ମାଉଜର ଦେଖାଇ ଯୁବକକୁ ଆକ୍ରମଣ ଭଞ୍ଜନଗର ପୋଲିସ ହାତରେ ୫ ଗିରଫ

ଭଞ୍ଜନଗର ୦୨/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଗୁରୁବାର ରାତିରେ ଏକ ବଡ଼ ଧରଣର ଅଘଟଣ ରୋକିବାରେ ସକ୍ଷମ ହୋଇଛି। ଏହି ମାମଲାରେ ଭଞ୍ଜନଗର ପୋଲିସ ଶନିବାର ପୁରୀ ଜିଲା ଡେଲାଙ୍ଗ ଥାନା ଅଞ୍ଚଳର ୫ ଜଣକୁ ଗିରଫ କରିଛି। ସେମାନେ ହେଲେ ସୁଡ଼ଙ୍ଗଇ ଗ୍ରାମର ସନ୍ତୋଷ ପରିଡ଼ା, ଶକ୍ତିକାନ୍ତ ପରିଡ଼ା, ସୁରେଶ ପରିଡ଼ା, ତରବାଇ ଗ୍ରାମର ସୁମନ୍ତ ଭଟ୍ଟ ଓ ଗଣ୍ଡାପଦ ଗ୍ରାମର ଆଶୁତୋଷ ବାରିକ। ସେମାନଙ୍କଠାରୁ ପୋଲିସ ଗୋଟିଏ କାର୍‌, ଗୋଟିଏ ମାଉଜର, ଗୋଟିଏ ଛୁରି, ୩ଟି ଜୀବନ୍ତ ଗୁଳି, ଗୋଟିଏ କେଟ୍ରିଜ୍‌ ଜବତ କରିଛି।

ଘଟଣାରୁ ପ୍ରକାଶ ଯେ, ଡେଲାଙ୍ଗ ଥାନା ଅନ୍ତର୍ଗତ ଗଣ୍ଡାପଡ଼ ଗ୍ରାମର ସୋମନାଥ ପଣ୍ଡା ବୋଲଗଡ଼ରେ ଏକ କମ୍ପାନୀରେ କାମ କରୁଥିଲେ। ଏହି ସମୟରେ ତାଙ୍କରି ଗ୍ରାମର ଆଶୁତୋଷ ବାରିକଙ୍କୁ ଆଣି ସେଠୀ ନିଯୁକ୍ତି ଦେଲେ। ଏହାପରେ ସୋମନାଥଙ୍କ ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଗୋବରାକୁ ବଦଳି ହୋଇଯାଇଥିଲା। ଏହି ସମୟରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଥିଲା। ଗତ ଗୁରୁବାର ରାତିରେ ଆଶୁତୋଷ ସମସ୍ୟାର ସମାଧାନ କରିବା ପାଇଁ ସୋମନାଥଙ୍କୁ ଭଞ୍ଜନଗର ଥାନା ଜାମପଲ୍ଲୀ ମନ୍ଦିର ନିକଟକୁ ଡାକିଥିଲେ। କିନ୍ତୁ ଆଶୁତୋଷ ୫ ଜଣଙ୍କୁ ଧରି ଆସିଥିଲେ କିଛି ଅଘଟଣ ଘଟାଇବା ପାଇଁ। ସୋମନାଥ ସେଠାକୁ ଯିବା ପରେ କାର୍‌ ଗାଡ଼ିରୁ ୬ ଜଣ ଓହ୍ଲାଇ ସୋମନାଥଙ୍କୁ ମାଡ଼ ମାରିଥିଲେ। ଏନେଇ ପଥଚାରୀମାନେ ଦେଖି ୧୧୨କୁ ଫୋନ କରି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ଏହାପରେ କିଛି ମିନିଟ୍‌ ମଧ୍ୟରେ ଥାନା ଅଧିକାରୀ ଜୀବନାନନ୍ଦ ଜେନା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସୋମନାଥଙ୍କୁ ଉଦ୍ଧାର କରିବା ସହ ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ଏହି ମାମଲାରେ ଆଉ ଜଣେ ଫେରାର ହୋଇଯାଇଛନ୍ତି। ୧୧୨ ଫୋନ୍‌ ସୂଚନା ପାଇ ପୋଲିସ ଏକ ବଡ଼ଧରଣର ଗଣ୍ଡଗୋଳକୁ ରୋକିବାରେ ସକ୍ଷମ ହୋଇଛି।

Leave a Reply

Your email address will not be published. Required fields are marked *