କେନ୍ଦ୍ର ସରକାର ଆୟକର ବିଲ୍ ୨୦୨୫ କୁ କଲେ ପ୍ରତ୍ୟାହୃତ, ୧୧ରେ ଆସିବ ନୂଆ ବିଲ୍

କେନ୍ଦ୍ର ସରକାର ଆୟକର ବିଲ୍ ୨୦୨୫କୁ ପ୍ରତ୍ୟାହାର କରିନେଇଛନ୍ତି । ସରକାର ଏହା ବଦଳରେ ନୂଆ ବିଲ୍ ଆଣିବେ । ୨୦୨୫ ଫେବୃଆରୀ ୧୩ରେ ଲୋକସଭାରେ ଛଅ ଦଶନ୍ଧି ପୁରୁଣା ଆୟକର ଆଇନ, ୧୯୬୧ର ସ୍ଥାନ ନେବା ପାଇଁ ଏହି ବିଲକୁ ଆଗତ କରାଯାଇଥିଲା ।୧୯୬୧ ଆୟକର ଆଇନକୁ ହଟାଇ ନୂଆ ଆଇନ ଆଣିବା ଉଦ୍ଦେଶ୍ୟରେ ସରକାର ଏହାକୁ ଆଗତ କରିଥିଲେ। ଫେବୃଆରୀରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ସଂସଦରେ ଉପସ୍ଥାପିତ ଆୟକର ବିଲ୍, ୨୦୨୫କୁ ୬୦ ବର୍ଷରୁ ଅଧିକ ସମୟ ମଧ୍ୟରେ ଭାରତର ପ୍ରତ୍ୟକ୍ଷ ଟିକସ ଆଇନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ବୋଲି କୁହାଯାଇଥିଲା ।ଏହାର ଉଦ୍ଦେଶ୍ୟ ଥିଲା ୨୯୮-ଧାରାର ଆୟକର ଆଇନ, ୧୯୬୧କୁ ସରଳ ଭାଷାରେ ଲିଖିତ ଏକ ଆଧୁନିକ, କରଦାତା-ଅନୁକୂଳ ଆଇନରେ ପରିଣତ କରିବା । ଯାହା ବର୍ତ୍ତମାନର ଆଇନ ଅପେକ୍ଷା ପ୍ରାୟ ୫୦ ପ୍ରତିଶତ ଛୋଟ । ଲୋକସଭାରେ ଆଗତ ହେବା ପରେ ବିଧେୟକ ଉପରେ ଅଧିକ ବିଚାର-ବିମର୍ଶ କରିବା ପାଇଁ ସଂସଦର ସ୍ଥାୟୀ ସମିତିକୁ ପଠାଯାଇଥିଲା । ନୂତନ ଆୟକର ବିଲ୍ ୨୦୨୬ ଏପ୍ରିଲ୍ ୧ରେ ଲାଗୁ ହେବା ନେଇ ଆଶା କରାଯାଉଥିଲା । କିନ୍ତୁ ବିଜେପି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ସିଲେକ୍ଟ କମିଟି ଦ୍ୱାରା କରାଯାଇଥିବା ଅଧିକାଂଶ ସୁପାରିଶକୁ ସାମିଲ କରି ନୂତନ ଆୟକର ବିଲ୍କୁ ଅଗଷ୍ଟ ୧୧ ସୋମବାର ଆଗତ କରାଯିବ ।

Leave a Reply

Your email address will not be published. Required fields are marked *