ଦିଲ୍ଲୀର ପୁଣି ୬ଟି ସ୍କୁଲକୁ ବୋମା ଧମକ, ଭୟରେ ଛାତ୍ରଛାତ୍ରୀ ଏବଂ ଅଭିଭାବକ

ନୂଆଦିଲ୍ଲୀ : ପୁଣି ଦିଲ୍ଲୀ ସ୍କୁଲକୁ ବୋମା ଧମକ । ଦିଲ୍ଲୀର ପ୍ରସାଦ ନଗର ଏବଂ ଦ୍ୱାରକା ସମେତ ୬ଟି ସ୍କୁଲକୁ ବୋମା ଧମକ ମିଳିଛି । ଦିଲ୍ଲୀ ପୋଲିସ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି । ସ୍କୁଲଗୁଡ଼ିକରେ ଯାଞ୍ଚ ଚାଲିଛି । ଏହି ପରିସ୍ଥିତି ପୁଣି ଥରେ ଛାତ୍ର, ଅଭିଭାବକ ଏବଂ ସ୍କୁଲ କର୍ମଚାରୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି । ଏବେ ଯାଏଁ କୌଣସି ସ୍କୁଲରୁ କିଛି ବି ସନ୍ଦିଗ୍ଧ ବସ୍ତୁ ମିଳିନାହିଁ ।ପୋଲିସ ସ୍କୁଲଗୁଡ଼ିକୁ ପଠାଯାଇଥିବା ଧମକପୂର୍ଣ୍ଣ ମେସେଜ୍ ବିଷୟରେ ଜାଣିବାକୁ ଚେଷ୍ଟା କରୁଛି । ଧମକ ପାଇଥିବା ସ୍କୁଲଗୁଡ଼ିକ ମଧ୍ୟରେ ଆନ୍ଧ୍ର ସ୍କୁଲ- ପ୍ରସାଦ ନଗର, ବିଜିଏସ୍ ସ୍କୁଲ- ଦ୍ୱାରକା, ରାଓ ମାନ ସିଂହ ସ୍କୁଲ- ଛାୱଲା, ସିଆର କନଭେଣ୍ଟ ସ୍କୁଲ- ଦ୍ୱାରକା, ମ୍ୟାକ୍ସ ଫୋର୍ଟ ସ୍କୁଲ- ଦ୍ୱାରକା ସେକ୍ଟର 7, ଇନ୍ଦ୍ରପ୍ରସ୍ଥ ଇଣ୍ଟରନ୍ୟାସନାଲ୍ ସ୍କୁଲ- ଦ୍ବାରକା ରହିଛି ।ଗତକାଲି ଦିଲ୍ଲୀର ୫୦ ସ୍କୁଲକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଥିଲା । ଏହି ଧମକ ଇମେଲ ଜରିଆରେ ମିଳିଥିଲା । ଧମକ ମିଳିବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । କିନ୍ତୁ କିଛି ସନ୍ଦିଗ୍ଧ ଜିନିଷ ପାଇନଥିଲା ।ଗତ କିଛି ଦିନ ଧରି ଦିଲ୍ଲୀର ସ୍କୁଲ ଏବଂ କଲେଜଗୁଡ଼ିକୁ ଇମେଲ୍ ମାଧ୍ୟମରେ ବୋମା ଧମକ ମିଳୁଛି । ତେବେ ଗତ ଦୁଇଦିନ ତଳେ ୩୨ଟି ସ୍କୁଲକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଥିଲା । ଫଳରେ ଅଭିଭାବକ ଭୟଭୀତ ହୋଇପଡିଥିଲେ । ଗତ ସୋମବାର ମିଳିଥିବା ଧମକରେ ଟଙ୍କା ମଧ୍ୟ ଦାବି କରାଯାଇଥିଲା । ଦିଲ୍ଲୀର ୩୨ଟି ସ୍କୁଲକୁ ୪,୩୫,୪୨୭,୫୦ ଟଙ୍କା ଅର୍ଥାତ୍ ୫୦୦ଆମେରିକୀୟ ଡଲାର ଦାବି କରି ଧମକପୂର୍ଣ୍ଣ ମେଲ୍ ମିଳିଥିଲା । ଟଙ୍କା ନ ଦେଲେ ସ୍କୁଲଗୁଡ଼ିକୁ ବୋମାରେ ଉଡ଼ାଇ ଦିଆଯିବ ବୋଲି ଧମକ ଦିଆଯାଇଥିଲା ।ସ୍କୁଲକୁ ବାରମ୍ବାର ଏଭଳି ବୋମା ଧମକ ମିଳିବା ଯୋଗୁଁ ଚିନ୍ତାରେ ରହିଛନ୍ତି ଅଭିଭାବକ । ପିଲାମାନଙ୍କ ସୁରକ୍ଷା ପ୍ରତି ଚିନ୍ତିତ ହୋଇପଡିଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ତେବେ କିଏ ଏବଂ କାହିଁକି ଏଭଳି ଧମକ ବାରମ୍ବାର ଦେଉଛି, ତାହାକୁ ନେଇ ପୋଲିସ ଯାଞ୍ଚ ଆରମ୍ଭ କରୁଛି ।