
ପୁଣି ଉବୁଟୁବୁ ଉତ୍ତର ଓଡ଼ିଶା। ସୁବର୍ଣ୍ଣରେଖା ଓ ବୈତରଣୀ ଜଳସ୍ତର ବିପଦସଂକେତ ଉପରେ ଥିବା ବେଳେ, ୨୮ ତାରିଖ ଯାଏଁ ରହିଛି ଅତି ପ୍ରବଳ ବର୍ଷା ସମ୍ଭାବନା। ତେଣୁ ଆଗକୁ ବର୍ଷା ଲାଗିରହିଲେ ବାଲେଶ୍ବର, ଭଦ୍ରକ ଓ ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପୁଣି ବନ୍ୟା ଆସିବାର ଆଶଙ୍କା ରହିଛି। ପୁଣି ବନ୍ୟା ହେଲେ ସୁବର୍ଣ୍ଣରେଖାରେ ଏହା ଷଷ୍ଠ ବନ୍ୟା ହେବ। ସେପଟେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରୁ ବନ୍ଧ ଭାଙ୍ଗିବା ଓ ମାଟି ଧସିବା ଆଦି ଘଟଣା ସାମ୍ନାକୁ ଆସିଥିବା ବେଳେ, ଭୋଗରାଇ ଅଞ୍ଚଳରେ ପ୍ରଖର ସୁଅରୁ ଅଳ୍ପକେ ବର୍ତ୍ତି ଯାଇଛି ୩ ଜୀବନ।…

ଲଘଚାପଜନିତ ଲଗାଣ ବର୍ଷା ଫଳରେ ଉତ୍ତର ଓଡ଼ିଶାରେ ପୁଣି ଥରେ ଉବୁଟୁବୁ ସ୍ଥିତି। ସୁବର୍ଣ୍ଣରେଖାରେ ଷଷ୍ଠ ଥର ଏବଂ ବୈତରଣୀରେ ତୃତୀୟ ଥର ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ଯାହା ଫଳରେ ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର ତଳିଆ ଅଞ୍ଚଳବାସୀଙ୍କ ମନରେ ଛନକା ପଶିଛି। ଦେଖନ୍ତୁ ଏ ଦୃଶ୍ୟକୁ।… ଅଳ୍ପକେ ବର୍ତ୍ତିଯାଇଛି ତିନି ତିନିଟି ଜୀବନ। ଭୋଗରାଇ ଗଛିଦା ସ୍ଲୁଇସ୍ ଗେଟ୍ ନିକଟରେ ସୁବର୍ଣ୍ଣରେଖାର ପ୍ରଖର ସୁଅରୁ ୨ ବାଇକ୍ ଆରୋହୀ ସମେତ ୩ ଜଣଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ।ଉଛୁଳା ନଦୀରେ ଡଙ୍ଗା ବୁଡ଼ିଯିବା ପରେ, ଏକ ଗଛକୁ ଧରି ସେମାନେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ରାଜଘାଟ ଠାରେ ସୁବର୍ଣ୍ଣରେଖା ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ବେଳେ; ବସ୍ତା, ବାଲିଆପାଳ, ଜଳେଶ୍ୱର ଓ ଭୋଗରାଇ ଅଂଚଳ ପ୍ରଭାବିତ ହୋଇଛି। ବାଲିଆପାଳ ବ୍ଲକର ୨୦ଟି ଗାଁରେ ପାଣି ପଶିଥିବା ବେଳେ, ଧାନ ଓ ପନିପରିବା ଚାଷ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଏପଟେ ବାଲେଶ୍ବର ରେମୁଣାର ସୁନ, ଗଙ୍ଗାହାର, ବୁଢ଼ାବଳଙ୍ଗ ସହିତ ବଂଶଧାରା ଜଳସ୍ତର ବି ବୃଦ୍ଧି ପାଉଥିବା ସୂଚନା ମିଳିଛି। ଓଟିଭିରେ ଖବର ପ୍ରସାରଣ ପରେ, ରେମୁଣା ଜମ୍ବୁଡ଼ା ଗାଁରେ ୬ ଦିନ ଧରି ପାଣି ଘେରରେ ଫସିଥିବା ୩ଟି ପରିବାରକୁ ଉଦ୍ଧାର କରିଛି ପ୍ରଶାସନ।
