
କେନ୍ଦ୍ରାପଡା: ରାଜ୍ୟରେ ମହିଳା ଏବଂ ନାବାଳିକାମାନଙ୍କ ସହ ଅମାନୁଷିକ କାଣ୍ଡରେ ବ୍ରେକ୍ ଲାଗୁନି । ଗତ କିଛି ମାସ ମଧ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିବାରେ ଲାଗିଛି । କେନ୍ଦ୍ରାପଡ଼ାରେ ମାତ୍ର କିଛି ଦିନ ମଧ୍ୟରେ ମହିଳା ବିରୋଧୀ ମାମଲା ରେକର୍ଡ କରାଯାଇଛି । ପଟ୍ଟାମୁଣ୍ଡାଇ ଜଣେ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଘଟଣା ପରେ ପୁଣି ରାଜନଗର ଅଞ୍ଚଳରେ ଜଣେ ନାବାଳିକାଙ୍କ ସହ ଦୁଷ୍କର୍ମ ଅଭିଯୋଗ ହୋଇଛି । ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ରାଜନଗର ଥାନା ପୋଲିସ 5 ଜଣଙ୍କୁ ଅଟକ ରଖିବା ସହ ତଦନ୍ତ ଜାରି ରଖିଛି ।ସମ୍ପର୍କୀୟ ପିଉସା ସହ 5 ଅଟକ:ପୀଡ଼ିତାଙ୍କ ପରିବାରର ଅଭିଯୋଗ ପରେ ରାଜନଗର ପୋଲିସ ଏହି ଘଟଣାରେ 266/25ରେ ମାମଲା ରୁଜୁ କରି 70(2), 115(2), 351(3) ବିଏନଏସ ଧାରା ଓ 6(1) ପୋକ୍ସୋ ଦଫା ଲଗାଇ ସମ୍ପର୍କୀୟ ପିଉସା ହାପି ମଲ୍ଲିକ ଏବଂ ଅନ୍ୟ 4 ଜଣଙ୍କୁ ଅଟକ ରଖିଛି । ରାଜନଗର ଥାନା ଆଇଆଇସି ନରେଶ ସାହୁ ଏହି ସୂଚନା ଦେଇଛନ୍ତି । ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ପୋଲିସ ଗୁରୁତର ଭାବେ ଏହାର ତଦନ୍ତ କରିବ ଏବଂ ବର୍ତ୍ତମାନ ଏନେଇ କୌଣସି ପ୍ରତିକ୍ରିୟା ଦେଇହେବ ନାହିଁ ବୋଲି କହିଛନ୍ତି ଆଇଆଇସି ନରେଶ ସାହୁ।ନାବାଳିକାଙ୍କ ପରିବାର ପକ୍ଷରୁ ରାଜନଗର ଥାନାରେ କରାଯାଇଥିବା ଅଭିଯୋଗ ଅନୁସାରେ, ଗତ ରାକ୍ଷୀ ପୂର୍ଣ୍ଣିମା ଦିନ କେନ୍ଦ୍ରାପଡା ରାଜନଗର ଥାନା ଅଞ୍ଚଳରେ ଏହି ସମ୍ବେଦନଶୀଳ ଘଟଣା ଘଟିଛି । ଅଭିଯୋଗ ଅନୁସାରେ ନାବାଳିକାଙ୍କ ସମ୍ପର୍କୀୟ ପିଉସା ହାପି ମଲିକ ତାଙ୍କୁ ଥଣ୍ଡା ପିଆଇବାକୁ ଡାକିଥିଲେ । ନାବାଳିକା ଜଣଙ୍କ ଥଣ୍ଡା ପିଇବା ପାଇଁ ପିଉସାଙ୍କ ସହିତ ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ଏକ ଦୋକାନକୁ ଯାଇଥିଲେ । ସେଠାରୁ ଫେରିବା ବାଟରେ ପିଉସା ସମେତ ଅନ୍ୟ 4 ଜଣ ନାବାଳିକା ସହ ଘୃଣ୍ୟ କାମ କରିଥିଲେ। ଏନେଇ ପୀଡ଼ିତା ସଂପର୍କୀୟ ପିଉସା ଏବଂ ତାଙ୍କର 4 ଜଣ ସାଙ୍ଗଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ ।
ଗତି କିଛି ଦିନ ପୂର୍ବରୁ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁକୁ ନେଇ ମୁଖ୍ୟ ଅପରାଧି କିଏ ଓ ଛାତ୍ରୀ ଜଣଙ୍କ କାହିଁକି ଜୀବନ ହାରିଲେ, ସେନେଇ ସୂତା ଖିଅ ପାଇବା ପାଇଁ ପୋଲିସର ଟେନସନ ବଢିଥିବା ବେଳେ ଏବେ ରାଜନଗର ଥାନା ଅଞ୍ଚଳର ନାବାଳିକା ଛାତ୍ରୀଙ୍କ ସହ ଦୁଷ୍କର୍ମ ଘଟଣା ପୋଲିସ ପାଇଁ ଆହୁରି ଅଡ଼ୁଆ ବଢ଼ାଇଛି ।