
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୁରୁଣା ବନ୍ଧୁ ନବୀନ ପଟ୍ଟନାୟକଙ୍କୁ ଫୋନ କରିଛନ୍ତି। ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ। ଆଶୁ ଆରୋଗ୍ୟ କାମନା ସହ ନୂଆଦିଲ୍ଲୀ ଆସି ଭେଟିବା ଲାଗି ନବୀନଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ। ଉଭୟ ତୁଙ୍ଗ ନେତାଙ୍କ ମଧ୍ୟରେ ସୌଜନ୍ୟମୂଳକ ଆଲୋଚନା ହୋଇଥିବା କୁହାଯାଉଛି। ଅନ୍ୟ ପକ୍ଷରେ ନବୀନ ଆଜି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି।

ଦୀର୍ଘ ଦିନ ବ୍ୟବଧାନ ପରେ କଥା ହୋଇଛନ୍ତି ଦେଶର ଦୁଇ ତୁଙ୍ଗ ନେତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଥା ହୋଇଛନ୍ତି। ଉଭୟ ନେତା ଟେଲିଫୋନରେ କଥାବାର୍ତ୍ତା ହୋଇଛନ୍ତି। ପ୍ରାୟ ୧୦ ମିନିଟ ଉଭୟ ନେତା ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ନବୀନଙ୍କୁ ଫୋନ କରି କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ। ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ପ୍ରଧାନମନ୍ତ୍ରୀ ପଚାରି ବୁଝିଛନ୍ତି। ନବୀନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ନରେନ୍ଦ୍ର। ସେହିପରି କିଛି ଦିନ ସାମାଜିକ ଜୀବନରୁ ଦୁରେଇ ଆରାମ କରିବାକୁ ନବୀନଙ୍କୁ, ମୋଦି ପରାମର୍ଶ ଦେଇଛନ୍ତି। ଏପରିକି ସୁସ୍ଥ ହେବା ପରେ ନୂଆଦିଲ୍ଲୀ ଆସି ଭେଟିବା ପାଇଁ ନବୀନଙ୍କୁ କହିଛନ୍ତି ମୋଦି। ଏନେଇ ବିରୋଧୀ ଦଳ ନେତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଦେଶର ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ଏହା ସମ୍ପୂର୍ଣ୍ଣ ସୌଜନ୍ୟମୂଳକ ଆଲୋଚନା ବୋଲି କୁହାଯାଉଛି। କିନ୍ତୁ ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ଥିବାରୁ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନାକୁ ରାଜନୈତିକ ପ୍ରସଙ୍ଗରେ ଯୋଡ଼ା ହେବା ସ୍ୱାଭାବିକ କଥା।ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ନବୀନ ଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ। ଉଭୟଙ୍କ ମଧ୍ୟରେ ବନ୍ଧୁତା ସେବେଠାରୁ ଆରମ୍ଭ ହୋଇଛି। ଓଡ଼ିଶାରେ ବିଜେଡି ଓ ବିଜେପି ରାଜନୈତିକ ବିରୋଧୀ ହୋଇଥିଲେ ମଧ୍ୟ ଉଭୟ ନେତା ପରସ୍ପର ବିରୋଧରେ କଟୁ ଶବ୍ଦ ବ୍ୟବହାର କରିବା ନେଇ ନଜିର ନାହିଁ। ଅତୀତରେ ଉଭୟ ନେତା ପରସ୍ପର ସହ ସହଜ ଭାବେ ଭେଟିଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଚଣ୍ଡିଖୋଲରେ ହୋଇଥିବା ସରକାରୀ କାର୍ଯ୍ୟକ୍ରମ ଓ ପରେ ବିମାନବନ୍ଦରରେ ଉଭୟ ନେତାଙ୍କର ଭେଟ ହୋଇଥିଲା। ସେହିପରି ନିର୍ବାଚନ ସମୟରେ ନବୀନଙ୍କ ସ୍ୱାସ୍ଥ୍ୟ ସମସ୍ୟା ନେଇ ନରେନ୍ଦ୍ର ରାଜନୈତିକ ଟିପ୍ପଣୀ ଦେଇଥିଲେ। ଯାହାର ଜବାବ ନବୀନ ମଧ୍ୟ ରଖିଥିଲେ।ଡିହାଇଡ୍ରେସନର ଶିକାର ହୋଇଥିବା ନବୀନ ଗତ ରବିବାରରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିବାରୁ ଆଜି ଅପରାହ୍ନରେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ନବୀନଙ୍କୁ ଦେଖିବା ଲାଗି ହସ୍ପିଟାଲ ଓ ନବୀନ ନିବାସ ସମ୍ମୁଖରେ ସାଧାରଣ ଲୋକ, ନେତା ଓ କର୍ମୀଙ୍କ ଭିଡ଼ ଲାଗିଥିଲା। ଏହା ପୂର୍ବରୁ ସର୍ଭିକାଲ ଆଥ୍ରାଇଟିସରେ ପୀଡ଼ିତ ଥିବା ନବୀନଙ୍କର ଜୁନ ୨୨ ତାରିଖରେ ଅସ୍ତ୍ରୋପଚାର ହୋଇଥିଲା। ମୁମ୍ବାଇର କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ନବୀନ ଚିକିତ୍ସିତ ହୋଇ ଜୁଲାଇ ମାସରେ ଫେରିଛନ୍ତି।
