ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା: ମାଧ୍ୟମିକ ଶିକ୍ଷା ପରିଷଦ ଉପସଭାପତି ଗିରଫ

ଭୁବନେଶ୍ଵର: ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ମାଧ୍ୟମିକ ଶିକ୍ଷା ପରିଷଦ ଉପସଭାପତି ନିହାର ରଞ୍ଜନ ମହାନ୍ତି ଗିରଫ ହୋଇଛନ୍ତି। ବୋର୍ଡ ଉପସଭାପତିଙ୍କର ଏହି ଘଟଣାରେ ମାଷ୍ଟରମାଇଣ୍ଡ ଜିତନ ମହାରଣା ସହିତ ନିୟମିତ ସଂପର୍କ ରହିଥିଲା। ଶ୍ରୀ ମହାନ୍ତିଙ୍କ ଜ୍ଞାତସାରରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ସ୍ପଷ୍ଟ କରିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର। ଦୀର୍ଘ ୪ ଦିନ ଧରି ପଚରାଉଚୁରା ପରେ ପାସୱାର୍ଡ କେବଳ ବୋର୍ଡ ଉପସଭାପତିଙ୍କ ପାଖରେ ଥିଲା ବୋଲି କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି।ନିୟମ ଅନୁସାରେ ଫାର୍ମରୁ ଆସିଥିବା ପ୍ରଶ୍ନପତ୍ରର ତଦାରଖ କରିବା ଦାୟିତ୍ବ ଅନ୍ୟ ଜଣଙ୍କୁ ଦିଆଯାଇଥାଏ। ବୋର୍ଡ ଉପସଭାପତି ଓଟିଇଟି ପ୍ରଶ୍ନପତ୍ର ସଂଶୋଧନ କରିବା ପରେ ଫାର୍ମକୁ ପଠାଇଥିଲେ। କିନ୍ତୁ ଏହାକୁ ଲ୍ୟାପଟପ୍ରୁ ଡିଲିଟ କରିନଥିଲେ। ବିଭିନ୍ନ ବିଭାଗକୁ ପରୀକ୍ଷା ପ୍ରଶ୍ନପତ୍ର ଦାୟିତ୍ବ ଦିଆଯାଇଥାଏ। ମାତ୍ର ଶ୍ରୀ ମହାନ୍ତି ନିଜେ ଏହାକୁ ପରିଚାଳନା କରିଥିଲେ। ପରୀକ୍ଷା ଦାୟିତ୍ବରେ ନଥାଇ ମଧ୍ୟ ସେ ସବୁ କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା ତଦନ୍ତରୁ ଜଣାପଡ଼ିଛି। ଗତ ୩ ମାସ ମଧ୍ୟରେ ବୋର୍ଡ ଉପସଭାପତି ଜିତନ ମହାରଣା ସହ ୧୦୦ରୁ ଅଧିକ ଥର ଫୋନ୍ରେ କଥା ହୋଇଛନ୍ତି। ତଦନ୍ତ ପରେ ଏହି ସୂଚନା ମିଳିଛି।ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ଘଟଣାରେ ୭ଜଣ ଗିରଫ ହୋଇଥିଲେ। ଆଜି ଶ୍ରୀ ମହାନ୍ତିଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଗତ ଜୁଲାଇ ୨୦ ତାରିଖରେ ହେବାକୁ ଥିବା ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ୧୯ ତାରିଖରେ ଭାଇରାଲ ହୋଇଥିଲା।

Leave a Reply

Your email address will not be published. Required fields are marked *