ନରହନ୍ତା ଦନ୍ତା: ଶୌଚ ପାଇଁ ଯାଇଥିଲେ 3 ଜଣଙ୍କୁ କଚାଡି ମାରିଲା ହାତୀ

ଢେଙ୍କାନାଳ: ବିଲକୁ ଶୌଚ ହେବାକୁ ଯାଇଥିଲେ ଦନ୍ତା ଆକ୍ରମଣରେ ଚାଲିଗଲା 3 ଜୀବନ । ଆଜି ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବନାଞ୍ଚଳ ରାସୋଳ ସେକ୍ସନ ବାଘଧରିଆ ଗାଁରେ ଘଟିଛି ଏହି ଦୁଃଖଦ ଘଟଣା । ହାତୀ ଆକ୍ରମଣରେ ଜଣେ ପୁରୁଷ ଓ 2 ଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଗାଁଲୋକେ ରାସ୍ତା ଉପରେ ମୃତଦେହ ରଖି ପୁରୁଣା କଟକ ସମ୍ବଲପୁର ରାସ୍ତାର ସାତମାଇଲ ଛକରେ ରାସ୍ତା ଅବରୋଧ କରିଥିଲେ । ସେପଟେ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ।

କଚାଡି ମାରିଲା ଦନ୍ତା:ଆଜି(ଗୁରୁବାର) ସକାଳେ ବାଘଧରିଆ ଗ୍ରାମର କରୁଣାକର ଦେହୁରୀ, ଝୁଲଣ ଦେହୁରୀ ଓ ଶଶି ସାହୁ ବିଲକୁ ଶୌଚ ହେବାକୁ ଯାଇଥିଲେ । ଏହି ସମୟରେ ଏକ ଦନ୍ତା ସେମାନଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲା । କଚାଡି ପିଙ୍ଗି ଦେଇଥିଲା । ଫଳରେ ଘଟଣାସ୍ଥଳରେ କରୁଣାକର ଦେହୁରୀ ଓ ଝୁଲଣ ଦେହୁରୀଙ୍କ ମୃତ୍ୟୁ ହୋଇଥିବା ବେଳେ ମେଡିକାଲ ନେବା ବାଟରେ ପ୍ରାଣ ହରାଇଥିଲେ ଶଶି ସାହୁ ।

ରାସ୍ତାରେ ମୃତଦେହ ରଖି ପ୍ରତିବାଦ:ହାତୀ ଉପଦ୍ରବକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା । ଗାଁର ଉତ୍ୟକ୍ତ ଲୋକେ ପୁରୁଣା କଟକ ସମ୍ବଲପୁର ରାସ୍ତାର ସାତମାଇଲ ଛକରେ ମୃତଦେହ ରଖି ରାସ୍ତାରୋକ କରିଥିଲେ । ଘଟଣା ଘଟିବାର ଏକ ଘଣ୍ଟାରେ ପରେ ମଧ୍ୟ ରାସୋଳ ଫରେଷ୍ଟର ଏବଂ ହିନ୍ଦୋଳ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ନଥିବାରୁ ଉତ୍ତେଜନା ବୃଦ୍ଧିପାଇଥିଲା ।

ଯାତାୟତ ବାଧାପ୍ରାପ୍ତ:ରାସ୍ତା ଅବରୋଧ ଯୋଗୁଁ ପୁରୁଣା କଟକ ସମ୍ବଲପୁର ରାସ୍ତାରେ ସାଧାରଣ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା । ଉତ୍ତେଜନାକୁ ନେଇ ଘଟଣାସ୍ଥଳରେ ବନ ବିଭାଗର ରେଞ୍ଜର, ଏସିଏଫଓ ପ୍ରମୁଖ ବନ ଅଧିକାରୀ, ପ୍ରଶାସନ ପକ୍ଷରୁ ହିନ୍ଦୋଳ ଉପଜିଲ୍ଲାପାଳ ଓ ତହସିଲଦାର, ପୋଲିସ ପକ୍ଷରୁ ହିନ୍ଦୋଳ ଏସ ଡିପିଓ, ହିନ୍ଦୋଳ, ବାଲିମୀ ଥାନା ଅଧିକାରୀଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ ।

କ୍ଷତିପୂରଣ ଦାବି:ହିନ୍ଦୋଳରେ ପ୍ରତ୍ୟେକ ଦିନ ହାତୀ ମଣିଷ ମଧ୍ୟରେ ଲଢେଇ ହେଉଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ କୌଣସି ସ୍ଥାୟୀ ପଦକ୍ଷେପ ନେଉ ନଥବାରୁ ଏପରି ହାତୀ ଆକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ଘଟିଥିବା ଲୋକେ ଅଭିଯୋଗ ଆଣିଛନ୍ତି । ଫଳରେ ସ୍ଥାନୀୟ ଅଞ୍ଚଳ ବାସୀ ମୃତକ ପରିବାର ମାନଙ୍କୁ କ୍ଷତି ପୂରଣ ପ୍ରଦାନ, ସ୍ଥାନୀୟ ଅଞ୍ଚଳରେ ସ୍ଥାୟୀ ଫରେଷ୍ଟ କ୍ୟାମ୍ପ ଓ ପାଟ୍ରୋଲିଂ, ଲାଇଟ ବ୍ୟବସ୍ଥା କରି ହାତୀ କବଳରୁ ସୁରକ୍ଷା ପାଇଁ ଦାବି କରିଛନ୍ତି ।ଆନ୍ଦୋଳନରୁ ହଟିଲେ:ତେବେ ପ୍ରତିଶ୍ରୁତି ପାଇବା ପରେ ଆନ୍ଦୋଳନରୁ ହଟିଥିଲେ ଅଞ୍ଚଳବାସୀ । ମୃତଦେହ ଗୁଡିକୁ ବ୍ୟବଚ୍ଛେଦ ପାଇଁ ପଠାଇ ବନ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ପାଇଁ ପ୍ରୟାସ ଆରମ୍ଭ କରାଯାଇଛି ।

ଏହି ଘଟଣାରେ ଫରେଷ୍ଟ ସେକ୍ସନ ଇନଚାର୍ଜ ନିଲମ୍ବିତ:ସେପଟେ ଉକ୍ତ ନରହନ୍ତା ଦନ୍ତା ହାତୀଟି ପାଖ ଜଙ୍ଗଲକୁ ପଳାଇ ଥିବା ଜଣାପଡିଛି । ତା ଉପରେ ବନବିଭାଗ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଛି । ଏହି ଘଟଣା ପରେ ଜିଲ୍ଲା ବନଖଣ୍ଡ ଅଧିକାରୀ ଆକ୍ସନ ମୋଡକୁ ଆସିଛନ୍ତି । ଏପରିକି କାର୍ଯ୍ୟରେ ଅବହେଳା କରିଥିବା ଦର୍ଶାଇ ହିନ୍ଦୋଳ ବନାଞ୍ଚଳ ରାସୋଳ ଫରଷ୍ଟ ସେକ୍ସନ ଇନଚାର୍ଜ ଫରେଷ୍ଟର ଲୁସ୍ମିତା ସିଂଙ୍କୁ ନିଲମ୍ବିତ କରିଛନ୍ତି ଡିଏଫଓ ସୁମିତ କର

Leave a Reply

Your email address will not be published. Required fields are marked *