
ପୁରୀ: ଯେତେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଗଲେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ପୁଣି ଜଣେ ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଉପରକୁ ଚଢ଼ିବା ପାଇଁ ଉଦ୍ୟମ କରିଛନ୍ତି । ଶ୍ରୀମନ୍ଦିର ନୃସିଂହ ମନ୍ଦିର ନିକଟରୁ ବ୍ୟକ୍ତି ଜଣଙ୍କ ମନ୍ଦିର ଉପରକୁ ଚଢ଼ିବାକୁ ଉଦ୍ୟମ କରୁଥିବା ବେଳେ JTP ଓ ସେବାୟତ ତାଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି । ବ୍ୟକ୍ତି ଜଣଙ୍କ ଉତ୍ତରପ୍ରଦେଶର ବୋଲି ଜଣାପଡ଼ିଛି । ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ପୁରୀ ଏସପି ଦାୟିତ୍ଵରେ ଥିବା ପିନାକ ମିଶ୍ର କହିଛନ୍ତି, “ଶ୍ରୀମନ୍ଦିର ଭିତର ବେଢା଼ରେ ଥିବା ନୃସିଂହ ମନ୍ଦିର ନିକଟରୁ ଜଣେ ବ୍ୟକ୍ତି ଶ୍ରୀମନ୍ଦିର ଉପରକୁ ଚଢ଼ିବା ପାଇଁ ଉଦ୍ୟମ କରିଥିଲେ । ଠିକ୍ ସମୟରେ ତାକୁ ସୁରକ୍ଷା କର୍ମୀମାନେ ରୋକିଥିଲେ । ଉକ୍ତ ବ୍ୟକ୍ତିଙ୍କୁ ଆମେ ପଚରାଉଚରା କରୁଛୁ । ସେ ଉତ୍ତରପ୍ରଦେଶର ବାସିନ୍ଦା । ସେ ଭାବବିହ୍ୱଳ ହୋଇ ମନ୍ଦିର ଉପରକୁ ଚଢ଼ିବା ପାଇଁ ଉଦ୍ୟମ କରିଥିବା କହୁଛନ୍ତି । ଆମେ ତାଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛୁ ।ଗତ କିଛି ଦିନ ହେବ ଶ୍ରୀମନ୍ଦିର ଉପରକୁ ଚଢ଼ିବା ନେଇ 3ଟି ଘଟଣା ରିପୋର୍ଟ ଆସିଛି । ଅନେକ ଲୋକ ଭାବ ବିହ୍ୱଳ ହୋଇ ଏହି କାର୍ଯ୍ୟ କରୁଥିବା କହିଛନ୍ତି । ଅଟକ ଥିବା ବ୍ୟକ୍ତିଙ୍କ ବିଷୟରେ ସମ୍ପୂର୍ଣ୍ଣ ତଦନ୍ତ ପରେ ପୋଲିସ ସବୁ ଦିଗରୁ ଭରସା ଯୋଗ୍ୟ ତଥ୍ୟ ସହ ଉକ୍ତ ବ୍ୟକ୍ତିଙ୍କ କୌଣସି ଅପରାଧିକ ଗତିବିଧି ରେକର୍ଡ ନ ଥିଲେ ତାଙ୍କୁ ଆମେ ଛାଡ଼ି ଦେଉଛୁ । ଏଏସଆଇ ଓ ଶ୍ରୀମନ୍ଦିର ପ୍ରଶାସନ ସହିତ ଆମେ ଆଲୋଚୋନା କରି ଏହାକୁ କିଭଳି ରୋକିହେବ ସେ ନେଇ ପଦକ୍ଷେପ ନେବୁ । ଶ୍ରୀମନ୍ଦିର ଭିତରେ ମଧ୍ୟ ଏ ନେଇ ସୂଚନା ଫଳକ ଲଗାଯିବ ।”
ଆଜି ଶ୍ରୀମନ୍ଦିର ନୃସିଂହ ମନ୍ଦିର ନିକଟରୁ ଶ୍ରୀମନ୍ଦିର ଉପରକୁ ଚଢ଼ିବା ବେଳେ ଜଣେ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିରରେ ମୁତୟନ ଥିବା ଜଗନ୍ନାଥ ମନ୍ଦିର ପୋଲିସ (JTP) ଧରିଛି । ଶ୍ରଦ୍ଧାଳୁ ଜଣଙ୍କ ଉତ୍ତରପ୍ରଦେଶର ମନୋଜ ସିଂ ବୋଲି ଜଣାପଡିଛି । ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି । ତେବେ ଗତ ୧୬ ତାରିଖ ଦିନ ଜଣେ ଭକ୍ତ ଶ୍ରୀମନ୍ଦିର ବେହରଣ ଦ୍ଵାର ପଟରୁ ମନ୍ଦିର ଉପରକୁ ଚଢ଼ିବାକୁ ଉଦ୍ୟମ କରି ଧରାପଡିଥିଲେ । ଏହି ଘଟଣାକୁ ଗୁରୁତର ସହ ନେଇଥିଲା ପୁରୀ ପୋଲିସ ।
ଆଗାମୀ ଦିନରେ ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନଘଟେ ସେନେଇ ପୋଲିସ ପକ୍ଷରୁ ଶ୍ରୀମନ୍ଦିର ଭିତରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଶ୍ରୀମନ୍ଦିର ଉପରେ ଚଢ଼ିବାର ସମ୍ଭାବନା ଥିବା ସ୍ଥାନ ଗୁଡିକରେ ପୋଲିସ ପକ୍ଷରୁ ବ୍ୟାରିକେଡ଼ ଲଗାଯାଇ ରାସ୍ତାକୁ ସମ୍ପୂର୍ଣ୍ଣ ଅବରୋଧ କରାଯାଇଛି । ଶ୍ରୀମନ୍ଦିର ଭିତରେ ଥିବା ଏକାଦଶୀ ଘର ଓ ଦକ୍ଷିଣୀ ଘର ନିକଟରେ ଶ୍ରୀମନ୍ଦିର ଉପରକୁ ଚଢିବା ପାଇଁ ସୁବିଧା ଥିବାରୁ ଉକ୍ତ ସ୍ଥାନକୁ ବ୍ୟାରିକେଡ଼ ଲଗାଯାଇ ସମ୍ପୂର୍ଣ୍ଣ ସିଲ୍ କରାଯାଇଛି ।ଏଥିସହିତ ଉକ୍ତ ସ୍ଥାନରେ ନଜର ରଖିବାକୁ ପୋଲିସ ମୁତୟନ କରାଯାଇଛି । ଏହା ସତ୍ତ୍ୱେ ଜଣେ ଶ୍ରଦ୍ଧାଳୁ କିଭଳି ପୁଣି ଶ୍ରୀମନ୍ଦିର ଉପରକୁ ଚଢ଼ିବା ପାଇଁ ଉଦ୍ୟମ କଲେ ଏନେଇ ସୁରକ୍ଷା କର୍ମୀ ଜାଣିପାରିଲେନି ସେ ନେଇ ପ୍ରଶ୍ନ ଉଠିଛି ।
