
ଭଞ୍ଜନଗର ୨୪/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଓଡିଆ ଭାଷାର ସୁରକ୍ଷା ପାଇଁ ପ୍ରଥମ କରି ତତକାଳୀନ ରସଲକୋଣ୍ଡା ବର୍ତ୍ତମାନର ଘୁମୁସର ରାଜସ୍ୱ ଉପଖଣ୍ଡ ଭଞ୍ଜନଗରରେ ୧୮୭୦ ମସିହା ସେପ୍ଟେମ୍ବର ୧୧ରେ ଦିନବନ୍ଧୁ ପଟ୍ଟନାୟକଙ୍କ ନେତୃତ୍ଵରେ ଓଡିଆ ଭାଷା ଆନ୍ଦୋଳନର ବିଗୁଲ ବାଜିଥିଲା। ପରେ ଜାତିପ୍ରେମୀ ଓଡ଼ିଆଙ୍କ ଏକ ସମ୍ମିଳନୀ ବେଙ୍ଗାଲ, ମାଡ୍ରାସ ଓ ମଧ୍ୟପ୍ରଦେଶରୁ ସବୁ ଓଡ଼ିଆ ଅଂଚଳକୁ ଆଣି କଟକ ପୁରୀ ସହ ମିଶାଇ ଭାଷାଭିତ୍ତିରେ ଓଡିଶା ପ୍ରଦେଶ ଗଠନ କରିବାକୁ ସେ ଦିନ ଏକ ସଂକଳ୍ପ ପାରିତ ହୋଇଥିଲା। ଯାହା ଓଡିଶା ପ୍ରଦେଶ ଗଠନର ଭିତ୍ତି ଭୂମି ସୃଷ୍ଟି କରିଥିଲା। ସେଇ ସ୍ମୃତିକୁ ଜାଗୃତ କରିବା ପାଇଁ ଆସନ୍ତା ମାସ ୧୧ ତାରିଖରେ ଘୁମୁସର ବିକାଶ ପରିଷଦ ପକ୍ଷରୁ ଭଞ୍ଜନଗର ରେ ଘୁମୁସର ଦିବସ ପାଳନ କରାଯିବ। ଏନେଇ ରବିବାର ସ୍ଥାନୀୟ ବନବିଭାଗ ଡାକ ବଙ୍ଗଳା ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଘୁମୁସର ବିକାଶ ପରିଷଦର ସଭାପତି ସୋମନାଥ ନାୟକ ସୁଚନା ଦେଇଛନ୍ତି।
ପ୍ରଥମ କରି ଘୁମୁସର ଦିବସ ୧୦୦ଟି ଗ୍ରାମ ପଞ୍ଚୟତ, ୫ଟି ବ୍ଲକରେ ପଥପ୍ରାନ୍ତ ସଭା, ସ୍ଥାନୀୟ ସମସ୍ତ ଅନୁଷ୍ଠାନ, ରାଜନୈତିକ ଦଳ ସହଯୋଗରେ ଘୁମୁସର ଦିବସକୁ ଗଣପର୍ବ ରୂପେ ପାଳନ କରିଯିବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ବୀର ଚକରା ବିଷୋୟୀଙ୍କ ସମେତ ଜାତୀୟ ଗୋବଂଶ ଘୁମୁସରୀ ଗାଇର କାହାଣୀ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ନିଆଯିବ ବୋଲି ପରିଷଦ ସମ୍ପାଦକ ପ୍ରକାଶ ସାହୁ କହିଛନ୍ତି।ସାମ୍ବାଦିକ ସମ୍ମିଳନୀ ରେ ପରିଷଦର ଉପଦେଷ୍ଠା ଡାଃ କୃତିବାସ ବିଶ୍ଵାଳ, ବରିଷ୍ଟ କର୍ମକର୍ତ୍ତା ସୁଶାନ୍ତ ପାତ୍ର, ରବିନାରାୟଣ ସାମନ୍ତ, ଗୋପାଳ ଚନ୍ଦ୍ର ଲେଙ୍କାଙ୍କ ସମେତ ବହୁ ବୁଦ୍ଧିଜୀବି ଉପସ୍ଥିତି ଥିଲେ।