ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ, ଏଣିକି ରହିବେ ‘ଶକ୍ତିଶ୍ରୀ’ ସଂଯୋଜିକା –

ଭୁବନେଶ୍ବର: ଛାତ୍ରୀଙ୍କ ସୁରକ୍ଷା ପାଇଁ ଉଚ୍ଚ ଶିକ୍ଷାନୁଷ୍ଠାନରେ ରହିବେ ‘ଶକ୍ତିଶ୍ରୀ’ ସଂଯୋଜିକା। ବାଲେଶ୍ବର ଫକୀର ମୋହନ କଲେଜ ଘଟଣା ପରେ ଉଚ୍ଚ ଶିକ୍ଷା ବିଭାଗର ବଡ଼ ପଦକ୍ଷେପ। ଛାତ୍ରୀଙ୍କୁ ସଶକ୍ତୀକରଣ ଓ ସେମାନଙ୍କ ସୁରକ୍ଷା ପାଇଁ ପଦକ୍ଷେପ। ଅଗଷ୍ଟ ୪ ସୁଦ୍ଧା ‘ଶକ୍ତିଶ୍ରୀ’ ସଂଯୋଜିକା ମନୋନୀତ କରି ଦାୟିତ୍ବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସମସ୍ତ ବିଶ୍ବବିଦ୍ୟାଳୟ ରେଜିଷ୍ଟ୍ରାର ଓ କଲେଜ ପ୍ରିନ୍ସିପାଲଙ୍କୁ ଉଚ୍ଚଶିକ୍ଷା ବିଭାଗର ଚିଠି କରାଯାଇଛି।ବାଲେଶ୍ବର FM କଲେଜ ଘଟଣା ପରେ ଉଚ୍ଚ ଶିକ୍ଷା ବିଭାଗର ବଡ଼ ପଦକ୍ଷେପ। ବାରମ୍ବାର ଛାତ୍ରୀମାନଙ୍କ ସୁରକ୍ଷା ଦିଗରେ ଉପୁଜୁଥିବା ସମସ୍ୟାକୁ ନେଇ ଉଚ୍ଚ ଶିକ୍ଷା ବିଭାଗର ତତ୍ପରତା ଦେଖିବାକୁ ମିଳୁଛି। କିଭଳି ଭାବେ ଶିକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ରୀ ମାନେ ସୁରକ୍ଷିତ ରହିବେ ସେନେଇ ଅଧିକ ଗୁରୁତ୍ୱ ଦିଆଯାଉଛି। ତେଣୁ କିଛି ଦିନ ପୂର୍ବରୁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ୧୬ଟି ବିଶ୍ୱବିଦ୍ୟାଳୟ ଏବଂ ୭୩୦ଟି ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ମାନଙ୍କରେ ଶକ୍ତିଶ୍ରୀ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲା। ରାଜ୍ୟରେ ଥିବା ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଏକ ସୁରକ୍ଷିତ ଶୈକ୍ଷିକ ବାତାବରଣକୁ ସୁନିଶ୍ଚିତ କରାଇବା ସହିତ ଅଧ୍ୟୟନରତ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା ପ୍ରଶିକ୍ଷଣ ପ୍ରଦାନ କରିବା ଏବଂ ଛାତ୍ରୀମାନଙ୍କର ସଶକ୍ତିକରଣ ଓ ସର୍ବାଙ୍ଗୀନ ବିକାଶ ଦିଗରେ ଏହି କାର୍ଯ୍ୟକ୍ରମ କରାଯିବ।

