
ଆଉ ଦିନକ ପରେ ଗଣେଶ ପୂଜା । ଧରା ପୃଷ୍ଠକୁ ଅବତରଣ କରିବେ ବିଘ୍ନ ବିନାଶକ ଗଣେଶ । ଏଥିପାଇଁ ଚଳଚଞ୍ଚଳ ଗାଁ ଠୁ ସହର । ଯିଏ ଏ ଦୁନିଆର ସ୍ରଷ୍ଟା ତାକୁ କେବଳ ସୃଷ୍ଟି କରିପାରେ କେବଳ ଜଣେ ଶିଳ୍ପୀ । ଶିଳ୍ପୀ ହାତର ସ୍ପର୍ଶ ପାଇ ଜୀବନ୍ତ ପ୍ରାୟ ଦିଶିବେ ଭଗବାନ । ପୁରୋହିତର ମନ୍ତ୍ରପାଠ ପରେ ଜୀବନ୍ୟାସ ପାଇବେ ଠାକୁର । ସବୁଠାରେ ଚାଲିଛି ମୂର୍ତ୍ତି ତିଆରି କାମ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ଗଣେଶ ପୁଜା ପାଇଁ ମୂର୍ତ୍ତି କାରିଗର ମାନେ ଜୋରସୋରରେ ଲାଗି ପଡିଛନ୍ତି ।ଯେତିକି ପୂଜା ପାଖେଇ ଆସୁଛି ସେତିକି ମୂର୍ତ୍ତି କାରିଗରମାନଙ୍କ କାମ ସରି ସରି ଆସୁଥିବା ବେଳେ ପୂଜା କମିଟି ଗୁଡ଼ିକ ମଧ୍ୟ ପେଣ୍ଡାଲ ତିଆରିରେ ଲାଗି ପଡ଼ିଛନ୍ତି । ମାଟିରେ ଲେପ ଦେଇ ପ୍ରସ୍ତୁତ ହେଉଛି ସୁନ୍ଦର ସୁନ୍ଦର ଗଣେଶ ମୂର୍ତ୍ତି । ଗଜାନନଙ୍କର ଛୋଟ ପ୍ରତିମା ଠାରୁ ଆରମ୍ଭ କରି ବଡ ପ୍ରତିମା ଗୁଡ଼ିକୁ ବିଭିନ୍ନ ଭଙ୍ଗୀରେ ନିର୍ମାଣ କରୁଛନ୍ତି କାରିଗର । ଗୋଟିଏ କି ଦୁଇଟି ନୁହେଁ ବିନିକା ସହରର ବିଭିନ୍ନ ସ୍ଥାନରେ ମୂର୍ତ୍ତି କାରିଗରମାନେ ତିଆରି କରୁଛନ୍ତି ଶହ ଶହ ଗଣେଶ ମୂର୍ତ୍ତି ।ବିଭିନ୍ନ ପ୍ରକାର ଡିଜାଇନ୍ ରେ ତିଆରି ହେଉଛନ୍ତି ଗଣେଶ । କେଉଁଠି ଶିଳ୍ପୀ ତାର ସୃଜଶୀଳତାକୁ ମାଟିରେ ଆକାର ଦେବାକୁ ଚେଷ୍ଟା କରୁଛି ତ କେଉଁଠି ମୋବାଇଲରେ ଫଟୋ ଦେଖି ଗ୍ରାହକ ବରାଦ କରୁଛି ଡିଜାଇନ୍ । ତେବେ ଏଥିରେ ଭଲ ଦୁଇ ପଇସା ରୋଜଗାର କରୁଛନ୍ତି କାରିଗର । ଏପରିକି ସୁଦୂର ରାଜସ୍ଥାନରୁ ଆସି ଏଠାରେ ଚକ୍ ମାଟିରେ ଓ ଛାଞ୍ଚରେ ମୂର୍ତ୍ତି ତିଆରି ଓ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରୁଛନ୍ତି କାରିଗର । ଗଣେଶ ପୂଜାକୁ ଆଉ ଦିନେ ଥିବାରୁ ମାଟିଲେପ କାମ ପରେ ଏବେ ପ୍ରତିମା ଗୁଡ଼ିକର ରଙ୍ଗ କାମ ଚାଲିଛି ।କୁମ୍ଭାର ସାହିର ଗଣେଶ ମୂର୍ତ୍ତିର ଚାହିଦା କେବଳ ବିନିକାରେ ନୁହେଁ ଆଖ ପାଖ ବିଭିନ୍ନ ଗ୍ରାମ ଗୁଡିକରେ ବି ରହିଛି । ଦୂର ଦୁରାନ୍ତରୁ ଆଖ ପାଖ ଅଞ୍ଚଳରୁ ଲୋକେ ମୂର୍ତ୍ତି ନେବାକୁ ଆସୁଥିବା ବେଳେ ଚଳିତ ବର୍ଷ ବିଶେଷ କରି ବଡ଼ ବଡ ଉଚ୍ଚର ମୂର୍ତ୍ତିକୁ ପସନ୍ଦ କରୁଥିବା ଦେଖାଦେଇଛି । ପ୍ରତିମା ଗୁଡିକରେ ଏବେ ଖଡ଼ି ରଙ୍ଗ ଦେବାପରେ ବିଭିନ୍ନ ରକମର ରଙ୍ଗ ଦେବାରେ ଲାଗିପଡ଼ିଛନ୍ତି ପୁରା ଶିଳ୍ପୀ ପରିବାର ।