ଭୟଙ୍କର ଭୂକମ୍ପରେ ଥରିଲା ରୁଷିଆ ଓ ଜାପାନ; ଭୂକମ୍ପ ପରେ ମାଡି ଆସିଲା ସୁନାମୀ

ଟୋକିଓ: ବୁଧବାର ସକାଳୁ ସକାଳୁ ରୁଷିଆ ଏବଂ ଜାପାନରେ ବଡ ଧରଣର ଭୂମିକମ୍ପ ଅନୁଭୂତ ହୋଇଯାଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 8.7 ବୋଲି ଜଣା ଯ।ଇଛି । ଭୂମିକମ୍ପ ପରେ ଏଠାରେ ବଡ ଧରଣର ସୁନାମୀ ଆସିଛି । ରୁଷିଆର କୁରିଲ ଦ୍ୱୀପପୁଞ୍ଜ ଏବଂ ଜାପାନର ବିଶାଳ ଉତ୍ତର ଦ୍ୱୀପ ହୋକାଇଡୋର ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମି ଆସିଛି।ଜାପାନ ପାଣିପାଗ ସଂସ୍ଥା ପକ୍ଷରୁ କୁହାଯାଇଛି, ହୋକାଇଡୋର ପୂର୍ବ ଉପକୂଳରେ ପ୍ରାୟ 30 ସେଣ୍ଟିମିଟର (ପ୍ରାୟ 1 ଫୁଟ)ର ପ୍ରଥମ ସୁନାମୀ ଲହରୀ ଆସି ନେମୁରୋରେ ପହଞ୍ଚିଥିଲା। ସ୍ଥାନୀୟ ଗଭର୍ଣ୍ଣର ଭାଲେରି ଲିମାରେଙ୍କୋଙ୍କ କହିବା ଅନୁଯାୟୀ, ପ୍ରଶାନ୍ତ ମହାସାଗରରେ ରୁଷିଆର କୁରିଲ ଦ୍ୱୀପର ମୁଖ୍ୟ ବସତି ସେଭେରୋ-କୁରିଲସ୍କର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରଥମ ସୁନାମି ଲହରୀ ପହଞ୍ଚିଥିଲା ।

ପୁନର୍ବାର ସୁନାମୀ ଆସିବା ଆଶଙ୍କାରେ ସ୍ଥାନୀୟ ବାସିନ୍ଦାଙ୍କୁ ସୁରକ୍ଷିତ ଅଛନ୍ତି ଏବଂ ଉଚ୍ଚ ଜାଗାରେ ରଖା ଯାଇଛି ।”ଦ ପେସିଫିକ ସୁନାମୀ ୱାର୍ଣ୍ଣିଂ ସେଣ୍ଟର” ପକ୍ଷରୁ କୁହାଯାଇଛି, ହାୱାଇ, ଚିଲି, ଜାପାନ ଏବଂ ସୋଲମନ ଦ୍ୱୀପର ଉପକୂଳ ଅଞ୍ଚଳକୁ ସୁନାମୀ ଭୟ ରହିଛି । ଏଠାରେ ପ୍ରାୟ 1ରୁ 3 ମିଟର ଉଚ୍ଚତାରେ ସୁନାମୀ ଆଶଙ୍କା ଥିବା ନେଇ ସତର୍କତା ଜାରି କରାଯାଇଛି । ସେହିପରି ରୁଷିଆ ଏବଂ ଜାପାନ ଉପକୂଳରେ ମଧ୍ୟ 3 ମିଟର ଉଚ୍ଚରେ ସୁନାମୀ ଆଶଙ୍କା ଥିବା କୁହାଯାଇଛି ।”ଦ ପେସିଫିକ ସୁନାମୀ ୱାର୍ଣ୍ଣିଂ ସେଣ୍ଟର” କହିଛି, ଭୂମିକମ୍ପ ଯୋଗୁଁ ସୁନାମି ସୃଷ୍ଟି ହୋଇଛି । ଏହା ସମସ୍ତ ହାୱାଇ ଦ୍ୱୀପର ଉପକୂଳରେ କ୍ଷତି ଘଟାଇପାରେ । ଜୀବନ ଏବଂ ସମ୍ପତ୍ତି ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନିଆଯିବା ଉଚିତ ବୋଲି କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି ।

