ଗଭୀର ସମୁଦ୍ରରେ ବୁଡ଼ିଲା ମାଛ ଧରା ଡ଼ଙ୍ଗା, ଦୁଇ ନିଖୋଜ

ବାଲେଶ୍ବର: ଗଭୀର ସମୁଦ୍ରରେ ଅଘଟଣ, ମାଛ ଧରିବାକୁ ଯାଇ ନିଖୋଜ ଚାରି ମତ୍ସ୍ୟଜୀବୀ । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ଏଭଳି ଏକ ଅଘଟଣ ଘଟିଛି ବାଲେଶ୍ବର ଜିଲ୍ଲା ବାଲିଆପାଳ ଅଞ୍ଚଳରେ । ଗତ ତିନି ଦିନ ତଳେ ଚାରି ଜଣ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ବେଳେ ସେମାନଙ୍କ କୌଣସି ପତ୍ତା ମିଳିନଥିଲା । ତେବେ ବହୁ ଖୋଜାଖୋଜି ପରେ ଗତକାଲି ଜଣଙ୍କୁ ଗୁରୁତର ଅସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ଆଜି ଆଉ ଜଣଙ୍କୁ ପଶ୍ଚିମବଙ୍ଗର ସୁନ୍ଦରବନ ନିକଟ ସମୁଦ୍ରରୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି।

ଦୁଇ ମତ୍ସ୍ୟଜୀବୀ ଉଦ୍ଧାର:ବାଲିଆପାଳ ଥାନା ଚୌମୁଖ ପଞ୍ଚାୟତ କଙ୍କଡାପାଳ ଗ୍ରାମର ମଧୁସୂଦନ ଗିରି, ଗୋପାଳ ଗିରି, ରବିନ୍ଦ୍ର ଗିରି, ଜଗନ୍ନାଥ ପାଳ ଗତ ତିନି ଦିନ ତଳେ କଙ୍କଡାପାଳ ମୁହାଣକୁ ମାଛ ମାରିବାକୁ ଯାଇ ନିଖୋଜ ହୋଇଥିଲେ । ପୋଲିସ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଜାରି ରହିଥିବା ବେଳେ ଗତକାଲି ଦୀଘା ନିକଟରେ ସମୁଦ୍ରରୁ ଜଗନ୍ନାଥ ପାଳଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଦୀଘା ମେରାଇନ ହସପିଟାଲରେ ଭର୍ତ୍ତି କରାଯାଇଥିଲା ।ସେହିପରି ଆଜି ନିଖୋଜ ଥିବା ମଧୂସୁଦନ ଗିରିଙ୍କୁ ପଶ୍ଚିମବଙ୍ଗ ସୁନ୍ଦରବନ ନିକଟରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଅନ୍ଯ ଦୁଇଜଣ ଏବେ ବି ନିଖୋଜ ଅଛନ୍ତି।

ମତ୍ସ୍ୟଜୀବୀଙ୍କ ସନ୍ଧାନରେ ଡ୍ରୋନ:ଏନେଇ ବାଲେଶ୍ବର ଏସପି ରାଜ ପ୍ରସାଦ କହିଛନ୍ତି,” ନିଖୋଜ ଥିବା ମତ୍ସଜୀବୀଙ୍କୁ ଉଦ୍ଧାର କରିବା ପାଇଁ ଓଡିଶା ପୋଲିସ ପକ୍ଷରୁ ଅଭିଯାନ ଜାରି ରହିଛି । ତିନୋଟି ଅତ୍ୟାଧୁନିକ ବୋଟ ଏଥିପାଇଁ ବ୍ୟବହାର ହୋଇଛି । ରାଜ୍ୟ ମତ୍ସ୍ୟ ସମ୍ପଦ ବିଭାଗର ସାଗର ମିତ୍ର ମଧ୍ୟ ଏହି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି । ଏହାସହ ଓଡ଼ିଶା ପୋଲିସର ତଟ ସୁରକ୍ଷା ବାହିନୀର ଡ୍ରୋନ ସହାୟତାରେ ମତ୍ସଜୀବୀଙ୍କ ସନ୍ଧାନ ପାଇଁ ଆକାଶ ମାର୍ଗରୁ ନିରୀକ୍ଷଣ କରାଯାଉଛି ।ରାଜ୍ୟ ପୋଲିସର ଅନୁରୋଧ କ୍ରମେ ଭାରତୀୟ ତଟ ସୁରକ୍ଷା ବାହିନୀ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି। ଏହା ସହ ସମୁଦ୍ର ଉପକୂଳରେ ପୋଲିସ କର୍ମଚାରୀଙ୍କ ଦ୍ୱାରା ପଇଁତରା ବ୍ୟବସ୍ଥାକୁ ଜୋରଦାର କରିବା ସହ ପଡୋଶୀ ରାଜ୍ୟର ସାମୁଦ୍ରିକ ଥାନା ସହ ଯୋଗାଯୋଗ କରାଯାଇ ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଜାରି ରହିଛି ।”

Leave a Reply

Your email address will not be published. Required fields are marked *