କ’ଣ ରହିଛି ଏହି କାର୍ଯ୍ୟକ୍ରମର ପ୍ରମୁଖ ଦିଗ?:-ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର (Shaktisree empowerment Cell):-ପ୍ରତ୍ୟେକ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଏକ ସ୍ଥାୟୀ “ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର” ସ୍ଥାପନ କରାଯିବ। ଯାହା କେବଳ ଛାତ୍ରୀମାନଙ୍କ ଦ୍ୱାରା ପରିଚାଳିତ ହେବ। ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ରରେ ଜଣେ ଛାତ୍ରୀ “ଶକ୍ତିଶ୍ରୀ ସାଥୀ” ଓ ଜଣେ ଅଧ୍ୟାପିକା “ଶକ୍ତିଶ୍ରୀ ସଂଯୋଜିକା” ଭାବେ ଉକ୍ତ କେନ୍ଦ୍ରର ପରିଚାଳନା କରିବେ। ଏଥିସହ ଜିଲ୍ଲାପାଳଙ୍କ ଦ୍ୱାରା ମନୋନୀତ ହୋଇଥିବା ୫ ଜଣ ବିଶିଷ୍ଟ କାର୍ଯ୍ୟରତ ମହିଳା “ଶକ୍ତି ଅପା” ଭାବେ ଛାତ୍ରୀମାନଙ୍କ ପାଇଁ ମେଣ୍ଟର ଭଳି କାର୍ଯ୍ୟ କରିବେ। ପ୍ରତ୍ୟେକ ତିନି ମାସରେ ଥରେ ଶକ୍ତି ଅପା ମାନେ ଉକ୍ତ ଶିକ୍ଷାନୁଷ୍ଠାନକୁ ଗୁରୁତର ସହ ନେଇ ପରିଦର୍ଶନ କରିବେ।

ଶକ୍ତିଶ୍ରୀ ଆପ୍‌” ନାମରେ ଏକ ନୂତନ ମୋବାଇଲ ଆପ୍ କାର୍ଯ୍ୟକାରୀ କରାଯିବ। ବିଶେଷକରି ଶିକ୍ଷାନୁଷ୍ଠାନ କ୍ୟାମ୍ପସ ମଧ୍ୟରେ ଛାତ୍ରୀମାନଙ୍କର ସୁରକ୍ଷାକୁ ସୁନିଶ୍ଚିତ କରିବାରେ ଏହା ସାଧାରଣ ଭାବେ ସହାୟକ ହେବ। ଯଦି କୌଣସି ଛାତ୍ରୀ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୁଅନ୍ତି, ତେବେ ସେ ନିଜର ପରିଚୟକୁ ଗୋପନୀୟ ରଖି ନିଜର ଅଭିଯୋଗକୁ Text, Audio ବା Video Message ମାଧ୍ୟମରେ ଉକ୍ତ ଆପ୍‌ରେ ପଞ୍ଜିକୃତ ମଧ୍ୟ କରିପାରିବେ। ଅଭିଯୋଗଟି ଆପ୍‌ରେ ପଞ୍ଜିକୃତ ହୋଇ ସାରିବା ପରେ ଉକ୍ତ ଛାତ୍ରୀ ପଢୁଥିବା ଶିକ୍ଷାନୁଷ୍ଠାନର Internal Committeeର ଅଧ୍ୟକ୍ଷଙ୍କ ନିକଟରେ ସିଧାସଳଖ ପହଂଚିବ। ଏପରିକି ଛାତ୍ରୀମାନେ ଯଦି Stress, Anxiety ଆଦି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତେବେ ଶକ୍ତିଶ୍ରୀ ମୋବାଇଲ ଆପ୍ ମାଧ୍ୟମରେ ସେମାନେ ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ସିଧାସଳଖ କଥାହୋଇ, ଉପଯୁକ୍ତ ପରାମର୍ଶ ନେଇପାରିବେ। ଶକ୍ତିଶ୍ରୀ ଆପ୍ ରେ ଛାତ୍ରୀମାନଙ୍କ ପାଇଁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଟେଲି-ମାନସ (Tele-MANAS- Tele Mental Health Assistance and Networking Across States) ଯୋଜନାର ସୁବିଧା ମଧ୍ୟ ଉପଲବ୍ଧ କରାଯାଉଛି। ଏହାସହିତ କୌଣସି ଜରୁରୀକାଳୀନ ପରିସ୍ଥିତିରେ ଶକ୍ତିଶ୍ରୀ ମୋବାଇଲ ଆପ୍ ରେ ରହିଥିବା SOS ବଟନକୁ ବ୍ୟବହାର କରି ଛାତ୍ରୀମାନେ ତୁରନ୍ତ ସାହାଯ୍ୟ ପାଇପାରିବେ। ସିଧାସଳଖ ଶକ୍ତିଶ୍ରୀ ସାଥୀ ଏବଂ ଶକ୍ତିଶ୍ରୀ ସଂଯୋଜିକାଙ୍କ ସହ କଥା ହୋଇପାରିବେ। ଏହାରି ମଧ୍ୟରେ ଯଦି କୌଣସି ଛାତ୍ରୀ ନିଜକୁ ନିଜେ ହୃଦୟଙ୍ଗମ କରନ୍ତି ଯେ, ତାଙ୍କର ଅଭିଯୋଗ ସମ୍ପୃକ୍ତ କଲେଜର Internal Committee ଦ୍ୱାରା ସମାଧାନ ହୋଇପାରିବ ନାହିଁ, ତେବେ ସେମାନେ ମଧ୍ୟ ନିଜର ଅଭିଯୋଗ ସମ୍ବନ୍ଧରେ ଲୋକାଲ୍ କମିଟିକୁ ଅବଗତ କରାଇପାରିବେ। ଏସଂକ୍ରାନ୍ତୀୟ ଏକ SOP ଖୁବ ଶୀଘ୍ର ଉଚ୍ଚଶିକ୍ଷା ବିଭାଗ ଜାରି କରିବ

