ଓଡିଶାରେ ଭୋଟ ଚୋରୀ, ବିଜେଡି ଲୋକସଭା ଆସନ ନ ଜିତିବା ନେଇ ସନ୍ଦେହ କଲା କଂଗ୍ରେସ

ଭୁବନେଶ୍ବର: ସାରା ଦେଶରେ ବର୍ତ୍ତମାନ ଭୋଟ ଚୋରୀ ନେଇ ତୁମ୍ବିତୋଫାନ ଆରମ୍ଭ ହୋଇଯାଇଛି। କଂଗ୍ରେସ ନେତା ରାହୁଳ ଗାନ୍ଧୀ ଏହି ଭୋଟ ଚୋରୀକୁ ନେଇ ବିଭିନ୍ନ ପ୍ରମାଣ ରଖିବା ପରେ ପ୍ରସଂଗ ଘନେଇବାରେ ଲାଗିଛି। ରାହୁଳ ଦୀର୍ଘ ସମୟ ଧରି ସେ କିପରି ଭୋଟ ଚୋରୀ ହୋଇଛି ତାହାର ତଥ୍ୟ ରଖିଛନ୍ତି। ଫଳରେ ସାରା ଦେଶରେ ବର୍ତ୍ତମାନ ଏହାକୁ ନେଇ ତର୍କବିତର୍କ ହେବାରେ ଲାଗିଛି।ରାହୁଳଙ୍କ ଏହି ଚୋରୀ ପ୍ରସଂଗକୁ ଓଡିଶାରେ ପ୍ରଦେଶ କଂଗ୍ରେସ ମଧ୍ୟ ପ୍ରସାର କରିବାରେ ଲାଗିିଛି। ଏକ ସାମ୍ବାଦିକ ସମ୍ମିଳନୀର କରି କଂଗ୍ରେସ ସଭାପତି ଭକ୍ତ ଦାସ ଓଡିଶାରେ କିପରି ଭୋଟ ଚୋରୀ ହୋଇଛି ତାହାର ବାଖ୍ୟା କରିଛନ୍ତି।ପିସିସି ସଭାପତି ଦାସ କହିଲେ, ଯଦି ଏଭଳି ଭୋଟ ଚୋରୀ ମାଧ୍ୟମରେ ସରକାର ଗଠନ ହୁଏ ତେବେ ଭୋଟର ମର୍ଯ୍ୟାଦା ହାନୀ ହେବା ସହ ସରକାର ଲୋକଙ୍କ ପ୍ରତି ଉତ୍ତରଦାୟୀ ହେବେ ନାହିଁ । ଲୋକମତ ଚୋରୀ କରି କ୍ଷମତାକୁ ଆସିଥିବା ବ୍ୟକ୍ତି କେବେ ଗଣତାନ୍ତ୍ରିକ ବ୍ୟବହାର କରି ପାରିବ ନାହିଁ । ଗତ ଲୋକସଭା ନିର୍ବାଚନରେ ବିଜେପି ସମ୍ପୂର୍ଣ ହାରିବା ସ୍ଥିତିରେ ଥିଲା ଯଦି ବିହାରରେ ଜେଡିୟୁ, ଆନ୍ଧ୍ରରେ ଟିଡିପି ଏବଂ ଓଡିଶାରେ ବିଜେଡି ସୁପ୍ରିମୋ ସାଲିସ କରି ନ ଥାନ୍ତେ ତେବେ ଦିଲ୍ଲୀରେ ଇଣ୍ଡିଆ ଗଟବନ୍ଧନ ସରକାର କ୍ଷମତାକୁ ଅସିଥାନ୍ତା । ମହାରାଷ୍ଟ୍ରରେ ଗୋଟିଏ କୋଟି ଭୋଟ ଚୋରୀ କରାଯାଇଛି । ସମସ୍ତ ଏକଜିଟ ପୁଲ, ଜନମତ ଏବଂ ରାଜନୈତିକ ଗତି ମିଥ୍ୟା ସାବ୍ୟସ୍ତ ହେଲା ଏବଂ ବିଜେପି ମହାରାଷ୍ଟ୍ରରେ ବିଜୟ ଲାଭ କଲା । ଏହା କେବଳ ସମ୍ଭବ ହୋଇଛି ନିର୍ବାଚନ ଆୟୋଗଙ୍କ ଭୋଟ ଚୋରୀ ମାଧ୍ୟମରେ ।