
ଭୁବନେଶ୍ବର: ଓଡିଶା ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଣିକି ସରକାରୀ କାଗଜପତ୍ରରେ ବ୍ୟବହାର ହେବ ନାହିଁ ‘ହରିଜନ’ ଶବ୍ଦ । ଏହା ବଦଳରେ ରାଜ୍ୟ ସରକାର ଅନୁସୂଚିତ ଜାତି ଶଦ୍ଦକୁ ଗୁରୁତ୍ବ ଦେଇଛନ୍ତି । ‘ହରିଜନ’ ଶଦ୍ଦ ପରିବର୍ତ୍ତେ ‘ଅନୁସୂଚିତ ଜାତି’ ଶଦ୍ଦ ବ୍ୟବହାର କରିବା ନେଇ ଚିଠି କରିଛନ୍ତି ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସଚିବ ବି. ପରମେଶ୍ୱରନ ।ବ୍ୟବହାର ହେବନି ହରିଜନ ଶବ୍ଦ:ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସଚିବ ବି.ପରମେଶ୍ୱରନଙ୍କ ପକ୍ଷରୁ ସମସ୍ତ ବିଭାଗୀୟ ସଚିବଙ୍କୁ ଚିଠି ଲେଖା ଯାଇଛି । ରାଜ୍ୟ ସରକାରଙ୍କ ସମସ୍ତ ପ୍ରକାରର ରେକର୍ଡ, ଚିଠି ଆଦାନ ପ୍ରଦାନ, ଜାତି ପ୍ରମାଣପତ୍ର, ପ୍ରକାଶନ ଆଦିରେ ହରିଜନ ଶବ୍ଦର ବ୍ୟବହାର ସଂପୂର୍ଣ୍ଣ ବନ୍ଦକୁ ସୁନିଶ୍ଚିତ କରିବାକୁ କୁହାଯାଇଛି । ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ, ପ୍ରତିଷ୍ଠାନ, ସ୍ୱାୟତ୍ତ ସଂସ୍ଥା ଓ ଅଫିସଗୁଡ଼ିକୁ ମଧ୍ୟ ଏହି ନିର୍ଦ୍ଦେଶକୁ ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟ ଶାସନ ସଚିବଙ୍କ ଅନୁମୋଦନରେ ଏହି ନିର୍ଦ୍ଦେଶନାମା ପ୍ରକାଶ ପାଇଛି । କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ନିମନ୍ତେ ସବୁ ବିଭାଗକୁ ନିର୍ଦ୍ଦେଶ ରହିଛି ।
ନିର୍ଦ୍ଦେଶ କଡାକଡ଼ି ପାଳନ:ସରକାରୀ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଏବଂ ସରକାରୀ ଯୋଗାଯୋଗରୁ ହଟିବ ହରିଜନ ଶବ୍ଦ । ଜାତି ପ୍ରମାଣପତ୍ର ଏବଂ ଅନୁସୂଚିତ ଜାତି ସମ୍ପର୍କରେ ହରିଜନ ଶବ୍ଦ ବ୍ୟବହାର ନକରିବା ପାଇଁ ଜାରି ହୋଇଛି ନିର୍ଦ୍ଦେଶାବଳୀ । ହରିଜନ ଶବ୍ଦ କୌଣସି ସରକାରୀ ଯୋଗାଯୋଗ, ରେକର୍ଡ, କାରବାର, ଜାତି ପ୍ରମାଣପତ୍ର, ପ୍ରକାଶନ, ବିଭାଗୀୟ ନାଁ କିମ୍ବା ଅନ୍ୟ କୌଣସି ସ୍ଥାନରେ ବ୍ୟବହୃତ ହେବ ନାହିଁ । ଭାରତୀୟ ସମ୍ବିଧାନର ଧାରା ୩୪୧ ଅନୁଯାୟୀ, ଅଧିସୂଚିତ ଅନୁସୂଚିତ ଜାତିର ବ୍ୟକ୍ତିମାନଙ୍କୁ ସୂଚିତ କରିବା ପାଇଁ କେବଳ ସାମ୍ବିଧାନିକ ଶବ୍ଦ ଅନୁସୂଚିତ ଜାତି ଇଂରାଜୀରେ ଏବଂ ଏହାର ଉପଯୁକ୍ତ ଅନୁବାଦ ଓଡ଼ିଆରେ କିମ୍ବା ଅନ୍ୟାନ୍ୟ ଜାତୀୟ ଭାଷାରେ ବ୍ୟବହୃତ ହେବ । ସମସ୍ତ ସରକାରୀ କାର୍ଯ୍ୟାଳୟରେ ଏହି ନିର୍ଦ୍ଦେଶ କଡାକଡ଼ି ପାଳନ ହେବ । ଏନେଇ ଓଡିଶା ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ ରହିଥିବା ଜଣାପଡିଛି ।