ଲିଙ୍ଗଗତ ସମାନତା ସମ୍ବନ୍ଧରେ ଅଧିକରୁ ଅଧିକ ସଚେତନତା ସୃଷ୍ଟି କରିବା ଆବଶ୍ୟକ। ଏହାସହିତ ମହିଳା ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ନିମନ୍ତେ SAFE (Shakti Shree Actions for Female Empowerment) କ୍ୟାମ୍ପେନକୁ ଗୁରୁତ୍ୱ ଦିଆଯିବ। ଏହି କ୍ୟାମ୍ପେନ୍‌ ମାଧ୍ୟମରେ ବର୍ଷକୁ ଦୁଇ ଥର ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିବ। ମହିଳାଙ୍କ ପ୍ରତି ସୁରକ୍ଷା ଓ ଅଧିକାର ସମ୍ବନ୍ଧୀୟ ସଚେତନତା କର୍ମଶାଳା ଆୟୋଜନ କରାଯିବା ସହିତ ଛାତ୍ରୀମାନଙ୍କର ଆତ୍ମ ବିଶ୍ୱାସ ବୃଦ୍ଧି କରିବା ପାଇଁ ଛାତ୍ରୀମାନଙ୍କୁ ସୁରକ୍ଷିତ ଶୈକ୍ଷିକ ପରିବେଶ ପ୍ରଦାନ କରାଯିବ।କ୍ୟାମ୍ପସ ସୁରକ୍ଷା ରିପୋର୍ଟ:-କ୍ୟାମ୍ପସ ସୁରକ୍ଷାକୁ ନେଇ ପ୍ରତିଟି କଲେଜ ନିଜର ଏକ ବାର୍ଷିକ ରିପୋର୍ଟ ପ୍ରତିବର୍ଷ ଡିସେମ୍ବର ମାସ 31 ତାରିଖ ସୁଦ୍ଧା ପ୍ରଦାନ କରିବେ। କ୍ୟାମ୍ପସ ସୁରକ୍ଷାକୁ ନେଇ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କରାଯାଇଥିବା କାର୍ଯ୍ୟ, ପଞ୍ଜିକୃତ ହୋଇଥିବା ଅଭିଯୋଗ ଓ ଏହାର ସମାଧାନ, ଆପତକାଳୀନ ସ୍ଥିତିର ମୁକାବିଲା ପାଇଁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ରହିଥିବା ଭିତ୍ତିଭୂମି ଆଦି ସମ୍ବନ୍ଧରେ ସବିସ୍ତୃତ ବିବରଣୀକୁ ଉକ୍ତ ରିପୋର୍ଟରେ ସ୍ଥାନିତ କରାଯିବ।

