ମହାପ୍ରଭୁଙ୍କ ପାଇଁ ସ୍ୱତନ୍ତ୍ର ପାଟରେ ତିଆରି ହେଲା ୪ଟି ବିଶାଳକାୟ ରାକ୍ଷୀ

ପୁରୀ: ଆସନ୍ତାକାଲି ପାଳିତ ହେବାକୁ ଯାଉଛି ପାରମ୍ପରିକ ପର୍ବ ରାକ୍ଷୀ ପୂର୍ଣ୍ଣିମା। ଏହି ଅବସରରେ ପୁରୀରେ ମହାପ୍ରଭୁଙ୍କ ପାଇଁ ସ୍ୱତନ୍ତ୍ର ପାଟରେ ତିଆରି କରାଯାଉଛି ୪ଟି ବିଶାଳକାୟ ରାକ୍ଷୀ। ପାଟରା ବିଷୋୟୀ ସେବକଙ୍କ ଦ୍ୱାରା ଏହି ରାକ୍ଷୀ ପ୍ରସ୍ତୁତ କରାଯାଉଛି। ପ୍ରତି ରାକ୍ଷୀର ଓଜନ ପ୍ରାୟ ୧ କିଲୋରୁ ଅଧିକ ହେବ।ରାକ୍ଷୀ ପୂର୍ଣ୍ଣିମାର ପବିତ୍ର ଅବସରରେ ଭଉଣୀ ସୁଭଦ୍ରା, ବଡଭାଇ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ଏହି ରାକ୍ଷୀ ସହ ଗୁଆ ମାଳ ପିନ୍ଧାଇବେ। ଭଉଣୀ ସୁଭଦ୍ରା ଦୁଇ ଠାକୁରଙ୍କ ହାତରେ ରାକ୍ଷୀ ବାନ୍ଧିବାର ପରମ୍ପରା କାଳ କାଳ ଧରି ରହିଆସିଛି। ଆସନ୍ତାକାଲି ମହାପ୍ରଭୁଙ୍କ ଭୋଗ ମଣ୍ଡପ ନୀତି ଶେଷହେବା ପରେ ମଇଲମ କରାଯାଇ ନୂଆ ଲୁଗା ଲାଗି ନୀତି ଅନୁଷ୍ଠିତ ହେବ। ଏହାପରେ ପୁଷ୍ପାଳକମାନେ ବଡ ଭାଇ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ହାତରେ ସ୍ୱତନ୍ତ୍ର ଭାବେ ନିର୍ମିତ ଏହି ପାଟ ରାକ୍ଷୀ ଓ ଗୁଆ ମାଳ ପିନ୍ଧାଇବେ। ନାଲି, ନେଳି, ହଳଦିଆ ଓ ବାଇଗଣୀ ରଙ୍ଗର ପାଟରେ ମହାପ୍ରଭୁଙ୍କ ପାଇଁ ଏହି ସ୍ୱତନ୍ତ୍ର ରାକ୍ଷୀ ପ୍ରସ୍ତୁତ କରାଯାଉଛି।ବର୍ତ୍ତମାନ ରାକ୍ଷୀ ନିର୍ମାଣ କାର୍ଯ୍ୟରେ ପାଟରା ବିଷୋୟୀ ସେବକ ଜଗନ୍ନାଥ ପାତ୍ରଙ୍କ ପରିବାର ଲାଗି ପଡିଛନ୍ତି। ରାକ୍ଷୀ ନିର୍ମାଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆବଶ୍ୟକ ପାଟ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଛି।

Leave a Reply

Your email address will not be published. Required fields are marked *