ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୬ତମ ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ

ବ୍ରହ୍ମପୁର: ୨୦୩୬ ମସିହାରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ। ୨୦୪୭ରେ ଦେଶ ସ୍ୱାଧୀନତାର ଶତବାର୍ଷିକୀ ପାଳନ କରିବ। ଏହି ସମୟରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କେବଳ ଡିଗ୍ରୀ ଓ ସାର୍ଟିଫିକେଟ୍ ଦେବାରେ ସୀମିତ ନରହି ଗବେଷଣା ମାଧ୍ୟମରେ ନବସୃଜନର କଳ୍ପନା କରିବା ଉଚିତ୍ ବୋଲି ଶନିବାର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୬ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ଓଡ଼ିଶାର ମାନ୍ୟବର ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ଉପସ୍ଥିତିରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଏବଂ ବିଶ୍ୱ ଆଦିବାସୀ ଦିବସ ମଧ୍ୟ। କଳା, ସଂସ୍କୃତି, ଐତିହ୍ୟ ଓ ପର୍ଯ୍ୟଟନର କେନ୍ଦ୍ରସ୍ଥଳୀ ଗଞ୍ଜାମ ଜିଲ୍ଲା ଜନଜାତି ମାନଙ୍କର ମୂଳ ପେଣ୍ଠସ୍ଥଳ। ବୀର ଚକରା ବିଶୋୟୀ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥ ଓ ବିଶ୍ୱନାଥ ଦାଶଙ୍କ ପରି ମହାପୁରୁଷମାନେ ଏହି ମାଟିରେ ଜନ୍ମନେଇ ଗଞ୍ଜାମ ମାଟିକୁ ପବିତ୍ର କରିଛନ୍ତି। ଓଡ଼ିଶାର ଭାଷା ଆନ୍ଦୋଳନ, ସାହିତ୍ୟ ଆନ୍ଦୋଳନ ସହ ଶ୍ରମଜୀବୀଙ୍କ କ୍ଷେତ୍ରରେ ନୂଆ ବେଞ୍ଚମାର୍କ ତିଆରି କରିବାରେ ଗଞ୍ଜାମର ଅବଦାନ ବହୁତ ଅଧିକ। ଜିଲ୍ଲାର ପରିଶ୍ରମୀ ଲୋକଙ୍କ ହାତରେ ଗୁଜୁରାଟର ସୁରତ ସମେତ ଆମ ରାଜ୍ୟ ଓ ଦେଶର ଅର୍ଥନୀତି ମଜଭୂତ୍ ହୋଇଛି । ତେଣୁ ଏଠାରେ ଲୋକମାନଙ୍କୁ ବାହାରକୁ ନହେଁ ବରଂ ସେମାନଙ୍କର ରୋଜଗାର ବ୍ୟବସ୍ଥା କରାଇବା ପାଇଁ ଦାୟିତ୍ୱ ନେବା ଦରକାର। ଓଡ଼ିଆ ଯୁବକଙ୍କୁ ସୁଯୋଗ ଦେଲେ ସେମାନେ ସବୁ କାମ କରିପାରିବେ।କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ସହ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଡବଲ ଇଞ୍ଜିନ ସରକାର ପିଏମ୍ ଉଷା ଯୋଜନାରେ ୧୦୦ କୋଟି ଟଙ୍କା ସମେତ ରାଜ୍ୟ ବଜେଟରୁ ୭୫ କୋଟି ଟଙ୍କା ଦେଇଛନ୍ତି। ସବୁ ଯୋଜନାକୁ ମିଶାଇଲେ ପ୍ରାୟ ୨୦୦ କୋଟି ଟଙ୍କା ଏହି ବିଶ୍ୱବିଦ୍ୟାଳୟକୁ ପ୍ରଦାନ କରାଯାଇଛି, ଯାହା ଖୁସିର ବିଷୟ।ସେ କହିଛନ୍ତି ଯେ ଦେଶରେ ଜାତୀୟ ଶିକ୍ଷା ନୀତି -୨୦୨୦ ଲାଗୁ ହୋଇଛି ଏବଂ ଏହି ଶିକ୍ଷା ନୀତି କାର୍ଯ୍ୟକାରୀ ହେବାର ୫ ବର୍ଷ ପୂର୍ତ୍ତି ହୋଇଛି। ବ୍ରହ୍ମପୁର ଓ ଏହାର ଆଖପାଖ ଅଞ୍ଚଳରେ ଗୁଣାତ୍ମକ ଉଚ୍ଚ ଶିକ୍ଷାନୁଷ୍ଠାନ ସବୁ ରହିଛି। ଆଇଜର ବ୍ରହ୍ମପୁର, ଏମକେସିଜି ମେଡିକାଲ କଲେଜ, ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ, କଲେଜ ଅଫ୍ ଆର୍ଟ ଆଣ୍ଡ୍ କ୍ରାଫ୍ଟସ୍, ଖଲ୍ଲିକୋଟ, ଆର୍ମି ଡିଫେନ୍ସ କଲେଜ, କଲେଜ ଅଫ ଫିସରିଜ ଭଳି ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡ଼ିକ ରହିଛି। ଏଠାରେ ବିରଳ ମୂର୍ତ୍ତିକାର ଖଣିଜ ପଦାର୍ଥ ଓ ଗୋପାଳପୁର ଭଳି ବନ୍ଦର ଅଛି। ପର୍ଯ୍ୟଟନର ଅପାର ସମ୍ଭାବନା ମଧ୍ୟ ରହିଛି। ଏ ଅଞ୍ଚଳର ସମ୍ଭାବନାକୁ ଆଧାର କରି ବ୍ରହ୍ମପୁରକୁ ନ୍ୟୁ ଏଜ୍ ଇକେନୋମୀ ବା ନୂଆ ସମୟର ଅର୍ଥନୀତି କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି। ଏହାସହ ବିକଶିତ ଗଞ୍ଜାମ ଓ ବିକଶିତ ଓଡ଼ିଶାର ସ୍ୱପ୍ନକୁ ପୂରଣ କରିବା ଏବଂ ବ୍ରହ୍ମପୁରକୁ ଅର୍ଥନୈତିକ ଓ ଜ୍ଞାନର ପେଣ୍ଠସ୍ଥଳ କରିବା ଦିଗରେ ସହଯୋଗୀ ହେବ ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି।ସେ କହିଛନ୍ତି ଯେ, ଆଜିର ଶୁଭ ଅବସରରେ ଦେଶର ବିଶିଷ୍ଟ ବୈଜ୍ଞାନିକ ତଥା ଭାରତର କ୍ଷେପଣାସ୍ତ୍ର ମହିଳା ଡକ୍ଟର ଟେସୀ ଥୋମସ, ମିଲେଟ୍ ରାଣୀ ରାଈମତି ଘିଉରିଆ ଏବଂ ବୈଜ୍ଞାନିକ ଡକ୍ଟର ଅଜିତ୍ କୁମାର ମହାନ୍ତି ସମ୍ମାନିତ ହୋଇଥିବାରୁ ଅଭିନନ୍ଦନ । ଏହି ବ୍ୟକ୍ତିବିଶେଷମାନେ ଆମ ଦେଶକୁ ଗର୍ବିତ କରିଛନ୍ତି ।