ଏଠି କହିରଖିବୁ, ପ୍ରଥମ ଲହରୀ ସ୍ଥାନୀୟ ସମୟ ମଙ୍ଗଳବାର ସନ୍ଧ୍ୟା 7 ଟା ସମୟରେ ଅନୁଭୂତ ହୋଇଥିଲା।ଜାପାନ ଏବଂ ଆମେରିକୀୟ ଭୂକମ୍ପବିଜ୍ଞାନୀଙ୍କ କହିବା ଅନୁଯାୟୀ, ସକାଳ 8:25 ରେ ହୋଇଥିବା ଭୂମିକମ୍ପର ପ୍ରାରମ୍ଭିକ ତୀବ୍ରତା 8.0 ଥିଲା। ଜାପାନ ଏବଂ ଆମେରିକୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ ପରେ ଏହାର ତୀବ୍ରତା 8.7 ଥିବା କୁହାଯାଇଛି ।ଅନ୍ୟପକ୍ଷେ ରୁଷର ଟାସ ସମାଚାର ଏଜେନ୍ସି ସୂଚନା ଅନୁସାରେ, ପେଟ୍ରୋପାଭଲୋଭସ୍କ-କାମଚାଟସ୍କି ସହରରେ ବଡ ଧରଣର ଭୂକମ୍ପ ଆସିଥିଲା । ଭୟରେ ଲୋକମାନେ ରାସ୍ତା ଉପରେ ଦୌଡୁଥିବା ଦେଖିବାକୁ ମିଳିଥିଲା । ଘର ଭିିତରେ ଆଲମିରାସବୁ ତଳେ ପଡି ଯାଇଥିଲା, କାଚ ସାମଗ୍ରୀ ତଳେ ପଡିଥିବା ଦେଖିବାକୁ ମିଳିଛି । ବଡ ବଡ କୋଠା ହଲିବାକୁ ଲାଗିଥିଲା । ବିଦ୍ୟୁତ ସରବରାହ ବନ୍ଦ ଥିବାରୁ ମୋବାଇଲ ସେବା ବନ୍ଦ ହୋଇଯାଇଛି ।ଟାସ୍ ଜଣେ ସ୍ଥାନୀୟ ରୁଷିଆନ୍ ଅଧିକାରୀଙ୍କ ଉଦ୍ଧୃତି ଦେଇ କହିଛି, ସାଖାଲିନ୍ ଦ୍ୱୀପର ବାସିନ୍ଦାମାନଙ୍କୁ ସ୍ଥାନାନ୍ତର କରାଯାଉଛି ଏବଂ ଜରୁରୀକାଳୀନ ସେବା ଯୋଗାଇ ଦିଆଯାଇଛି ।

ଆଲାସ୍କା ସ୍ଥିତ ଜାତୀୟ ସୁନାମି ଚେତାବନୀ କେନ୍ଦ୍ର ଆଲାସ୍କା ଆଲୁଟିଆନ୍ ଦ୍ୱୀପର କିଛି ଇଲାକାରେ ସୁନାମି ଭୟ ରହିଥିବା ନେଇ ସତର୍କ ସୂଚନା ଜାରି କରିଛି । କାଲିଫର୍ନିଆ, ଓରେଗନ୍, ୱାଶିଂଟନ୍ ଏବଂ ହାୱାଇ ସମେତ ପଶ୍ଚିମ ଉପକୂଳର କିଛି ଅଂଶ ପାଇଁ ଏକ ସତର୍କତା ଜାରି କରାଯାଇଛି।୧୯୫୨ ନଭେମ୍ବର ୪ ତାରିଖରେ କାମଚାଟକାରେ ସବୁଠାରୁ ବଡ ଭୂମିକମ୍ପ ଆସିଥିଲା ଯାହାର ତୀବ୍ରତା ଥିଲା ୯.୦ । ଭୂମିକମ୍ପ ଯୋଗୁଁ ହାୱାଇରେ ୯.୧ ମିଟର (୩୦ ଫୁଟ) ସୁନାମୀ ଲହରୀ ସୃଷ୍ଟି ହୋଇଥିଲା । ତେବେ ଏହି ଘଟଣାରେ କାହାରି ଜୀବନ ଯାଇଥିବା ସୂଚନା ସାମ୍ନାକୁ ଆସି ନ ଥିଲା ।

Leave a Reply

Your email address will not be published. Required fields are marked *