
ବ୍ରହ୍ମପୁର: ଥାନା ଭିତରେ ହାଇସ୍କୁଲ ଏବଂ କଲେଜ ଛାତ୍ରୀ । ଥାନା ଅଧିକାରୀ ଗୋଟିଏ ସ୍ଥାନରେ ଆଉ ଗୋଟିଏ ସ୍ଥାନରେ ଏସଆଇ କିଛି କହୁଥାନ୍ତି । ଆଉ ପିଲାମାନେ ମଧ୍ୟ ମନ ଦେଇ ଶୁଣୁଛନ୍ତି । ମଝିରେ ମଝିରେ ପିଲାମାନେ ପ୍ରଶ୍ନ କରୁଛନ୍ତି ଥାନା ବାବୁ ଉତ୍ତର ରଖୁଛନ୍ତି । ସାଙ୍ଗରେ ଅଛନ୍ତି କଲେଜର ଅଧ୍ୟାପକ ଏବଂ ହାଇସ୍କୁଲର ଶିକ୍ଷୟତ୍ରୀ ଏବଂ ଖେଳ ଶିକ୍ଷକ । ହେଲେ ଥାନାରେ ଏ ଛାତ୍ରୀମାନେ କଣ କରୁଛନ୍ତି ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବ । ଏଠି ଛାତ୍ରୀମାନଙ୍କ ସୁରକ୍ଷାକୁ ନେଇ ଚାଲିଛି ଏକ କାର୍ଯ୍ୟକ୍ରମ ।ଗତ କିଛିଦିନ ଧରି ସମାଜରେ ବହୁ ଅଘଟଣମାନ ଘଟିଚାଲିଛି । ଯାହାକି ଆମ ସମାଜ ପାଇଁ ଠିକ୍ ନୁହେଁ । ତେଣୁ ସରକାରଙ୍କ ନିର୍ଦ୍ଦେଶକ୍ରମେ ଛାତ୍ରୀମାନେ କିପରି ସୁରକ୍ଷିତ ରହିପାରିବେ ସେ ନେଇ ଛାତ୍ରୀମାନଙ୍କୁ ବୁଝାଉଛନ୍ତି ଥାନା ଅଧିକାରୀ । ଯଦି କୌଣସି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ଉପୁଜିଲା ସେଠାରେ କିପରି ସେହି ସମସ୍ୟାର ସାମ୍ନା କରିବେ । ସୋସିଆଲ ମିଡ଼ିଆରେ ଆସୁଥିବା ପୋଷ୍ଟକୁ କିପରି ପ୍ରତିହିତ କରିବେ ସେହି ସମ୍ପର୍କରେ ପିଲାମାନଙ୍କୁ କହିଥିଲେ ପୋଲିସ ଅଧିକାରୀମାନେ ।
ବ୍ରହ୍ମପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଥାନାରେ ଆରମ୍ଭ କରାଯାଇଛି ଏଭଳି ସଚେତନ କାର୍ଯ୍ୟକ୍ରମ । ଏହିପରି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରୀମାନଙ୍କ ଆତ୍ମବିଶ୍ୱାସ ନିଶ୍ଚୟ ଭାବରେ ବଢିବ । ସୋସିଆଲ ମିଡିଆରେ ଆସୁଥିବା ଖରାପ ଖବର ଠାରୁ ଦୂରେଇ ରହିବା ପାଇଁ ଦିଆଯାଉଥିବା ପରାମର୍ଶ ନିଶ୍ଚିତ ଭାବେ ସ୍ୱାଗତ ଯୋଗ୍ୟ । ଆଉ ଏହି କାର୍ଯ୍ୟକ୍ରମରେ ଇନଷ୍ଟାଗ୍ରାମରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଥିଲେ ଥାନା ଅଧିକାରୀମାନେ ।ଏହାସହ ଥାନାରେ କଣ ଭିତ୍ତିଭୂମି ରହିଛି ତାକୁ ମଧ୍ୟ ବୁଝାଇଥିଲେ ବୋଲି କହିଛନ୍ତି କଲେଜ ଅଧ୍ୟାପକ ଏବଂ ହାଇସ୍କୁଲ କ୍ରୀଡା ଶିକ୍ଷକ । ତେବେ ବ୍ରହ୍ମପୁର ଏସପିଙ୍କ ଏଭଳି ନିଷ୍ପତ୍ତି ନିଶ୍ଚିତ ଭାବରେ ଆଗାମୀ ସମୟରେ ଛାତ୍ରୀମାନଙ୍କ ପାଇଁ ସହାୟକ ହେବ । ଏଭଳି କାର୍ଯ୍ୟକ୍ରମ ଦ୍ୱାରା ସେମାନଙ୍କ ଆତ୍ମବିଶ୍ୱାସ ବଢିବା ସହ କଣ ଠିକ କଣ ଭୁଲ ମଧ୍ୟ ବୁଝିପାରିବେ ପିଲାମାନେ । ଥାନାରେ ଏଭଳି କାର୍ଯ୍ୟକ୍ରମ ନିଶ୍ଚୟ ପ୍ରଶଂସାଯୋଗ୍ୟ ।