ଛାତ୍ରଛାତ୍ରୀ ହେଉଛନ୍ତି ଜଣେ ପରିବର୍ତ୍ତନର ବାହକ ।କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଅବସରରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଶିକ୍ଷାତ୍ମକ ଭବନ -୧ର ଉଦଘାଟନ କରିଥିଲେ । ଏହାସହ ବହୁମୁଖୀ ଶିକ୍ଷା ଏବଂ ଗବେଷଣା ବିଶ୍ୱବିଦ୍ୟାଳୟ (ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ) ଯୋଜନା ଅନ୍ତର୍ଭୃକ୍ତ ପ୍ରକଳ୍ପ ସମୂହ ଯଥା ଗବେଷକ ଓ ଗବେଷିକା ଛାତ୍ରାବାସ, ସ୍ନାତକୋତ୍ତର ଛାତ୍ରାବାସ ଓ ଛାତ୍ରୀ ନିବାସ, ଦକ୍ଷିଣ ଓଡ଼ିଶା ସାଂସ୍କୃତିକ ସଂଗ୍ରହାଳୟ ପାଇଁ ବହୁଉଦ୍ଦେଶ୍ୟ ସାଧନ କେନ୍ଦ୍ର, କେନ୍ଦ୍ରୀୟ କମ୍ପ୍ୟୁଟର ପରୀକ୍ଷାଗାର, ନୂତନ ସାମାଜିକ ବିଜ୍ଞାନ ଏବଂ ମାନସିକ ବିଷୟ ସମୂହ ଶିକ୍ଷାତ୍ମକ ଭବନ, ନୂତନ ବିଜ୍ଞାନ ଶିକ୍ଷାତ୍ମକ ଭବନ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ସବୁ ପ୍ରକଳ୍ପ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ପୂରଣ କରିବା ସହ ବିଶ୍ୱବିଦ୍ୟାଳୟର ପରିଚୟକୁ ଆଗେଇ ନେବାରେ ସହାୟକ ହେବ ।

Leave a Reply

Your email address will not be published. Required fields are marked *