୧୫ ଦିନରେ ୧୮ ଜଣଙ୍କୁ କାମୁଡି ଆତଙ୍କ ସୃଷ୍ଟି କରିଛନ୍ତି ବୁଲା କୁକୁର, ଅତିଷ୍ଠ ହେଲେଣି ବାଲେଶ୍ବରବାସୀ

ବାଲେଶ୍ବର: ଡରାଉଛନ୍ତି ବୁଲା କୁକୁର । ଛକ ଛକରେ ବୁଲା କୁକୁରଙ୍କ ଆତଙ୍କରେ ଅତିଷ୍ଠ ହେଲେଣି ବାଲେଶ୍ବରବାସୀ । କେତେବେଳେ ଗାଡ଼ି ଆଗକୁ ମାଡି ଆସୁଛନ୍ତି ତ ଆଉ କେତେବେଳେ କାମୁଡି ଦେଉଛନ୍ତି । ସହରରେ ୧୫ ଦିନ ଭିତରେ ୧୮ ଜଣଙ୍କୁ କାମୁଡି ନିଜର ଆତଙ୍କ ସୃଷ୍ଟି କଲେଣି ବୁଲା କୁକୁର । ଅନ୍ୟପଟେ ପୌରାଧ୍ୟକ୍ଷା କହିଛନ୍ତି, ଫଣ୍ଡ୍ ଅଛି, ଉପଯୁକ୍ତ ତାଲିମ ପ୍ରାପ୍ତ କୁକୁର ଧରାଳି ନାହାନ୍ତି ଓ ସରକାରଙ୍କ ଅନୁମତି ମିଳିଲେ ବନ୍ଧ୍ୟାକରଣ ଆରମ୍ଭ ହେବ।ଛୋଟ ଛୋଟ ପିଲାମାନଙ୍କୁ ବୁଲା କୁକୁରଙ୍କ ଆତଙ୍କ ସମ୍ପର୍କରେ ବୁଝାଇଛନ୍ତି ଜଣେ ଶିକ୍ଷୟିତ୍ରୀ । ରାସ୍ତାରେ ଏକା ନ ଯିବା ସହ ଅଭିଭାବକଙ୍କ ସହ ଯିବା ପାଇଁ କହୁଥିବା ବେଳେ ହାତରେ ବାଡି ଧରି ଚାଲିବା ପାଇଁ ପିଲାଙ୍କୁ ଅବଗତ କରିଛନ୍ତି । କାରଣ ଏବେ ଛକ ଛକରେ କୁକୁରମାନେ ଆଡ୍ଡା ଜମାଇଛନ୍ତି । ଏଥିରୁ ଅନୁମାନ କରାଯାଉଛି ବୁଲା କୁକୁରଙ୍କ ଆତଙ୍କରେ କିଭଳି ହନ୍ତସନ୍ତ ହେଉଛନ୍ତି ବାଲେଶ୍ବର ସହରବାସୀ । ଗୋଡେଇ ଗୋଡ଼େଇ ଲୋକଙ୍କୁ ଆକ୍ରମଣ କରୁଛନ୍ତି ନହେଲେ ପରସ୍ପର ମଧ୍ୟରେ ଗୋଡା ଗୋଡ଼ି ହୋଇ ଗାଡ଼ି ଆଗକୁ ମାଡି ଆସୁଛନ୍ତି ଏହି ବୁଲା କୁକୁର । କେତେବେଳେ କିଏ ଦୁର୍ଘଟଣାଗ୍ରସ୍ତ ହୋଇ ଖଣ୍ଡିଆ ଖାବରା ହେଉଛି ତ ଆଉ କାହାକୁ କାମୁଡି ଗୁରୁତର କଲେଣି ଏହି ବୁଲା କୁକୁରମାନେ । ଏତିକି ନୁହଁ ବରଂ ଜନ ଗହଳି ପୂର୍ଣ୍ଣ ଅଞ୍ଚଳରେ ବୁଲା କୁକୁରଙ୍କ ପ୍ରାଦୁର୍ଭାବ ଏବେ ଲୋକଙ୍କ ମନରେ ଡର ଆଣିଛି । ନିକଟରେ କେବଳ ବାଲେଶ୍ବର ସହରର ବାରବାଟି ଅଞ୍ଚଳର ବାସନ୍ତୀ ସେଣ୍ ନିଜ ନାତିକୁ ସ୍କୁଲ ଛାଡ଼ିବାକୁ ଯାଉଥିବା ବେଳେ ବୁଲା କୁକୁରଙ୍କ ଆକ୍ରମଣର ଶିକାର ହୋଇଥିଲେ । ଜୀବନ ବିକଳରେ ନାତିକୁ ଡ୍ରେନ କୁ ଠେଲି ଦେଇ ସେଠାରୁ ବଞ୍ଚିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ବୁଲା କୁକୁରଙ୍କ ଆକ୍ରମଣର ଶିକାର ହୋଇଥିଲେ ୬୫ ବର୍ଷୀୟ ବାସନ୍ତୀ ।