ଓଡିଶା ସଂସଦୀୟ ନିର୍ବାଚନ ପରେ ୪୨ ଲକ୍ଷ ଅଧିକ ଭୋଟ ପଡ଼ିଥିବା କଥା ବିଶିଷ୍ଟ ସାମ୍ବାଦିକ ପୁଣ୍ୟ ପ୍ରସୂନ ବାଜପେୟୀ ବାରମ୍ବାର ଉପସ୍ଥାପନ କରିଥିଲେ କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଆୟୋଗ ନେଇ ନଥିଲେ । ଆଶ୍ଚର୍ଯ୍ୟର କଥା ବିଜେଡି ୫୧ ଗୋଟି ବିଧାନସଭା ଆସନ ଜିତିଥିଲେ କିନ୍ତୁ ଗୋଟାଏ ଲୋକସଭା ଆସନ ମଧ୍ୟ ଜିତି ପାରିଲେ ନାହିଁ । ଏହା ଅସମ୍ଭବ । ଧନ୍ୟବାଦ ରାହୁଳ ଗାନ୍ଧୀ ଯିଏ କି ବିଗତ ବର୍ଷ ବର୍ଷ ଧରି ଗଣତନ୍ତ୍ର ଏବଂ ସମ୍ବିଧାନକୁ ବଞ୍ଚାଇବା ପାଇଁ ସତ ସାହସ ଦେଖାଇଛନ୍ତି ଏବଂ ଭୋଟ ଚୋରୀ ରହସ୍ୟ ଜନତାଙ୍କ ଆଗରେ ଉଜାଗର କରିଛନ୍ତି ।ନିର୍ବାଚନ କମିଶନ କେମିତି ଭୋଟ ଚୋରୀ ମାଧ୍ୟମରେ ଲୋକଙ୍କ ସହିତ ବିଶ୍ୱାସଘାତ କରି ବିଜେପିକୁ କ୍ଷମତାସୀନ କରିଛି ଏସବୁ ବିଷୟରେ କଂଗ୍ରେସ ଆସନ୍ତା ସୋମବାର ପ୍ରତ୍ୟେକ ଜିଲ୍ଲାରେ ସାମ୍ବାଦିକ ସମ୍ମିଳନୀ କରି ଜଣାଇବା ସହିତ ଗ୍ରାମ ଗ୍ରାମରେ ଭୋଟ ଚୋରୀ ବିଷୟରେ ଲୋକଙ୍କୁ ସଚେତନ କରାଯିବ । ରାହୁଳ ଗାନ୍ଧୀଙ୍କ ଗଣତନ୍ତ୍ର ବଞ୍ଚାଇବା ସତସାହସକୁ ଏକ ବିରାଟ ଆନ୍ଦୋଳନର ରୂପ ଦିଆଯିବ ବୋଲି ସଭାପତି ଦାସ କହିଛନ୍ତି ।

ପୁଣି ଭୋଟ ଚୋରୀ ପର୍ଦାଫାଶ କରିବା ପରେ ମହାରାଷ୍ଟ୍ର ସମେତ ଚାରି ଗୋଟି ରାଜ୍ୟର ନିର୍ବାଚନ ଆୟୋଗଙ୍କ ୱେବ ସାଇଟରୁ ଭୋଟର ବିଭାଗ ଡିଲିଟ କରି ଦେଲେ କାହିଁକି ? ଏସବୁରୁ ସ୍ପଷ୍ଟ ଜଣାପଡୁଛି ନିର୍ବାଚନ ଆୟୋଗ ଭୋଟ ଚୋରୀ କରି ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସମ୍ପୂର୍ଣ ଜଳାଞ୍ଜଳି ଦେଇଛନ୍ତି ।କଂଗ୍ରେସ ମିଡ଼ିଆ ସେଲ ଅଧ୍ୟକ୍ଷ ଅରବିନ୍ଦ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ସହ ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ଏବଂ ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *