କଳାହାଣ୍ଡିରୁ କିଲିମାଞ୍ଜାରୋ ଯାତ୍ରା, ପର୍ବତାରୋହୀ ରାହୁଲଙ୍କ ରେକର୍ଡ

ଭୁବନେଶ୍ବର: ତାଙ୍କ ପାଦକୁ ବାନ୍ଧି ପାରିନି ଅର୍ଥ ଅଭାବର ବେଡି । ଦୃଢ଼ ମନୋବଳ ରଖି ସେ ଆଗକୁ ବଢ଼ିଥିଲେ । ଲକ୍ଷ୍ୟ ଥିଲା ଓଡ଼ିଶା ଓ ଭାରତ ପାଇଁ ନୂଆ ରେକର୍ଡ଼ ସ୍ରୁଷ୍ଟି କରିବା । ଆଉ ତାଙ୍କ ସେ ଇଚ୍ଛା ଆଜି ସଫଳ ହୋଇଛି । ପ୍ରଥମ ଭାରତୀୟ ଭାବେ ମାତ୍ର 15 ଘଣ୍ଟା 53 ମିନିଟରେ ଆଫ୍ରିକାର 5,895 ମିଟର (19,341 ଫୁଟ) ଉଚ୍ଚତା ବିଶିଷ୍ଟ ଦକ୍ଷିଣ ଆଫ୍ରିକାର ଉଚ୍ଚତମ ଗିରିଶୃଙ୍ଗ କିଲିମାଞ୍ଜାରୋ ଆରୋହଣ କରି ରେକର୍ଡ କରିଛନ୍ତି ଓଡିଆ ପୁଅ କଳାହାଣ୍ଡିର ରାହୁଲ ପ୍ରଧାନ ।

ଯୁବ ପର୍ବତାରୋହୀ ରାହୁଲ ପ୍ରଧାନ:କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ରାହୁଲ ପ୍ରଧାନ । ରାହୁଲଙ୍କ ବାପା ଜଣେ କୃଷକ ହୋଇଥିବା ବେଳେ ମାଆ ଜଣେ ଗୃହିଣୀ । ଘରର ଆର୍ଥିକ ସମ୍ବଳ ସୁଦୃଢ଼ ନାହିଁ । ଅର୍ଥର ଘୋର ଅଭାବ ଭିତରେ ବି ନିଜ ଇଚ୍ଛାକୁ ମରିବାକୁ ଦେଇନାହାନ୍ତି ନାହାନ୍ତି ରାହୁଲ । ପୂର୍ବରୁ ଅନେକ ସଫଳତା ହାସଲ କରିଥିବା ରାହୁଲ କିଲିମାଞ୍ଜାରୋ ଗିରିଶୃଙ୍ଗ ଆହୋରଣ କରିବାର ଲକ୍ଷ୍ୟ ରଖି ଆଗକୁ ବଢ଼ିଥିଲେ । ଯେଉଁ ଗିରିଶୃଙ୍ଗ ଆରୋହଣ କରିବା ପାଇଁ 5ରୁ 6 ଦିନ ସମୟ ଲାଗେ, ରାହୁଲ ପ୍ରଥମ ଭାରତୀୟ ଭାବେ 2 ଦିନ ଭିତରେ ମାତ୍ର 15 ଘଣ୍ଟା 53 ମିନିଟରେ ଆରୋହଣ କରି ରେକର୍ଡ ସୃଷ୍ଟି କରିଛନ୍ତି ।