ବାଲେଶ୍ୱର ସହରର ବିଭିନ୍ନ ୱାର୍ଡରେ ଗତ ୧୫ ଦିନ ମଧ୍ୟରେ ବୁଲା କୁକୁରଙ୍କ ଆତଙ୍କରେ ୨୦ ଜଣ କୁକୁର କାମୁଡ଼ାରେ ଚିକିତ୍ସିତ ହେଉଛନ୍ତି । ଅନ୍ୟପଟେ କୁକୁର କାମୁଡ଼ା ଇଞ୍ଜେକ୍ସନ ପାଇଁ ମଧ୍ୟ ମେଡିକାଲରେ ଭିଡ଼ ଲାଗୁଛି । ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ ପାଖରୁ ମିଳିଥିବା ସୂଚନା ଅନୁଯାୟୀ ସହରର ୩୧ ଟି ୱାର୍ଡରେ ପାଖାପାଖି ୧୫୦୦ରୁ ଉର୍ଦ୍ଧ୍ବ ବୁଲା କୁକୁର ରହିଛନ୍ତି । ପୂର୍ବରୁ ପୌରପାଳିକା ଦ୍ଵାରା ବୁଲା କୁକୁରଙ୍କୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଗାଡ଼ି ବ୍ୟବହାର ହେଉଥିଲା କିନ୍ତୁ ବାଲେଶ୍ବର ପୌର ପାଳିକାରେ ଏଭଳି ସୁବିଧା ଉପଲବ୍ଧ କି ନାହିଁ ତାହା ଦେଖିବାକୁ ମିଳିଲା ନାହିଁ ।ପୌରପାଳିକା ଅଧ୍ୟକ୍ଷା କହିଛନ୍ତି , ସହର ବିଭିନ୍ନ ସ୍ଥାନରୁ ବହୁଳ ମାତ୍ରାରେ କୁକୁର କାମୁଡ଼ା ଅଭିଯୋଗ ଆସୁଛି ମାତ୍ର ଏହାକୁ ନେଇ ଏବେ ସରକାରୀ ନିୟମ କିଛି ନାହିଁ । ପୌରପାଳିକା ନିକଟରେ ଅର୍ଥ ଅଛି କିନ୍ତୁ ଉପଯୁକ୍ତ ତାଲିମ ପ୍ରାପ୍ତ କୁକୁର ଧରାଳି ନାହାନ୍ତି । ଏହା ସହ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଆସିଲେ ତୁରନ୍ତ କାର୍ଯ୍ୟକାରୀ କରାଯିବ ବୋଲି ସେ କହିଛନ୍ତି ।ବୁଲା କୁକୁରଙ୍କ ସମସ୍ୟା ବାଲେଶ୍ୱରବାସୀଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । କୁକୁର ସମସ୍ୟା ପାଇଁ ସ୍ଥାୟୀ ପ୍ରତିକାର ଦିଗରେ ସରକାର ଚିନ୍ତା କରନ୍ତୁ ବୋଲି ବିଭିନ୍ନ ମହଲରୁ ଦାବି ହେଉଛି ।