
ବେଲଗୁଣ୍ଠା ୧୯/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଇଲାକାରେ ଡକାୟତି ଯୋଜନା କରୁଥିବା ଏକ ଗ୍ୟାଙ୍ଗର ୫ ଜଣକୁ ଗାଙ୍ଗପୁର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ମାନେ ଭଞ୍ଜନଗର ଥାନା ଅନ୍ତର୍ଗତ ତୁରୁମୁ ଗ୍ରାମର ସଞ୍ଜୟ ବେହେରା, ଚାକୁଣ୍ଡାପଲ୍ଲୀର ଆକାଶ ବେହେରା, ଗାଙ୍ଗପୁର ଥାନା ଅନ୍ତର୍ଗତ ବରପଲ୍ଲୀ ଗ୍ରାମର ଅନିଲ ବେହେରା , ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ର ରାଜା ବେହେରା ଓ ଭୁବନେଶ୍ୱର ଖାରବେଳନଗର ତାରିଣୀ ବସ୍ତିର ପପୁନ ପଣ୍ଡା। ଏହା ସହିତ ସେମାନଙ୍କ ନିକଟରୁ ୫ ଗୋଟି ମୋବାଇଲ ଫୋନ,ଗୋଟିଏ କାର ସମେତ ମାରଣାସ୍ତ୍ର ଓ ମାଦକଦ୍ରବ୍ୟ ଜବତ କରାଯାଇଥିବା ଥାନା ଅଧିକାରୀ ବନବିହାରୀ ପ୍ରଧାନ ସୁଚନା ଦେଇଛନ୍ତି।
ସୁଚନାନୁସାରେ,ଗତ କାଲି ରାତିରେ ଗାଙ୍ଗପୁର ପୁଲିସ ପେଟ୍ରୋଲିଂ କରୁଥିଲା। ଏହି ସମୟରେ ବୁଢାକେନ୍ଦୁ ମନ୍ଦିର ନିକଟରେ କିଛି ଅସାମାଜିକ ବ୍ୟକ୍ତି ଏକାଠି ଥିବା ଓ ସେମାନେ କୌଣସି ଏକ ବଡ ଅଘଟଣ ଘଟାଇ ବଡ ଧରଣର ଡକାୟତି କରିବା ନେଇ ଏକାଠି ହୋଇଥିଲେ। ଖଣ୍ଡା ଓ କାତି ସମେତ ଅନ୍ୟାନ୍ୟ ମାରଣାସ୍ତ୍ର ଧରି ଡକାୟତି ପାଇଁ ଯୋଜନା କରୁଥିବା ପୁଲିସକୁ ସୂଚନା ମିଳିଥିଲା। ସୂଚନା ଆଧାରରେ ଗାଙ୍ଗପୁର ଥାନା ଅଧିକାରୀଙ୍କ ନେତୃତ୍ବରେ ଗଠିତ ପୁଲିସ ଟିମ୍ ଅଚାନକ ଚଢ଼ଉ କରିଥିଲେ । ପୁଲିସକୁ ଦେଖି ସେମାନେ ଦୌଡିବାକୁ ଲାଗିଥିଲେ । ପୁଲିସ ଘଟଣାସ୍ଥଳରେ ସମସ୍ତଙ୍କୁ କାବୁ କରିବାକୁ ସଫଳ ହୋଇଥିଲା। ଏମାନଙ୍କ ନିକଟରୁ ବିପୁଳ ପରିମାଣର ମାରଣାସ୍ତ୍ର ଜବତ ହୋଇଛି। ପଚରାଉଚରା ସମୟରେ ଅଭିଯୁକ୍ତ ମାନେ ଗୋବରା ପେଟ୍ରୋଲ ପମ୍ପ ରେ ଡକାୟତି ଯୋଜନା କରିଥିବା ପୁଲିସ ଜାଣିବାକୁ ପାଇଥିଲା।