କେତେ କଷ୍ଟ ଥିଲା କିଲିମାଞ୍ଜାରୋ ଯାତ୍ରା:ରାହୁଲ ପ୍ରଧାନଙ୍କ କହିବା ଅନୁସାରେ, କଳାହାଣ୍ଡିର ଏକ ଗରିବ ପରିବାରରୁ କିଲିମାଞ୍ଜାରୋ ଯାତ୍ରା ଏତେ ସହଜ ନଥିଲା । ଦକ୍ଷିଣ ଆଫ୍ରିକାର ଏହି ଉଚ୍ଚତମ ଗିରିଶୃଙ୍ଗ ଆରୋହଣ କରିବା ପାଇଁ ପ୍ରଥମତଃ ଅର୍ଥ ବାଧକ ସାଜିଥିଲା । କିନ୍ତୁ ପରିବାର ଧାର କରଜ କରି ଟଙ୍କା ଆଣିବା ସହ ସାଙ୍ଗ ସାଥିଙ୍କ ଠାରୁ ଉଧାର ଆଣିଥିଲେ ରାହୁଲ । ଗୋଟିଏ ମହାଦେଶରୁ ଆଉ ଗୋଟିଏ ମହାଦେଶ ଯାଇ ପାହାଡ ଚଢିବା ଭାବିଲା ବେଳେ କଷ୍ଟ ଲାଗୁଥିଲା । ଓଡିଶାରୁ ସେ ଜାଗାକୁ ବହୁ ଲୋକ ଯାଇଛନ୍ତି ହେଲେ କିଛି ନୂଆ କରିବା ପାଇଁ ତାଙ୍କର ଇଚ୍ଛା ଥିଲା । ସେଠାକାର ଜଳବାୟୁ ବହୁତ ବିପଦ ଥିଲା । ହେଲେ ରାହୁଲଙ୍କ ମନରେ ଥିଲା ଓଡ଼ିଶା ଏବଂ ଭାରତ ପାଇଁ ନୂଆ ରେକର୍ଡ଼ ସ୍ରୁଷ୍ଟି କରିବା ଇଚ୍ଛା । ତେଣୁ 2 ଦିନ ଭିତରେ ସେ ଏହି ଗିରିଶୃଙ୍ଗ ମାତ୍ର 15 ଘଣ୍ଟା 53 ମିନିଟରେ ଆହୋରଣ କରିଥିଲେ ।

ପ୍ରଥମ ଭାରତୀୟ ଭାବରେ ରେକର୍ଡ:ରାହୁଲ ପ୍ରଧାନ କହିଛନ୍ତି, “ପ୍ରଭୁ ଜଗନ୍ନାଥ, ମା’ ମାଣୀକେଶ୍ବରୀ ଓ ମା’ ସମଲେଶ୍ବରୀଙ୍କୁ ସ୍ମରଣ କରି ପର୍ବତାରୋହଣ ଆରମ୍ଭ କରିଥିଲି । ମାଉଣ୍ଟ କିଲିମାଞ୍ଜାରୋ ରାତ୍ରିରେ ଚଡ଼ିବା ମୋ ପାଇଁ ସୌଭାଗ୍ୟ ଥିଲା । ଏସିଆର ପ୍ରଥମ ବ୍ଯକ୍ତି ଭାବରେ ମୁଁ ମାଉଣ୍ଟ କିଲିମାଞ୍ଜାରୋ ଚଢିଛି । ତାଞ୍ଜାନିଆ ସମୟ ଅନୁସାରେ ରାତି 11:25 (ଭାରତୀୟ ସମୟ 1:55)ରେ ମୁଁ ପର୍ବତ ଚଢିବା ଆରମ୍ଭ କରିଥିଲି । ମୋ ପୂର୍ବରୁ ପାକିସ୍ତାନ ଜଣେ ରେକର୍ଡ଼ କରିଥିଲେ । ସେ ଅଲଗା ରୁଟରେ ଯାଇଥିଲା କିନ୍ତୁ ମୋ ରୁଟ ଅଲଗା ଥିଲା । ମୁଁ ମରାଙ୍ଗ ରୁଟରେ ଚଢିଥିଲି । ଏହି ରୁଟରେ ପ୍ରଥମ ଭାରତୀୟ ତଥା ପ୍ରଥମ ଏସିଆନ ଭାବରେ କିଲିମାଞ୍ଜାରୋ ଚଢିଛି ।”

ଅର୍ଥର ଅଭାବ:ତେବେ ଗତବର୍ଷ ପ୍ରଥମ ଓଡ଼ିଆ ଭାବରେ 22 ଘଣ୍ଟା ମଧ୍ୟରେ ୟୁରୋପର ଉଚ୍ଚତମ ପର୍ବତ ଶୃଙ୍ଗ ମାଉଣ୍ଟେ ଏଲବ୍ରୁସ ଚଢି ରାହୁଲ ରେକର୍ଡ କରିଥିଲେ । ବର୍ତ୍ତମାନ ଦକ୍ଷିଣ ଆଫ୍ରିକାର କିଲିମାଞ୍ଜାରୋ ଆରୋହଣ ଶେଷ କରିଛନ୍ତି । ଆଗକୁ ଅନ୍ୟ ମହାଦେଶର ଉଚ୍ଚତମ ଗିରିଶୃଙ୍ଗ ଆରୋହଣର ଲକ୍ଷ୍ୟ ରଖିଛନ୍ତି । କିନ୍ତୁ ତାଙ୍କ ପାଖରେ ଅର୍ଥର ଅଭାବ ରହିଛି ।

