
ଭଦ୍ରକ: ଘର ବାହାରେ ଏଣେ ତେଣେ ଖେଳା ହୋଇ ପଡ଼ିଛି କାଗଜ ପତ୍ର । ଖୋଲା ପଡ଼ିଛି ବାକ୍ସ ହେଲେ ଭିତରେ ଗୋଟେ ବି ଜିନିଷ ନାହିଁ । ଆଉ ଭଙ୍ଗା ହୋଇଛି ଝରକା । ଆଉ ଘରେ କିଛି ନାହିଁ ସବୁ କିଛି ଲୁଟିନେଇଛନ୍ତି ଦୁର୍ବୃତ୍ତ । ଝିଅ ବାହାଘର ପାଇଁ ଘରେ ରଖିଥିଲେ ସୁନା ଗହଣା ସହ ନଗଦ ଟଙ୍କା । ହେଲେ ରାତି ପାହି ସକାଳ ହେଲା ବେଳକୁ ଘରେ କଳାକନା ବୁଲାଇ ଦେଇଛନ୍ତି ଚୋର । ଅଭିନବ ଉପାୟରେ ଗାଁ ଭିତରୁ ଚୋରି । ବିଷାକ୍ତ ଗ୍ୟାସ ସ୍ପ୍ରେ କରି ଘରେ କଳାକନା ବୁଲାଇ ଦେଲେ ଦୁର୍ବୁତ୍ତ ।ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଥାନା ଅଧିନସ୍ଥ ଷୋଳମପୁର ପଞ୍ଚାୟତ ଦାଣ୍ଡକୁଳ ଗାଁରେ । ଏହି ଗାଁର ଅଦୈତ ମହାନ୍ତିଙ୍କ ପରିବାର ଲୋକମାନେ ଗତକାଲି ରାତିରେ ଶୋଇଥିବା ସମୟରେ କିଛି ଦୁର୍ବୁତ୍ତ ବିଳମ୍ବିତ ରାତ୍ରିରେ ତାଙ୍କ ଘରର ଝରକା କବାଟ ଭାଙ୍ଗି ଭିତରେ ପସି ପ୍ରଥମେ ବିଷାକ୍ତ ଗ୍ୟାସ ସ୍ପ୍ରେ କରିଥିଲେ ।
ପରେ ସେ ଝିଅ ବାହାଘର ପାଇଁ ରଖିଥିବା ଲକ୍ଷାଧିକ ଟଙ୍କାର ସୁନା ରୁପା ଅଳଙ୍କାର ସହିତ ଚାଷ କାମ ପାଇଁ ଧାରରେ ଆଣିଥିବା ନଗଦ ୨୦ ହଜାର ଟଙ୍କାକୁ ମଧ୍ୟ ଲୁଟିନେଇଛନ୍ତି ଦୁର୍ବୁତ୍ତ ।ତେବେ ଘରର ଜଣେ ମହିଳା ଉଠି ଡାକ ପକାଇବା ପରେ ଘର ଲୋକ ଉଠିଥିଲେ । କିନ୍ତୁ ସେତେବେଳକୁ ଦୁର୍ବୁତ୍ତମାନେ ଅଦୈତଙ୍କ ଘରେ କଳାକନା ବୁଲାଇ ଫେରାର ହୋଇ ଯାଇଥିଲେ । ତେବେ ଦୁର୍ବୁତ୍ତମାନେ ସୁନା ରୁପା ଅଳଙ୍କାର ସବୁ ନେଇ ପାଖ ନଦୀକୂଳରେ ଖାଲି ଖୋଳ ଏବଂ ବାକ୍ସ ପକାଇ ପଳାଇଯାଇଥିଲେ ।
ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଅଦୈତ ସେଠାରେ ପହଁଚିଲା ବେଳକୁ ଦୁର୍ବୁତ୍ତମାନେ ନଦୀ କୂଳରେ ପଡିଛି ଖାଲି ଖୋଳ ।ଯାହାପରେ ସେ ତୁରନ୍ତ ଭଣ୍ଡାରିପୋଖରୀ ଥାନାରେ ଜଣାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗତ କିଛି ଦିନର ବ୍ୟବଧାନ ପରେ ପୁଣି ମନ୍ଦିର ଓ ଘରଗୁଡିକୁ ଟାର୍ଗେଟ କରି ଦୁର୍ବୁତ୍ତମାନେ ବଡ଼ ଧରଣର ଚୋରି କରିବା ଆରମ୍ଭ କରିଛନ୍ତି । କିନ୍ତୁ ଭଣ୍ଡାରିପୋଖରୀ ପୋଲିସ ଆଜିକୁ ଦୁଇ ବର୍ଷ ହେଲା କୌଣସି ଜଣେ ଚୋରକୁ ଧରିବାରେ ସକ୍ଷମ ହୋଇ ପାରୁ ନ ଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।