, ବର୍ଷା କିମ୍ବା ଝଡ଼ ମଧ୍ୟ ଏମାନଙ୍କୁ ଅଟକାଇ ପାରୁନି ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ବୈତରଣୀ ଜଳସ୍ତର ବି ବିପଦ ସଂକେତ ଉପରେ। ପ୍ରବଳ ବର୍ଷା ଓ ପ୍ରଖର ସୁଅ ଯୋଗୁଁ ଧସିଯାଇଛି ଭଦ୍ରକ ଜିଲ୍ଲା ଷୋଳମପୁର ବିନ୍ଧାଣ ବ୍ୟାରେଜ ପାଖ ପଥର ବନ୍ଧ । ସେପଟେ ଯାଜପୁର ଜିଲ୍ଲାର ଦଶରଥପୁର ଓ କୋରେଇ ବ୍ଲକରେ ଦେଖାଦେଇଛି ବନ୍ୟା ସ୍ଥିତି। ଶାଖା କାଣୀ ନଦୀ ଲାଗି ଦଶରଥପୁର ବ୍ଲକର ତଳିଆ ଅଂଚଳ ଲାଗି ବିପଦ ସୃଷ୍ଟି ହୋଇଛି। ସପ୍ତମାତୃକା ମନ୍ଦିରରେ ଅଣ୍ଟାଏ ଲେଖାଏଁ ପାଣି ପଶିଥିବାବେଳେ ଦଶରଥପୁର ବ୍ଲକ ସିଦ୍ଧେଶ୍ବର ମନ୍ଦିର ଏବଂ ଏହାର ପାର୍ଶ୍ବ ମନ୍ଦିର ବୁଡ଼ି ଯାଇଛି। ତେଣେ ଦଶରଥପୁର ବ୍ଲକର ତଳିଆ ଅଂଚଳରେ ଥିବା ୪ଟି ପଂଚାୟତରେ ପାଣି ପଶିଥିବାରୁ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି।ସେପଟେ ଶିମିଳିପାଳ ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା କାଳ ଡ୍ୟାମର ଗୋଟିଏ ଗେଟ୍ ଖୋଲାଯାଇଛି । ଏଣେ କେନ୍ଦୁଝର ଜିଲ୍ଲାର ଜୁଡ଼ିଆଘାଟି ଓ କାଞ୍ଜିପାଣି ଘାଟିରେ ମାଟି ଅତଡ଼ା ଖସିଛି। ଫଳରେ ୪୯ ନମ୍ୱର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।…ଏବେବି ଟଳିନି ବନ୍ୟା ବିପଦ। ଆସନ୍ତାକାଲି ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ, ଆହୁରି ବଢ଼ିପାରେ ବିଭିନ୍ନ ନଦୀର ଜଳସ୍ତର। ଆସନ୍ତା ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର ଘନୀଭୂତ ହେବା ସମ୍ଭାବନା ଥିବାରୁ, ପ୍ରାୟ ସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଏବଂ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ଏବଂ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ କୁହାଯାଇଛି। ଏପଟେ ହୀରାକୁଦ ଜଳଭଣ୍ଡାରରେ ଆଜି ଆଉ ୪ଟିକୁ ମିଶାଇ ମୋଟ୍ ୧୨ଟି ଗେଟ୍ ଖୋଲାଯାଇଥିବା ବେଳେ, ଏବେ ମହାନଦୀରେ କୌଣସି ବଡ଼ ବନ୍ୟା ଆଶଙ୍କା ନାହିଁ ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ।…