ରାହୁଲ କହିଛନ୍ତି, “ମୋତେ ଏପଯର୍ଯନ୍ତ ସେମିତି କିଛି ଆର୍ଥିକ ସହଯୋଗ ମିଳିନାହିଁ । କିଲିମାଞ୍ଜାରୋ ଆରୋହଣ କରିବା ମୋ ପାଇଁ ବହୁତ କଷ୍ଟ ଥିଲା । ମୋ ପିରାବର, ସାଙ୍ଗ ସାଥିମାନଙ୍କ ଠାରୁ ଟଙ୍କା ଉଧାର କରି ଆଣି ଏହି ସଫଳତା ପାଇଛି । ମୋ ପରିବାର ଏଥିପାଇଁ ବହୁତ କଷ୍ଟ କରିଛନ୍ତି । ଓଡିଶାରୁ ଯଦି କିଛି ଆର୍ଥିକ ସାହାଯ୍ୟ ମିଳିବ ମୁଁ ଆଗକୁ ବଢ଼ି ପାରିବି । ଆଗକୁ ଅନ୍ୟ ମହାଦେଶର ଉଚ୍ଚତମ ପର୍ବତ ଆରୋହଣ କରିବା ମୋର ଲକ୍ଷ୍ୟ ରହିଛି ।ରାହୁଲଙ୍କ ଶିକ୍ଷାଗତ ଯୋଗ୍ୟତା:ରାହୁଲ ପ୍ରଧାନ ମାଉଣ୍ଟେନ ଉପରେ ସ୍ପେଶାଲ କୋର୍ସ (ବେସିକ ମାଉଣ୍ଟେନିଂ କୋର୍ସ ଓ ଆଡଭାନ୍ସ ମାଉଣ୍ଟେନିଂ କୋର୍ସ) କରିଛନ୍ତି । ଏହାସହ ସେ ଯୋଗରେ ସ୍ନାତକତ୍ତୋର (Master Degree) ଉତ୍ତୀର୍ଣ୍ଣ ହୋଇଛନ୍ତି । ଏବେ ତାଙ୍କର ଗୋଟିଏ ଅନଲାଇନ ସପ୍‌ ଥିବା ବେଳେ ସେ ସେଠାରେ କାମ କରନ୍ତି । ଘର ଆର୍ଥିକ ରୋଜଗାର କହିବାକୁ ଗଲେ ବାପା କୃଷକ, ମା’ ଗୃହିଣୀ ।

ଅର୍ଥ ଅଭାବ ସତ୍ତ୍ବେ ପରିବାର ଲୋକ ସବୁବେଳେ ସହଯୋଗ କରୁଥିବା କହିଛନ୍ତି ରାହୁଲ ତେବେ ସରକାରଙ୍କୁ ପକ୍ଷରୁ କିଛି ସହାୟତା ମିଳେ କି ନିହେଁ ପ୍ରଶ୍ନରେ ରାହୁଲ କହିଛନ୍ତି, “ଓଡ଼ିଆ କ୍ରୀଡା ବିଭାଗ ପ୍ରତିବର୍ଷ ଆଡଭେଞ୍ଚର ସ୍ପୋର୍ଟ୍ସ ନାମରେ ଗୋଟିଏ ଆୱାର୍ଡ ଦିଆଯାଏ । ଯେଉଁଥିରେ 2 ଲକ୍ଷ ଟଙ୍କା ମିଳିଥାଏ । ସେଥିରୁ ଟ୍ଯକ୍ସ କଟିବା ପରେ ପାଖାପାଖି 1 ଲକ୍ଷ 36 ହଜାର ଆସେ । ଏହାକୁ ସ୍ପୋର୍ଟ ବିଭାଗ ଟ୍ୟାକ୍ସ ଫ୍ରୀ କରିବା ଦରକାର । କାରଣ ଆମକୁ ପାଖାପାଖି 3 ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । ସ୍ପୋର୍ଟ ବିଭାଗ ଆମକୁ ସାହାଯ୍ୟ କଲେ ବହୁତ ଆଗକୁ ଯାଇ ଓଡିଶା ଏବଂ ଭାରତ ପାଇଁ ନାମ ରଖିବି ।”