାନ କରାଯାଉଛି । ଏକ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ଦୁଇ ବାଘଙ୍କୁ ଦେଖି ଆଗକୁ ଆହୁରି ଶିମିଳିପାଳକୁ ବାଘ ଆସିବାର ମଧ୍ୟ ଯୋଜନା କରାଯାଉଛି । ଯଦି ଏହା ସଫଳ ହୁଏ ତେବେ ପ୍ରାଥମିକ ପକ୍ରିୟାରେ ଆସନ୍ତା ବର୍ଷ ଗୋଟିଏ ମାତ୍ର ପୁରୁଷ ବାଘ ଆସିବା ନେଇ ଯୋଜନା ରହିଛି । ଏହି ବାଘ ବିଶେଷ କରି ମହାରାଷ୍ଟ୍ର, ମଧ୍ୟପ୍ରଦେଶ ସମେତ ଉତ୍ତରାଖଣ୍ଡରୁ ଆସିବା ନେଇ ଯୋଜନା କରାଯାଉଛି ।ବାଘ ଶୂନ୍ୟ ହୋଇଯାଇଛି ସାତକୋଶିଆ:ବନ୍ୟପ୍ରାଣୀ ପିସିସିଏଫ ପ୍ରେମ କୁମାର ଝା କହିଛନ୍ତି, ସାତକୋଶିଆକୁ ବର୍ତ୍ତମାନ ସମୟରେ କୌଣସି ବାଘ ଆଣିବାକୁ ଯୋଜନା ନାହିଁ । ଏପଟେ ରାଜ୍ୟରେ ମାତ୍ର ଦୁଇଟି ଟାଇଗର ରିଜର୍ଭ ଶିମିଳିପାଳ ଓ ସାତକୋଶିଆ ରହିଛି । ବର୍ତ୍ତମାନ ସମୟରେ ଶିମିଳିପାଳରେ ବାଘ ରହିଛନ୍ତି । ବିଶେଷ ଭାବରେ ନର୍ମାଲ ଟାଇଗର ଓ ଅନ୍ୟଟି ବ୍ଲାକ ଟାଇଗର ଅର୍ଥାତ ମେଲାନିଷ୍ଟିକ ବାଘ ରହଛି । ୪ ବର୍ଷରେ ଥରେ ବାଘ ଗଣନା କରାଯାଉଛି । ଶିମିଳିପାଳରେ ବାଘଙ୍କ ସଂଖ୍ୟା ରହିଛି ୩୦ ଓ ଅନେକ ଶାବକ ରହିଛନ୍ତି । ସେମାନଙ୍କୁ ୨ ବର୍ଷ ହେଲା ପରେ ଗଣନାରେ ସାମିଲ କରାଯିବ ।ଅନ୍ୟପଟେ ସାତକୋଶିଆରେ ୫ ବର୍ଷ ପୂର୍ବରୁ ଟାଇଗର ରହିଥିଲେ, ବର୍ତ୍ତମାନ ସେଠି ଆଉ ବାଘ ନାହାନ୍ତି । ବର୍ତ୍ତମାନ ସମୟରେ ଏଠାରେ କୌଣସି ଗୋଟିଏ ବି ବାଘ ନାହାନ୍ତି । ଏହାକୁ ନେଇ ଆଗକୁ ମଧ୍ୟ କୌଣସି ଯୋଜନା କରାଯାଇନାହିଁ ।
ଦେବ୍ରିଗଡକୁ ମଧ୍ୟ ଏକ ବାଘ ପ୍ରକଳ୍ପ କରିବା ନେଇ ଯୋଜନା କରାଯାଉଛି । ଏହାରି ମଧ୍ୟରେ କେନ୍ଦ୍ର ସରକାର ଟାଇଗର ରିଜର୍ଭ କରିବା ପାଇଁ ଚିଠି ମଧ୍ୟ କରିଛନ୍ତି । ଏହାକୁ ନେଇ ରାଜ୍ୟ ସରକାର ଏକ ଟିମ ଗଠନ କରିଛନ୍ତି । ଏହି ଟିମ ଦେବ୍ରିଗଡ଼ ଯାଇ ସେଠାକାର ସମସ୍ତ ବ୍ୟବସ୍ଥା ଦେଖିବେ, ଏହି ପ୍ରକଳ୍ପ ପାଇଁ ପରିବେଶ କିପରି ରହିଛି ତାହା ସବୁ ପରିଲକ୍ଷିତ କରିବେ । ପରବର୍ତ୍ତୀ ସମୟରେ ପ୍ରକଳ୍ପର ଗତି ଆଗକୁ ଯିବ ବୋଲି କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ ।ମେଲାନିଷ୍ଟିକ ବାଘର ପ୍ରଜାନନ ପାଇଁ ଗୁରୁତ୍ଵ:ନନ୍ଦନକାନନରେ ମେଲାନିଷ୍ଟିକ ବାଘର ପ୍ରଜାନନ ପାଇଁ ଗୁରୁତ୍ଵ ଦିଆଯାଉଛି । ପ୍ରଜନନ ନନ୍ଦନକାନନରେ ଚାଲିଛି । ସାରା ଭାରତରେ ଏବେ ୩୭୦୦ ବାଘ ରହିଛନ୍ତି । ଏବେ ନନ୍ଦନକାନନରେ ୨୯ଟି ବାଘ ଅଛନ୍ତି । ୧୯ଟି ସାଧାରଣ ରଙ୍ଗର ବାଘ, ୬ଟି ଧଳା ରହିଥିବା ବେଳେ ୪ଟି ମେଲେନାଷ୍ଟିକ ବାଘ ରହିଛନ୍ତି । ପ୍ରତ୍ୟେକ ବର୍ଷ ବାଘ ସଂଖ୍ୟା ବଢୁଛି । ନିକଟସ୍ଥ ଚିଡିଆଖାନାରେ ଏକ୍ସଚେଞ୍ଜ କରାଯାଉଛି । ସେଣ୍ଟର ଜୁ ଅଥୋରିଟିଙ୍କ ଠାରୁ ଅନୁମତି ପାଇଲେ ନୂଆ ବାଘ ଆସିବାର ସମ୍ଭାବନା ରହିଛି । ମେଲାନିଷ୍ଟିକ ଟାଇଗର ପ୍ରଜନନ ପାଇଁ ବେଶ ପ୍ରାଧାନ୍ୟ ଦିଆଯାଉଛି ବୋଲି କହିଛନ୍ତି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସହକାରୀ ବନ ସଂରକ୍ଷକ ଡକ୍ଟର ରୁଦ୍ର ପ୍ରସାଦ ରଥ ।ମେଲାନାଷ୍ଟିକ ବାଘ ଦେଖିବାକୁ କିଭଳି ?ମେଲାନିଷ୍ଟିକ ବାଘର ବିଶେଷତଃ, ସିକ୍ରେସନ ପିଗମେଣ୍ଟ ଅଧିକ ହେବା କାରଣରୁ ଶରୀରରେ ଥିବା ଛିଟ ଦାଗ ଦେଖାଯାଏନି ବା ହଳଦିଆ ରଙ୍ଗ ଲୁଚିଯାଏ । ସାଧାରଣ ଭାବେ ବାଘଟି କଳା ରଙ୍ଗର ଦେଖାଯାଇଥାଏ । ଅର୍ଥାତ ବାଘର ଶରୀରରେ କଳା ଗାର ପଡ଼ିଯାଏ । ବର୍ତ୍ତମାନ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ସମେତ ବିଭିନ୍ନ ଜିଲ୍ଲାରେ କଳାବାଘ ସନ୍ଧାନ ମିଳିଛି । ବାଘ ଗଣନା ପାଇଁ ବନ ବିଭାଗ ପକ୍ଷରୁ ଲଗାଯାଇଥିବା କ୍ୟାମେରାରେ କଏଦ ଫଟୋ ଏବଂ ଭିଜୁଆଲରୁ କଳା ବାଘ ଚିହ୍ନଟ ହୋଇଛି ।ପ୍ରାକୃତିକ ସୌନ୍ଦର୍ଯ୍ୟର ଭରପୁର ଶିମିଳିପାଳ ଅଭୟାରଣ୍ୟ:ବିଶ୍ୱ ଦରବାରରେ ପ୍ରଶଂସା ସାଉଁଟିଛି ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ । ରାଜ୍ୟ ରାଜଧାନୀ ଭୁବନେଶ୍ବରରୁ ପାଖାପାଖି ୧୯୦ କିଲୋମିଟର ଦୂର ଏବଂ ୨୭୫୦ ବର୍ଗ କିଲୋମିଟର ପରିମିତ ଅଭୟାରଣ୍ୟରେ ଚିହ୍ନଟ ହୋଇଛନ୍ତି କଳାବାଘ (Melanistic Black Tiger) । ଏବେ ରାଜ୍ୟ ପରିବେଶ ଏବଂ ଜଙ୍ଗଲ ବିଭାଗର ପ୍ରୟାସରେ ଜିଲ୍ଲାର ମୁଖ୍ୟାଳୟ ବାରିପଦା ଠାରୁ ମାତ୍ର ୧୦ କିଲୋମିଟର ଦୂରରେ ‘ବିଶ୍ବର ପ୍ରଥମ କଳାବାଘ ସଫାରୀ’ ହେବାକୁ ଯାଉଛି । ଏହା କେବଳ ପର୍ଯ୍ୟଟକଙ୍କ ମନମୋହିବ ତାହା ନୁହେଁ, ବରଂ ବିରଳ କଳାବାଘ ପ୍ରଜାତିର ବଂଶବୃଦ୍ଧି ଓ ସୁରକ୍ଷା ପାଇଁ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେବ ।