
ଭଞ୍ଜନଗର ୨୨/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ଏବଂ ଏହାର ଆଖପାଖ ଅଞ୍ଚଳ ଗତ କିଛିବର୍ଷ ହେଲା ଧଳାଜହର ବା ବ୍ରାଉନ୍ସୁଗାର କାରବାର ପାଇଁ ସତେ ଯେପରି ନିରାପଦ ଅଞ୍ଚଳ ପାଲଟିଥିଲା। ନିଶା ବେପାରୀମାନେ କଲେଜ ପଢୁଆ ଛାତ୍ର, ବିଭିନ୍ନ ବସ୍ତି ଓ କଲୋନି ଅଞ୍ଚଳରେ ରହୁଥିବା ଯୁବକ ମାନଙ୍କୁ ଟାର୍ଗେଟ୍ କରୁଥିଲେ। ମାଫିଆମାନେ ସହରର ମଧ୍ୟଭାଗରେ ଯୋଜନାବଦ୍ଧ ଭାବେ ନିଜର ନେଟ୍ୱର୍କ ବଢାଉଥିବା ବେଳେ ଭଞ୍ଜନଗର ପୁଲିସ ଚଢାଉ କରି ୩୧ ଗ୍ରାମ୍ ୪୦୦ ମିଲିଗ୍ରାମ ଓଜନର ବ୍ରାଉନ୍ ସୁଗାର୍ ଜବତ କରିଛି। ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କାରୁ ଅଧିକ ହେବ। ଏହି କାରବାରରେ ସଂପୃକ୍ତ ତିନି ଜଣ ଅଭିଯୁକ୍ତଙ୍କୁ ମଧ୍ୟ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି।ଗିରଫ ଅଭିଯୁକ୍ତ ମାନେ ନୟାଗଡ ଜିଲ୍ଲା ଓଡଗାଁ ଥାନା ଇଲାକାର ରାକେଶ କୁମାର ବେହେରା, ଭଞ୍ଜନଗର ଥାନା ବାଉଁଶଲୁଣ୍ଡିର ଅମିତ୍ କୁମାର ବେହେରା ବୋଲି ଜଣାପଡିଛି। ଏହା ସହ ସେମାନଙ୍କ ନିକଟରୁ ନଗଦ ୨,୧୦୦ ଟଙ୍କା ଓ ଦୁଇଟି ମୋବାଇଲ ଫୋନ ଜବତ କରାଯାଇଥିବା ଅତିରିକ୍ତ ଏସପି ରଞ୍ଜନ କୁମାର ଦେ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୁଚନା ଦେଇଛନ୍ତି।
ସୁଚନାନୁସାରେ,ଭଞ୍ଜନଗର ସହରକୁ ଜିଲ୍ଲା ଓ ରାଜ୍ୟ ବାହାରରୁ ବ୍ରାଉନସୁଗର ଆସୁଥିବା ବେଳେ ସହର ଉପକଣ୍ଠ ଓ ମଧ୍ୟ ଭାଗରେ ସକାଳୁ ବିଳମ୍ବିତ ରାତି ଯାଏଁ ଏହି ନିଶା ବେପାର ଚାଲୁଥିଲା। ଅବାଧରେ ଏହି ନିଶାଦ୍ରବ୍ୟ ପହଞ୍ଚିଯାଉଥିବାରୁ ଯୁବକମାନେ ନିର୍ଦ୍ଦନ୍ଦ୍ବରେ ତାହା ସେବନ କରୁଥିଲେ। ବ୍ରାଉନସୁଗର କବଳରେ ପଡ଼ିଥିବା ଯୁବକ ସର୍ବସ୍ୱାନ୍ତ ହୋଇପଡୁଥିଲେ। ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ଛାଡ଼ି ଜୀବନକୁ ବରବାଦ କରୁଥିଲେ। ଚାହିଁଲେ ମଧ୍ୟ ସେମାନେ ଏହି ନିଶା ଛାଡ଼ି ପାରୁନଥିଲେ । ଫଳରେ ଏଭଳି ଯୁବକ ମାନଙ୍କ ବାପା, ମାଆମାନେ ଚିନ୍ତାରେ ରହୁଥିଲେ।ହେଲେ ଗତକାଲି ସହର ଉପକଣ୍ଠ ଜାମପଲ୍ଲୀ ଛକରେ ଏହି କାରବାର ଚାଲୁଥିବା ବେଳେ ଗଞ୍ଜାମ ଏସପିଙ୍କ ନିର୍ଦେଶ କ୍ରମେ ଭଞ୍ଜନଗର ଏସଡିପିଓ ଡ. ଦୀପକ କୁମାର ମିଶ୍ରଙ୍କ ତତ୍ବାବଧାନରେ ଥାନା ଅଧିକାରୀ ଜିବନାନନ୍ଦ ଜେନା ଙ୍କ ନେତୃତ୍ବରେ ପୁଲିସ ଟିମ୍ ସେଠାରେ ଚଢାଉ କରିଥିଲା। ଚଢାଉ ସମୟରେ ପୁଲିସ ୩୧ ଗ୍ରାମରୁ ଉର୍ଦ୍ଧ୍ୱ ବ୍ରାଉନସୁଗର ଜବତ କରିଥିଲା। ମାଜିଷ୍ଟ୍ରେଟ ତଥା ଭାରପ୍ରାପ୍ତ ତହସିଲଦାର ଅବିନାଶ ମାହାର ଙ୍କ ଉପସ୍ଥିତିରେ ଜବତ ବ୍ରାଉନସୁଗରର ଓଜନ କରାଯାଇଥିଲା।ଏନେଇ ଏକ ମାମଲା ରୁଜୁ କରାଯାଈ ତିନି ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏହି କାରବାରରେ ଆଉ କେଉଁ ମାନେ ସଂପୃକ୍ତ ଅଛନ୍ତି ସେନେଇ ଅଧିକ ତଦନ୍ତ ଚାଲିଥିବା ଅତିରିକ୍ତ ଏସପି ଶ୍ରୀ ଦେ ପ୍ରକାଶ କରିଛନ୍ତି।