
ବାଲେଶ୍ବର: ଏଇ ୫ ମାସ ତଳେ ଝିଅ ପ୍ରେମ ବିବାହ କରିଥିଲା । କଲେଜରୁ ମୋ ଝିଅକୁ ଉଠାଇ ନେଇଥିଲା ଜ୍ବାଇଁ । ଆଉ ଏବେ ଘରୁ ସୁନା ଗହଣା ଟଙ୍କା ଆଣେ କହି ମୋ ଝିଅକୁ ମାରିଦେଲା । ପୁରା ପରିବାର ଝିଅକୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଇ ଆସୁଥିଲେ । ଏବେ ମୋ ଝିଅକୁ ଜୀବନରୁ ଶେଷ କରିଦେଲେ । ଏଭଳି କହି ଗୋଟେ ବାପା ଭୋ ଭୋ ହୋଇ କାନ୍ଦୁଛନ୍ତି…..ହଁ ଆଜ୍ଞା, ପୁଣି ଯୌତୁକ ଜୁଇରେ ଜଳିଗଲା ଆଉ ଗୋଟିଏ ନବବଧୂ । ଝିଅଟି ଭୋଗରାଇ ଗ୍ରାମ୍ୟ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନରେ +3 ତୃତୀୟ ବର୍ଷର ଛାତ୍ରୀ ଭାବେ ପାଠ ପଢ଼ୁଥିଲେ । ସେହି ସମୟରେ କଲେଜରୁ ଯୁବକଙ୍କ ହାତ ଧରି ଲୁଚି ପଳାଇଥିଲେ। ପରେ ଉଭୟ ଘର ଲୋକଙ୍କ ସହମତିରେ ବାହାଘର ହୋଇଥିଲା । ବାହାଘର ସିନା ହୋଇଗଲା ହେଲେ ଝିଅ ମୁଣ୍ଡରୁ ଗଲାନି ଯୌତୁକ ଦୁଃଖ । କେତେ ସ୍ବପ୍ନ ନେଇ ସ୍ବାମୀ ହାତ ଧରି ସଂସାର କରିବେ ବୋଲି ଭାବିଥିଲା । ହେଲେ ଝିଅଟିର ସବୁ ସ୍ବପ୍ନ ଭାଙ୍ଗିରୁଜି ଚୁରମାର୍ ହୋଇଗଲା । ବାହାଘରର କିଛି ଦିନ ଠିକ୍ ଠାକ୍ ଚାଲିଥିବା ବେଳେ ତା’ପରେ ଆରମ୍ଭ ହୋଇଯାଇଥିଲା ଶାଶୂ ଘର ଲୋକଙ୍କ ନିର୍ଯ୍ୟାତନା । ଯାହା ପରବର୍ତ୍ତି ସମୟରେ ନେଇଥିଲା ଭୟଙ୍କର ରୂପ । ଯୌତୁକ ପାଇଁ ଝିଅର ଜୀବନ ନେଇଯାଇଥିବା ଅଭିଯୋଗ କରି ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହୋଇଛନ୍ତି ବାପା ମା’।ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ହାଟସରିଷା ଗାଁରେ ବେଡରୁମରୁ ନବ ବିବାହିତାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଏହି ଗାଁର ବିଜୟ ସାମଲଙ୍କ ସ୍ତ୍ରୀ ମୌସୁମୀ କର । ଭୋଗରାଇ ଥାନା ଅନ୍ତର୍ଗତ ପଡ଼ିଆ ଗାଁର ବ୍ରଜ ଗୋପାଳ କରଙ୍କ ଝିଅ ମୌସୁମୀ । ୫ ମାସ ପୂର୍ବରୁ ହାଟସରିଷା ଗାଁର ଅଶ୍ବନୀ କୁମାର ସାମଲଙ୍କ ପୁଅ ବିଜୟ ପ୍ରେମ ବିବାହ କରିଥିଲେ । ପରେ ଉଭୟ ପରିବାରର ସହମତିକ୍ରମେ ବିବାହ ହେବା ସହ ବାହାଘର ସମୟରେ ଦାବି ମୁତାବକ ଯୌତୁକ ପ୍ରଦାନ କରାଯାଇଥିଲା। ମାତ୍ର ମୌସୁମୀଙ୍କ ଶାଶୁଘର ଲୋକେ ବାହାଘର ପରଠାରୁ ଅଧିକ ଯୌତୁକ ଦାବି କରି ମୌସୁମୀଙ୍କୁ ଶାରିରୀକ ଏବଂ ମାନସିକ ନିର୍ଯ୍ଯାତନା ଦେଇ ଆସୁଥିଲେ ବୋଲି ମୌସୁମୀ ବାପଘର ଲୋକଙ୍କୁ ଜଣାଇ ଥିଲେ । ଗତକାଲି କୌଣସି କଥାକୁ ନେଇ ଶାଶୁଘର ଲୋକଙ୍କ ସହ ମୌସୁମୀଙ୍କ ଝଗଡା ହୋଇଥିଲା । ପରେ ମୌସୁମୀଙ୍କର ଏପରି ଅବସ୍ଥା ଦେଖି ତାଙ୍କୁ ତୁରନ୍ତ ଜଳେଶ୍ଵରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ପରିବାର ଲୋକେ । ସେଠାରେ ଡ଼ାକ୍ତର ମୌସୁମୀଙ୍କୁ ମୃତ ଘୋଷଣା କରିଥିଲେ।ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଏହା ଏକ ସୁପରିକଳ୍ପିତ ହତ୍ଯାକାଣ୍ତ ବୋଲି ମୌସୁମୀଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି । ତେଣୁ ତାଙ୍କୁ ନ୍ଯାୟ ପ୍ରଦାନ ସହ ସମସ୍ତ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ଯାନୁଷ୍ଠାନ ଦାବି କରିଛନ୍ତି ମୃତକଙ୍କ ବାପ ଘର ଲୋକେ । ଏହି ଘଟଣାକୁ ନେଇ ଶାଶୂଘର ଲୋକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନି । ମୌସୁମୀଙ୍କ ମୃତ୍ଯୁ ପରେ ଶାଶୁ ଘର ଲୋକେ ଘରେ ତାଲା ପକାଇ ଫେରାର ହୋଇଯାଇଛନ୍ତି। ଏନେଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।ତେବେ ପୋଲିସ ତଦନ୍ତ ପରେ ଜଣାପଡ଼ିବ ମୌସୁମୀଙ୍କ ମୃତ୍ୟୁ କେମିତି ହେଲା ? କେତେ ଦିନ ଧରି ଏମିତି ଯୌତୁକ ଜୁଇରେ ଜଳୁଥିବେ ଝିଅ ? ବାହାଘରକୁ ବରଷେ ନ ପୂରୁଣୁ ମୃତ୍ୟୁ ଶଯ୍ୟାରେ ଶୋଇ ଯାଉଛନ୍ତି ନବବଧୂ । ଏହି ଘଟଣାକୁ ନଜରରେ ରଖି ଗୋଟେ ବାପ ପର ଘରେ ଝିଅ ଦେବାକୁ ଭୟ କରୁଛି ।