
ପାରାଦୀପ: ମେଡିକାଲ କାମରେ ଭୁବନେଶ୍ବର ଯାଇଥିଲେ ଅଭୟ କୁମାର ବେହେରା ଓ ତାଙ୍କ ସ୍ତ୍ରୀ । ଅନ୍ୟ ସଦସ୍ୟମାନେ ଘରେ ଥିଲେ ସତ । କିନ୍ତୁ ଅଭୟଙ୍କ ରୁମ ଖାଲିଥିଲା । ଆଉ ବିଳମ୍ବିତ ରାତିରେ ଶୋଇଗଲା ପରେ ଘରେ ପଶିଥିଲେ ଚୋର । ଝରକା ଗ୍ରୀଲ ଭାଙ୍ଗି ଗଡରେଜ୍ ତାଡ଼ି ପାଖାପାଖି ୫୦ରୁ ୬୦ ଭରି ସୁନା ଲୁଟ୍ କରିଛନ୍ତି ଚୋର ।ଲକ୍ ଥାନା ଅଧିନ ନୂଆଗଡ ଗାଁରେ ଘଟିଛି ଏମିତି ବଡଧରଣର ଚୋରି । ଘରେ ସମସ୍ତେ ଶୋଇଥିବା ବେଳେ ଗ୍ରୀଲ୍ ତାଡି ୫୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ସୁନା ଗହଣା ସହ କିଛି ଟଙ୍କା ଚୋରି କରି ନେଇଯାଇଛନ୍ତି ଦୁର୍ବୃତ୍ତ । ଘଟଣାସ୍ଥଳରେ ଲକ୍ ଥାନା ପୋଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ନେଇ ତଦନ୍ତ ଚଳାଇଛି ।
ସୂଚନା ମୁତାବକ ନୂଆଗଡ ଗାଁର ଅଭୟ କୁମାର ବେହେରା ଓ ତାଙ୍କ ସ୍ତ୍ରୀ ମେଡିକାଲ କାମରେ ଭୁବନେଶ୍ବର ଯାଇଥିବା ବେଳେ ଘରର ରୁମ୍ ବନ୍ଦ ଥିଲା । ସେମାନେ ପାଖାପାଖି ୭ ଦିନ ଭୁବନେଶ୍ବରରେ ଥିଲେ । ଘରର ଅନ୍ୟ ସଦସ୍ୟମାନେ ଅଲଗା ରୁମରେ ଶୋଇଥିବା ବେଳେ ବିଳମ୍ୱିତ ରାତିର ସୁଯୋଗ ନେଇ କିଛି ଦୁର୍ବୃତ୍ତ ଘରର ଝରକା ଭାଙ୍ଗି ଗଡରେଜ୍ ତାଡି ପାଖାପାଖି ୫୦ ଲକ୍ଷ ଟଙ୍କାର ସୁନାଗହଣା ସହ ନଗଦ ୧୦ ହଜାର ଟଙ୍କା ଚୋରି କରିନେଇଛନ୍ତି । ପରିବାର ଲୋକେ ଘରେ ଚୋରି ହୋଇଥିବା ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ ।
ଘଟଣା ସ୍ଥଳରେ ଲକ୍ ଥାନା ପୋଲିସ ପାରାଦୀପ ଅତିରିକ୍ତ ଏସପି ସ୍ମୃତି ରଂଜନ କର ପହଞ୍ଚିବା ସହ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମକୁ ନେଇ ତଦନ୍ତ କରିଛନ୍ତି । ଏହି ଘଟଣାରେ ସ୍ଥାନୀୟ କିଛି ଯୁବକଙ୍କ ସମ୍ପୃକ୍ତି ରହିଥିବା ପୋଲିସ ସନ୍ଦେହ କରୁଥିବା ବେଳେ, ସନ୍ଧାନୀ କୁକୁର ଘର ଠାରୁ କେନାଲ ବନ୍ଧ ଛକ ପର୍ଯ୍ୟନ୍ତ ଯାଇ ଅଟକି ଯାଉଛି। ପାରିପାର୍ଶ୍ଵିକ ଅବସ୍ଥା, ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମର ତଦନ୍ତକୁ ନେଇ ପୋଲିସ ଛାନଭିନ୍ ବଢ଼ାଇଛି ।