
ଭୁବନେଶ୍ବର: ଅସୁସ୍ଥ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବରର ଖଣ୍ଡଗିରି ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭର୍ତ୍ତି କରାଯାଇଛି । ଡିହାଇଡ୍ରେସନ ଯୋଗୁଁ ନବୀନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ପ୍ରାଥମିକ ଭାବେ ବିଜେଡିର ବରିଷ୍ଠ ନେତା ସ୍ପଷ୍ଟ କରିଛନ୍ତି ।ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି:ଆଜି ଅପରାହ୍ନ 5.15 ମିନିଟ ସମୟରେ ନବୀନଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଘରୋଇ ହସ୍ପିଟାଲର କ୍ରିଟିକାଲ କେୟାର ମେଡିସିନ ଡାକ୍ତର ଆଲୋକ ପାଣିଗ୍ରାହୀ ନବୀନଙ୍କୁ ଚିକିତ୍ସା କରୁଛନ୍ତି । ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ପାଇଁ ହସ୍ପିଟାଲକୁ ଯାଇଥିଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ । ନବୀନଙ୍କ ଅସୁସ୍ଥ ଖବର ଶୁଣି ବିଜେଡିର ନେତା କର୍ମୀ ଓ ତାଙ୍କୁ ଭଲ ପାଉଥିବା ଲୋକେ ଚିନ୍ତିତ ହୋଇପଡିଛନ୍ତି । ସମସ୍ତେ ଆଶୁଆରୋଗ୍ୟ କାମନା କରିଛନ୍ତି ।
ଦ୍ରୁତ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ:ଏହି ଖବର ଶୁଣିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବୀନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ” ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କ ଅସୁସ୍ଥ ଖବର ଶୁଣିବାକୁ ପାଇଲି । ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ତାଙ୍କର ଦ୍ରୁତ ଆରୋଗ୍ୟ ଓ ଉତ୍ତମ ସ୍ବାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛି ।
ବିଜେଡିର ଟ୍ବିଟ୍:ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅସୁସ୍ଥ ନେଇ ଏକ୍ସରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପୋଷ୍ଟ କରିଛି ବିଜୁ ଜନତା ଦଳ । ଏକ୍ସ ପୋଷ୍ଟରେ କୁହାଯାଉଛି, ଡିହାଇଡ୍ରେସନ କାରଣରୁ ନବୀନ ପଟ୍ଟନାୟକ ଭୁବନେଶ୍ବରର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସୁଛି । ସେ ଖୁବଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ ହେବେ ।ସର୍ଭିକାଲ ଆଥ୍ରାଇଟିସ ଅସ୍ତ୍ରୋପଚାର ହୋଇଥିଲା:ସର୍ଭିକାଲ ଆଥ୍ରାଇଟିସରେ ପୀଡିତ ଥିବା ନବୀନଙ୍କର ଜୁନ 22 ତାରିଖରେ ଅସ୍ତ୍ରୋପଚାର ହୋଇଥିଲା । ବ୍ୟକ୍ତିଗତ ଚିକିତ୍ସକ ଡ. ରମାକାନ୍ତ ପଣ୍ଡାଙ୍କ ତତ୍ତ୍ବାବଧାନରେ ନବୀନଙ୍କର ଅସ୍ତ୍ରୋପଚାର ହୋଇଥିଲା । ମୁମ୍ବାଇର କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ବିରୋଧୀ ଦଳ ନେତା ଚିକିତ୍ସିତ ହୋଇ ଜୁଲାଇ ମାସରେ ଫେରିଥିଲେ । ଏବେ ପୁଣି ଡିହାଇଡ୍ରେସନ ଯୋଗୁଁ ଅସୁସ୍ଥ ହୋଇପଡିବାରୁ ଆଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ନାମ ନବୀନ:ରାଜ୍ୟ ତଥା ଜାତୀୟ ରାଜନୀତିରେ ଏକ ପରିଚିତ ନାମ ନବୀନ ପଟ୍ଟନାୟକ । ତାଙ୍କ ପରିଚୟ ଦେବା ପାଇଁ କେବଳ ଏହି ନାମ ଯଥେଷ୍ଟ । ବିରୋଧୀ ଦଳରେ ନବୀନ ଥାଇ ପାରନ୍ତି, କିନ୍ତୁ ଆଜିବି ତାଙ୍କର ଦବଦବା ରହିଛି। ନବୀନଙ୍କ ପ୍ରତିଟି ମନ୍ତବ୍ୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି କରେ । ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ସକ୍ଷମ ହେଉଛି । ନବୀନଙ୍କ ଗୋଟେ ଗୋଟେ ସୋସିଆଲ ମିଡିଆ ପୋଷ୍ଟ ସରକାର ଓ ପ୍ରଶାସନର ନିଦ ହଜେଇ ଦେଉଛି । ଗତ ବର୍ଷ ମଧ୍ୟରେ ଏହା ଅନେକ ଥର ପ୍ରମାଣିତ ହୋଇଛି । ନବୀନଙ୍କ ପ୍ରତ୍ୟେକ କଥା ଗଣମାଧ୍ୟମରେ ହେଡଲାଇନ ହେଉଛି । ରାଜ୍ୟରେ ଘଟୁଥିବା ଘଟଣାକୁ ନେଇ ସେ ବେସ ଆକ୍ଟିଭ
ସୋସିଆଲ ମିଡିଆରେ ଆକ୍ଟିଭ ନବୀନ :ବର୍ତ୍ତମାନ ସୋସିଆଲ ମିଡିଆରେ ବେସ ଆକ୍ଟିଭ ରହିଛନ୍ତି ନବୀନ । ଚଳିତ ବର୍ଷର କିଛି ଚର୍ଚ୍ଚିତ ଘଟଣା ଯେମିତିକି ଗୋପାଳପୁରର ଗଣଦୁଷ୍କର୍ମ ଖବର ସୋସିଆଲ ମିଡିଆରେ ପୋଷ୍ଟ କରି ଲୋକଲୋଚନକୁ ଆଣିବା ସହ ସରକାରଙ୍କ ଉପରେ ଚାପ ସୃଷ୍ଟି କରିଥିଲେ । ମହାପ୍ରଭୁଙ୍କ ରଥ ନଗଡ଼ିବା ଓ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ହୋଇଥିବା ଦଳାଚକଟାରେ ସରକାର ଏବଂ ପ୍ରଶାସନ ତ୍ରୁଟିକୁ ସାମନାକୁ ଆଣିଥିଲେ ନବୀନ । ସେହିପରି ବିଏମସିର ଅତିରିକ୍ତ କମିଶନରଙ୍କୁ ବିଜେପି ନେତାଙ୍କ ଆକ୍ରମଣ, ତେଲେଙ୍ଗାନାରେ କେମିକାଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡରେ ଓଡ଼ିଆଙ୍କ ମୃତ୍ୟୁ କଥା ନବୀନ ହିଁ ସୋସିଆଲ ମିଡିଆ ଜରିଆରେ ଲୋକଲୋଚନକୁ ଆଣିଥିଲେ