ସିସିଟିଭି (CCTV) କ୍ୟାମେରା:-ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ସିସିଟିଭି କ୍ୟାମେରା ଲଗାଯିବ। ଯାହା ଦ୍ୱାରା କଲେଜ କ୍ୟାମ୍ପସକୁ ୨୪ ଘଣ୍ଟା ମନିଟରିଂ କରାଯାଇପାରିବ। ଏଥିସହ ଏକ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ରହିବାର ବ୍ୟବସ୍ଥା କରାଯିବ। କଲେଜରେ ରହିଥିବା Internal Committeeର ସଦସ୍ୟ ଏବଂ ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ରର ପରାମର୍ଶ ଅନୁଯାୟୀ ସିସିଟିଭି କ୍ୟାମେରା ଲଗାଇବାର ସ୍ଥାନ ନିରୂପଣ କରାଯିବ।କ’ଣ ରହିଛି ନିର୍ଦେଶ?:-ତୁରନ୍ତ ଜଣେ ମହିଳା ଅଧ୍ୟାପକଙ୍କୁ ଶକ୍ତିଶ୍ରୀ ସଂଯୋଜିକା ଭାବେ ନିଯୁକ୍ତି ଦେବାପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ରେଜିଷ୍ଟାର ଓ ପ୍ରିନ୍ସିପାଲଙ୍କୁ ନିର୍ଦେଶ ଦିଆଯାଇଛି। ଯିଏ ଉଚ୍ଚ ଶିକ୍ଷାନୁଷ୍ଠାନ ସ୍ତରରେ ଶକ୍ତିଶ୍ରୀ ପଦକ୍ଷେପର ସଂଯୋଜକ ହେବେ। ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ ର ପ୍ରୟାସକୁ ମାର୍ଗଦର୍ଶନ, ପରାମର୍ଶ ଏବଂ ସମନ୍ୱୟ ଏବଂ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଯାହା ଅଗଷ୍ଟ ୪ ତାରିଖ ସୁଦ୍ଧା ସମସ୍ତ ଶିକ୍ଷାନୁଷ୍ଠାନରେ ଶକ୍ତିଶ୍ରୀ ସଂଯୋଜିକାଙ୍କୁ ଦାୟିତ୍ୱ ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଛି।ସକ୍ତିଶ୍ରୀ ସଂଯୋଜିକାଙ୍କ ପ୍ରମୁଖ ଦାୟିତ୍ୱ:-ସାଧାରଣ ଭାବେ ସଚେତନତା ଏବଂ କ୍ଷମତା ନିର୍ମାଣ ନିୟମିତ ବୈଠକ ଏବଂ ଅଭିଯାନ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଲିଙ୍ଗଗତ ସମ୍ବେଦନଶୀଳତା ଏବଂ ସଚେତନତାକୁ ପ୍ରୋତ୍ସାହିତ କରିବା। ଝିଅମାନଙ୍କ ଅଧିକାର ଏବଂ ସଶକ୍ତିକରଣକୁ ସମର୍ଥନ କରୁଥିବା ସକାରାତ୍ମକ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ପାଇଁ ଆତ୍ମରକ୍ଷା, ସ୍ୱାସ୍ଥ୍ୟ ସଚେତନତା, ଆଇନଗତ ସାକ୍ଷରତା, ଜୀବନ କୌଶଳ, ନୈତିକ ମୂଲ୍ୟବୋଧ ଇତ୍ୟାଦି ଉପରେ ତାଲିମ/କର୍ମଶାଳା/ସେମିନାର/ଇଭେଣ୍ଟ ପରିଚାଳନା ଆୟୋଜନ କରିବେ

Leave a Reply

Your email address will not be published. Required fields are marked *