ଭଞ୍ଜନଗର: କଲରାପତରିଆ ଓ ହେଟା ବାଘ ଆକ୍ରମଣରେ ୨ ବାଛୁରୀ ଆହତ

ଭଞ୍ଜନଗର ୦୯/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡର ପୃଥକ ସ୍ଥାନରେ ୨ଟି ବାଛୁରୀ ଆହତ ହୋଇଥିବା ଅଭିଯୋଗ ହୋଇଛି। ମୁଜାଗଡ ବନାଞ୍ଚଳର ରମ୍ଭା ସେକ୍ସନ୍ ଅଧିନ ଦୁର୍ଗାପ୍ରସାଦ ଗ୍ରାମରେ ଗତକାଲି ରାତିରେ ଗୁହାଳରେ ବନ୍ଧା ହୋଇ ହାଇଥିବା ଏକ ବାଛୁରୀକୁ କଲରାପତରିଆ ବାଘ ଆକ୍ରମଣ କରି ଆହତ କରିଥିବା ଅଭିଯୋଗ ହୋଇଛି। ଗ୍ରାମର ଗୋପବନ୍ଧୁ ସାହୁଙ୍କ ବାଛୁରୀକୁ ଆକ୍ରମଣ ହେଇଥିବା ଜଣାପଡିଥିବା ବେଳେ ଖବର ପାଇ ବନପାଳ ରାଜେନ୍ଦ୍ର ଦଳାଇ ବିଭାଗୀୟ କର୍ମଚାରୀଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ପ୍ରାଣୀ ଚିକିତ୍ସକ ସେଠାରେ ପହଞ୍ଚି ଚିକିତ୍ସା କରିଥିବା ଜଣାପଡ଼ିଛି। ଦୁର୍ଗାପ୍ରସାଦରେ ବାଛୁରୀକୁ ଆକ୍ରମଣ ପରେ ଲୋକଙ୍କୁ ଗୁହାଳ ନିକଟରେ ଲାଇଟ ଲଗାଇବା ପାଇଁ କହିବା ସହ ଗୃହପାଳିତ ପଶୁଙ୍କୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ କୁହାଯାଉଥିବା ଡିଏଫ୍‌ଓ ହିମାଂଶୁ ଶେଖର ମହାନ୍ତି ପ୍ରକାଶ କରିଛନ୍ତି। ଏଥିସହ ନିକଟବର୍ତ୍ତୀ ଅଞ୍ଚଳରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ପ୍ୟାଟ୍ରୋଲିଂ କଡାକଡ଼ି କରିବା ସହ ଟ୍ରାପ୍ କ୍ୟାମେରା ଲଗାଇଥିବା ସେ ପ୍ରକାଶ କରିଛନ୍ତି। ଗତକାଲି ଏହି ବନଖଣ୍ଡର ମଧ୍ୟ କୁଲାଡ ସେକ୍ସନ୍ ଅଧୀନରେ ମଧ ଏକ ବାଛୁରୀକୁ ବନ୍ୟଜନ୍ତୁ ଆକ୍ରମଣ କରିଥିବା ଅଭିଯୋଗ ହୋଇ ତାର ମଧ୍ୟ ଚିକିତ୍ସା ହୋଇଥିବା ବେଳେ ବଣିଆପଲ୍ଲୀ ଗ୍ରାମ ନିକଟ ବାଲିମାଳ ଗ୍ରାମର ସୁକୁଟା ଗୌଡଙ୍କ ବାଛୁରୀ ବୋଲି ଜଣାପଡିଛି। ସୁକୁଟା ଗତକାଲି ଧରି ଜଙ୍ଗଲକୁ ଯାଇଥିଲେ | ସନ୍ଧ୍ୟାରେ ଗାଈଗୋଠ ସହ ଘରକୁ ଫେରିଥିଲେ। କିନ୍ତୁ ଗୋଟିଏ ବାଛୁରୀ ନଥିଲା, ଆଜି ସୁକୁଟା ଜଙ୍ଗଲକୁ ଯାଇ ଖୋଜାଖୋଜି କରିବା ସମୟରେ ଆହତ ଅବସ୍ଥାରେ ବାଛୁରୀଟିକୁ ଦେଖିଥିଲେ। ଏହାପରେ ପ୍ରାଣୀ ଚିକିତ୍ସକଙ୍କୁ ଡାକି ତାର ଚିକିତ୍ସା ବ୍ୟବସ୍ଥା କରିଛନ୍ତି | ଏନେଇ ଡିଏଫଓ ଶ୍ରୀ ମହାନ୍ତି କହିଛନ୍ତି, ଯେ ଏହା ଏକ ହେଟା ବାଘର କାଣ୍ଡ ବୋଲି ପାରିପାର୍ଶ୍ବିକ ସ୍ଥିତିରୁ ଜଣାପଡୁଛି। ବିଭାଗୀୟ କର୍ମଚାରୀଙ୍କୁ ସତର୍କତା ରହିବା ସହ ଘଟଣା ଉପରେ ନଜର ରଖିବାକୁ କୁହାଯାଇଥିବା ସେ କହିଛନ୍ତି।

Leave a Reply

Your email address will not be published. Required fields are marked *